Unknown

 

 

 

 

 

 

 

 

 

 

ଚିତ୍ରପଟ

ଉତ୍କଳଭାରତୀ କୁନ୍ତଳା କୁମାରୀ ସାବତ

 

ସୂଚୀପତ୍ର

 

୧.

ପ୍ରଥମ ପଟ

୨.

ଦ୍ୱିତୀୟ ପଟ

୩.

ତୃତୀୟ ପଟ

୪.

ଚତୁର୍ଥ ପଟ

୫.

ପଞ୍ଚମ ପଟ

୬.

ଷଷ୍ଠ ପଟ

୭.

ସପ୍ତମ ପଟ

୮.

ଅଷ୍ଟମ ପଟ

୯.

ନବମ ପଟ

 

ପ୍ରଥମ ପଟ

 

କାହୁଁ କହ, ମର୍ତ୍ତ୍ୟପ୍ରାଣେ ଧର୍ମର ପିପାସା ଜାଗିଲା; ବିକଳପ୍ରାଣେ ଖୋଜିବୁଲେ ସେହି ଧର୍ମନୀର କେଉଁ ସରେଃ ବୃଥା ମରୀଚିକା ଭୁଲାଏ ବିଭ୍ରାନ୍ତ ପାନ୍ଥେ ଘୋର ମରୁଦେଶେ ।

 

ବଜାର ଦାଣ୍ଡ ସାମନାକୁ ଘରଟା କୁଡ଼ିଆ ନୁହେଁ, ଚାଳିଆ ନୁହେଁ, କଫଲା ନୁହେଁ, କୋଠା ମଧ୍ୟ ନୁହେଁ । ଘରଟା ମଧ୍ୟବିତ୍ତ ଶ୍ରେଣୀୟ ଲୋକର ବାସେ ପଯୋଗୀ । ସେକାଳିଆ ମରହଟ୍ଟୀ ଫେସନର ଘର । ଅବଶ୍ୟ ଆମର ପାଠକ ପାଠିକ ଙ୍କର ମନୋମତ ନୋହିପାରେ; କିନ୍ତୁ ସେଥିପାଇଁ ମୁଁ ନାଚାର । ଘରଟିର ସାମନାରେ ପିଣ୍ଡା । ଉଚ୍ଚ ମାଟି ପିଣ୍ଡା । ଗୃହ ମଧ୍ୟରେ ହଠାତ୍ ପ୍ରବେଶ କଲାମାତ୍ରେ ଦର୍ଶକ ଏଣେ ଗୋବର, ତେଣେ ଗୋରୁମୂତ୍ର ଦେଖିବାକୁ ପାଇବେ । ଗୃହର ସମ୍ମୁଖ ବଖରାଟି ଗୁହାଳ । ଗୁହାଳରେ ଗୁହାଳେ ଗୋରୁ । ଦୁଇହଳ ବଳଦ, ଚାରିଟା ଗାଈ, ଦୁଗ୍‌ଧବତୀ କାମଧେନୁ ଏବଂ ତାଙ୍କର ବଂଶଧର-ମାନେ; ପୁତ୍ର କନ୍ୟା, ନାତି, ନାତୁଣୀ ଇତ୍ୟାଦି । କାହାର ନାମ ମଙ୍ଗୁଳିୟା, କାହାର ନାମ ସଁବାରିଆ, କାହାର ନାମ ଗୁରୁବାରିଆ ଇତ୍ୟାଦି ଇତ୍ୟାଦି । ତା’ ପଛକୁ ବାସଉପଯୋଗୀ ଗୃହ, ମଧ୍ୟରେ ପ୍ରାଙ୍ଗଣ । ବେଶ୍ ବିସ୍ତୃତ । ଏକଦିଗରେ କୂପ ଏବଂ ଅନ୍ୟ ଦିଗରେ କ୍ଷୁଦ୍ର କ୍ଷୁଦ୍ର ବୃକ୍ଷଲତାରାଜି । କୂପର ଚତୁର୍ଦ୍ଦିଗ ସୁନ୍ଦର ସୁନ୍ଦର ପୁଷ୍ପବୃକ୍ଷ ସୁଶୋଭିତ । ଏଠି ଦଉଡ଼ିଟା, ସେଠି ମାଠିଆଟା - ଏହିପରି ଛିନିଛତ୍ର ହୋଇ ପଡ଼ିଥାଏ । ଗୃହଟିରେ ଦୀନା ପାଟରାର ବାସ । ତା’ର ଜାତି ପାଟରା, ବ୍ୟବସାୟ ମଧ୍ୟ ତାହା । ସେ ବେଶ୍ ଚଳେ । ଲୋକଟି ନିରୀହ । କାହାକୁ ପଦେ ତୁଟି କହିବାର କେହି କେବେ ଶୁଣିନାହିଁ । ସରଳ, ଭଦ୍ର ଏବଂ ବିନୟୀ । ଗ୍ରାମର ଲୋକେ ତା’କୁ ବେଶ୍ ଭଲ ପାଆନ୍ତି । ଦୀନାକୁ ଆମ୍ଭେମାନେ ବାବୁ ପଦବାଚ୍ୟ କରି ନ ପାରୁ; କିନ୍ତୁ ଏକ ହିସାବରେ ସେ ବାବୁ । କଥାରେ ଲୋକେ କୁହନ୍ତି ଯାହାର ନାହିଁ ଚାଷ, ତାହାର ନାହିଁ ବାସ । ଦୀନାର ଚାଷଜମି ପ୍ରାୟ ବାରମାଣ ଥିଲା । ସେଥିପାଇଁ ଆପଣା ଅନ୍ନ ଆପେ ଭୁଞ୍ଜ ସେ ଘରେ ପୁତ୍ରକଳତ୍ର ସହିତ

 

ସୁଖରେ ଥାଏ । ଦୀନାର ସ୍ତ୍ରୀର ନାମ ଗେହ୍ଲେଇ । ସେକାଳର ପାଟରାଣୀ । ସେଥିପାଇଁ ତାହାର ନାମକରଣ ସମୟରେ କିଛି ବିଚାର ବିଧି ଇତ୍ୟାଦିର ଯୋଗାଡ଼ ହୋଇ ନ ଥିଲା । ସାହିତ୍ୟ ଏବଂ ସଭ୍ୟତାର ଏ ନାମ ରୁଚି ବିରୁଦ୍ଧ ହେବ କି ନାହିଁ, କେହି ଭାବିବାକୁ ଅବସର ପାଇ ନ ଥିଲା । ଯଦିଚ ପାଟରାଣୀ ପରି ତାହାର ସୁବର୍ଣ୍ଣ ଉଜ୍ଜ୍ୱଳ କିରୀଟ ନ ଥିଲା; ତଥାପି ତାହାର ‘ସୁନୀଚ’ ଶାନ୍ତି-କୁଟୀରର ସେ ପାଟରାଣୀ । ଗଣ୍ଡେଇ, କଉଶୁଲୀ ସଖୀଦ୍ୱୟ, ପୁତ୍ର ନାଥିଆ ଓ ଭୋବନା ଏବଂ କନ୍ୟା ଏକୋଇର ବଳା ଗେଲବସର ଲଖୀ ସହିତ ଗେହ୍ଲେଇ ପାଟରାଣୀ ଢେର୍ ସୁଖରେ ବାସକରୁଥିଲା ବୋଲି ଆମ୍ଭେମାନେ ବିଶ୍ୱସ୍ତସୂତ୍ରରୁ ଅବଗତ ହୋଇଅଛୁ ।

 

ଗେହ୍ଲେଇର ବାଡ଼ି ବଗିଚା ବେଶ୍ । ଫଳ-ପନିପରିବା ପାଇଁ ନିତି ହାଟକୁ ତାମ୍ରମୁଦ୍ରା ପ୍ରେରଣର ଆବଶ୍ୟକତା ନ ଥିଲା । ଯଥାକାଳେ ଆମ୍ୱଟି, କଦଳୀଟି, ପଣସଟି ଛାଡ଼ି, ପିଢ଼ାରେ କଖାରୁ, ଭାଡ଼ିରେ କାକୁଡ଼ି, ପଟାଳିରେ ଶାଗ, ରନ୍ଧାଘର ସାମନାକୁ ବାଇଗଣ, ଲଙ୍କା ଇତ୍ୟାଦିର ଆମଦାନି ସମୟଗତ ଏବଂ ମନୋମତ ହେଉଥିଲା ।

 

ଦୀନାର ପରିବାରରେ ଏମାନଙ୍କୁ ଛାଡ଼ି ବୁଦ୍ଧା ପିଉସୀ ମଣି ଏବଂ ବୃଦ୍ଧ ହଳିଆଟିଏ । ବାହାରେ ଥାଏ, ଘରର ପାଞ୍ଚ ପାଇଟି କରେ, ଦଶକୋଶ କହିଲେ ଦଉଡ଼ିଯାଏ । ମଧ୍ୟବୟସ, ବଡ଼ ବିଶ୍ୱସ୍ତ । ନାମ ଲଇକ୍ଷଣା ।

 

ଆଜିକାଲିକାର ଦିନ ନୁହେଁ, ସେକାଳର କଥା । ସେତେବେଳେ ଦେଶରେ ବିଦ୍ୟାର ପ୍ରସାର ଅଳ୍ପ ଥିଲା । ସ୍କୁଲ କଲେଜର ସଂଖ୍ୟା ମଧ୍ୟ ତଥୈବଚ । ଲୋକଙ୍କ ମନରେ ବିଦେଶୀୟ ଭାଷା ଶିକ୍ଷାର ସ୍ପୃହା ମଧ୍ୟ ଅଳ୍ପ ଥିଲା । ସଂସାର ଅଳ୍ପ ବ୍ୟୟରେ ଏବଂ ସୁଖସ୍ୱଚ୍ଛଳରେ ନିର୍ବାହିତ ହେଉଥିଲା । ଯେ ପାଞ୍ଚଟଙ୍କା ପାଉଥିଲା, ସେ ବଡ଼ ବାବୁ ବୋଲାଉଥିଲା । ମାଇନର୍ ପଛେ ଖଣ୍ଡେ ପାଶ୍ ନଥିବ, ଅଥଚ ତରିଘରେ ଧାନ ଅମାର - ତା’ର ଗୃହିଣୀ ହସ୍ତରେ ରୂପା କାମ, ଭୁଜାମୁଢ଼ି ଗଣ୍ଡାକ ପ୍ରଧାନ ଜଳଖିଆ । ପାଉଁରୁଟି କେକ୍ ଇତ୍ୟାଦିର ସ୍ୱପ୍ନ ପ୍ରାୟ କେହି ଦେଖି ନ ଥିଲେ, କୋଟ୍‌ପ୍ୟାଣ୍ଟ୍ ପିନ୍ଧା ତ ଦୂରର କଥା । କାନ୍ଧରେ ଗାମୁଛା, ଗୋଡ଼ରେ କଠଉ, ମରହଟ୍ଟୀ ଧୋତି ଚାଦର ।

 

ଦୀନାର ଜ୍ୟେଷ୍ଠପୁତ୍ର ନାଥିଆ ବାଲ୍ୟକାଳରୁ ବଡ଼ ବୁଦ୍ଧିମାନ୍, ଚତୁର, କର୍ମକୁଶଳ; ଅଥଚ ଶାନ୍ତ-ସ୍ୱଭାବବିଶିଷ୍ଟ ବୋଲି ଗ୍ରାମରେ ଲୋକମାନେ ଆଦର କରୁଥିଲେ । ରୂପରେ କାର୍ତ୍ତିକ ନ ହୋଇଥିଲେ ସୁଦ୍ଧା ଶ୍ରୀସମ୍ପନ୍ନ ଏବଂ ପ୍ରଫୁଲ୍ଲବଦନ । ପାଞ୍ଚବର୍ଷ ବୟସରେ ତାହାର ପିତା ତାହାର ସ୍ୱଳ୍ପ ଓଡ଼ିଶା ଶିକ୍ଷା ନିମନ୍ତେ ଗ୍ରାମର ଅବଧାନ ଶ୍ରୀ କହ୍ନେଇ ନାହାକଙ୍କର ଶ୍ରୀଚରଣ ତଳେ ପୁତ୍ରକୁ ସମର୍ପଣ କଲେ । କହ୍ନେଇ ନାହାକ ରୁକ୍ଷପ୍ରକୃତି; ଅଥଚ ବିଚକ୍ଷଣ ପଣ୍ଡିତ ଥିଲେ । କିନ୍ତୁ ଦୋଷ କୁହ, ଗୁଣ କୁହ ସମୟଗତ ସେରେ ଚାଉଳ, କଦଳୀଟିଏ, ବାଇଗଣଟିଏ, ପଇସା ଦି’ଗଣ୍ଡା ଇତ୍ୟାଦି କହ୍ନେଇଙ୍କର ସିଧା ଦକ୍ଷିଣା ଦେଲେ ବୃଦ୍ଧ ତାଙ୍କର ଅଶୀର୍ବାଦ ଭଣ୍ଡାର ମୁକ୍ତ ରଖିବାରେ କେଭେ ତ୍ରୁଟି କରୁ ନ ଥିଲେ । ତାହାଙ୍କର ପ୍ରଧାନଗୁଣ, ସେ ବୁଦ୍ଧିମାନ୍ ଏବଂ ବିଦ୍ୟାନୁରାଗୀ ଛାତ୍ରଙ୍କୁ ବଡ଼ ସ୍ନେହ କରୁଥିଲେ ।

 

ନାଥିଆର ସୌଭାଗ୍ୟ ଅବଧାନଙ୍କର ଦୁଇ ଗୁଣର ସାର୍ଥକତା ସେ କରି ପାରୁଥିଲା । ଗେହ୍ଲେଇ ମଧ୍ୟ ସମୟଗତ ପୁତ୍ରଦ୍ୱୟର ଗୁରୁଦେବଙ୍କ ପାଇଁ ଫଳ ପୁଷ୍ପ-ସମ୍ଭାର ସାଜି ରଖୁଥିଲା । ଲାଭ ମଧ୍ୟରେ ନିଜର ଭାଗ୍ୟ-ଗଣନାଟି ମଧ୍ୟ ସ୍ୱଚ୍ଛନ୍ଦରେ ନିର୍ବାହିତ ହେଉଥିଲା । କ୍ରମେ କ୍ରମେ କହ୍ନେଇ ନାଥିଆର ବିଦ୍ୟାବୁଦ୍ଧିର ପରିଚୟ ପାଇବାକୁ ଲାଗିଲେ । ତାହାଙ୍କର ମନ ସ୍ୱତଃ ତାହା-ପ୍ରତି ଆକୃଷ୍ଟ ହେବାକୁ ଲାଗିଲା । ତିନିବର୍ଷ ତାହାଙ୍କ ନିକଟରେ ଅଧ୍ୟୟନ କରି ନାଥିଆ ଓଡ଼ିଆ ଏବଂ ଅର୍ଥ-ଶାସ୍ତ୍ରରେ ବ୍ୟୁତ୍ପନ୍ନ ହୋଇ ଉଠିଲାଣି । ଅବଧାନଙ୍କର ମୁଖରେ ପ୍ରଶଂସାର ସୀମା ନାହିଁ । ଦୀନା ଏବଂ ଗେହ୍ଲେଇ ଶୁଣି ଶୁଣି ଆନନ୍ଦରେ ପୂରି ଉଠୁଥାନ୍ତି ।

 

ଅବଧାନଙ୍କର ମତ ହେଲା - ଏପରି ବୁଦ୍ଧିମାନ ପୁତ୍ରକୁ କଟକ ପ୍ରେରଣ କରି ଶିକ୍ଷା ଦେଲେ ଭଲ ହୁଅନ୍ତା । ଦୀନାର ମଧ୍ୟ ସେଥିରେ ଆପତ୍ତି ଦେଖାଗଲା ନାହିଁ । ଗେହ୍ଲେଇ ପ୍ରଥମେ ଅନେକ କନ୍ଦାକଟା କଲା; କିନ୍ତୁ ସ୍ୱାମୀର ଇଚ୍ଛା ନାସ୍ତି କରିପାରିଲା ନାହିଁ । ତହୁଁ ନବମ ବର୍ଷ ବୟସ୍କ ନାଥିଆ ନିଜର ମାତୁଳ ଗୌରାଙ୍ଗ ପାତ୍ର ନିକଟକୁ ପ୍ରେରିତ ହେଲା ।

 

ସେତେବେଳେ ମିଶନାରୀମାନେ ଆସି ଅନାଥାଶ୍ରମ ସ୍କୁଲ ଇତ୍ୟାଦି ସ୍ଥାପନ କଲେଣି । ଗେହ୍ଲେଇର ନାନାଦି ଆପତ୍ତି ସତ୍ତ୍ୱେ ଦୀନା ସ୍ୱପୁତ୍ରକୁ ‘ମିଶନ୍ ସ୍କୁଲରେ’ ଛାତ୍ରରୂପେ ଭର୍ତ୍ତି କରାଇ ଦେଇ ଆସିଲା । ଗେହ୍ଲେଇ କାନ୍ଦି କାନ୍ଦି ଅସ୍ଥିର । କାଳେ ତାହାର ପୁଅ ଖ୍ରୀଷ୍ଟାନ୍ ହୋଇଯିବ । କିନ୍ତୁ ଦୀନା ଭାବିଲା ତାର ପୁତ୍ର ଇଂରାଜୀ ପଢ଼ିବ । ବାବୁ ହେବ । ଶହେ ଲୋକ ତାକୁ ଓଳଗି ହେବେ । ହାୟ ରେ ଦୀନା, ତୋର ଆଶାର ଆକାଶକୁସୁମ ଫୁଟିବ ଟିକି ? କାଠଯୋଡ଼ୀ ନଦୀକୂଳରେ ସନ୍ଧ୍ୟା ସମୟରେ ଅନେକ ଲୋକ ସାନ୍ଧ୍ୟସମୀର ସେବନାର୍ଥେ ଆସିଥାନ୍ତି । ନାନାପ୍ରକାରର ଲୋକ ଆସନ୍ତି । ବାଳକ, ଯୁବକ, ବୁଦ୍ଧ, ବାବୁ, କୁଲି ଓ ବେହେରା ଇତ୍ୟାଦି ଇତ୍ୟାଦି । ଆଜି ସନ୍ଧ୍ୟା ସମୟରେ କାଠଯୋଡୀ କୂଳରେ ପ୍ରସ୍ତରାସନରେ ବସି ଦୁଇଜଣ ଯୁବକ କଥାବାର୍ତ୍ତା କରୁଛନ୍ତି । ଯୁବକଦ୍ୱୟ ମଧ୍ୟରେ ଜଣେ ଶ୍ୟାମଳକାୟ, ବେଶ୍ ସୁଶ୍ରୀ । ବୟସ ଅନ୍ୟୂନ ସତର ହେବ । ଅପର- ଜଣକ କୃଷ୍ଣକାୟ । ଅବଶ୍ୟ ହାଣ୍ଡିକଳା ନୁହେଁ, ଦେଖିବାକୁ ମଧ୍ୟ ମନ୍ଦ ନୁହେଁ । ମୁଖଟି ତେଜପ୍ରଭାବାନ୍ୱିତ । ତାହାର ବୟସ ପ୍ରାୟ ବିଂଶତିର ସୀମା ପାର ହେବାକୁ ବସିଲାଣି ବୋଲି ବୋଧ ହେଉଥିଲା । ଯୁବକଦ୍ୱୟ ଏକାନ୍ତରେ କଥାବାର୍ତ୍ତାରେ ମଗ୍ନ । ଯଦିଚ ଅପରର କଥା ଶୁଣିବା ଦୋଷାବହ; ତଥାପି ଲେଖକଙ୍କୁ ସାତଖୁଣ ମାଫ ଥିବାରୁ ଆମ୍ଭେମାନେ ଶୁଣିବାରେ ସାହସୀ ହେଲୁଁ । ପ୍ରଥମ ଯୁବକ ମସ୍ତକ ନତ କରି କହିଲେ, “ବୀରବାବୁ, ମାନବର ସ୍ୱାଧୀନତା ଉପର ପରିବାରର ଆଧୁପତ୍ୟ ଭୟାନକ ବେଶି । ଆଜିକି ଦୁଇବର୍ଷ ହେବ ଯ କଥା ମୋ ମନରେ ଉଦୟ ହୋଇଛି, ମୋର ମା କଥା ମନେ ପଡ଼ିବାରୁ ମୁଁ ନିଜକୁ ବାଧା ଦେଉଛି । ଆହା ମୋ ମା । ସେ ମୋତେ କେତେ ସୁଖ ନ ପାଏ । ଯଦି ସେ ଜାଣିବ ଯେ, ମୁଁ ଏପରି ଅଭିପ୍ରାୟ କରିଛି, କେ ଜାଣି ସେ ପ୍ରାୟ ମରିଯିବ ।” ଏହା କହି ଏକ ଦୀର୍ଘନିଃଶ୍ୱାସ ତ୍ୟାଗକଲେ । କିଛିକ୍ଷଣ ନୀରବ ରହି ପୁଣି କହିଲେ - “ମନୁଷ୍ୟ ତ ଏକା ଆସେ, ଏକା ଯାଏ । ଜଗତର ଏତେ ବନ୍ଧନ ତାକୁ ବାନ୍ଧରଖେ କିଆଁ ? ଆମ୍ଭେମାନେ ଧର୍ମ ବିଷୟରେ ସ୍ୱାଧୀନ ହେବା ଦରକାର । ଜାତି-ବିଚାର ଦୂର କରିବା ଦରକାର । ନୋହିଲେ ଉଚ୍ଚ-ଜାତିର ବିଦ୍ରୂପ ଛଡ଼ା ନୀଚ ଜାତିର ଭାଗ୍ୟରେ ଜଣ ଅଛି ? ହେଲେ ପିତାମାତା ଗୃହସଂସାର ପରିତ୍ୟାଗ ବଡ଼ ଦୁଃଖର ବିଷୟ ।” ତାହାଙ୍କ କଥା ସମାପ୍ତ ହେବାପରେ ବୀରବାବୁ କହିଲେ - “କିନ୍ତୁ ସେ କହିଛନ୍ତି ଯେ, କେହି ଆମ୍ଭ ନିମନ୍ତେ ପିତାମାତା, ସ୍ତ୍ରୀସନ୍ତାନ ଇତ୍ୟାଦି ତ୍ୟାଗ କରେ ସେ ଇହକାଳରେ ତାହାର ଶହେଗୁଣ ଓ ପରକାଳରେ ଅନନ୍ତ ଜୀବନ ପାଇବ ।” ବାସ୍ତବିକ୍ ତୁମ୍ଭର ପରୀକ୍ଷା କଠିଣ । କିନ୍ତୁ ସେ ସେହିପରି ଅଗ୍ନି ପରୀକ୍ଷାରେ ସୁବର୍ଣ୍ଣକୁ ପରିଷ୍କାର କରନ୍ତି । ତୁମ୍ଭଙ୍କୁ ଜଗତରେ ସବୁ ଛାଡ଼ିବାକୁ ହେବ । ଠିଆ ହେବାକୁ ପାଦେ ଭୂଇଁ ନ ଥିବ । ଚାରିଆଡ଼େ ନିନ୍ଦା ଅପମାନ ଇତ୍ୟାଦି ସହି ତାଙ୍କୁ ଲାଭ କରାଯାଏ । ଆମ୍ଭେମାନେ ତ ଆଉ ନିଜର ନୋହୁଁ । ବିଶେଷ ମୂଲ୍ୟରେ କ୍ରୀତ ହୋଇଛୁଁ ।”

 

ପ୍ରଥମ ଯୁବକ କିଛିକ୍ଷଣ ଚିନ୍ତାକରି କହିଲେ - “ବୀରବାବୁ ଯେ ଖ୍ରୀଷ୍ଟିୟାନ୍ ଘରେ ଜନ୍ମ, ତାଙ୍କର କଷ୍ଟ କ’ଣ ? ଯେ ସ୍ୱଧର୍ମ ପରିତ୍ୟାଗ କରି ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ ଯାଏ, ତାହାରି ସିନା କଷ୍ଟ । ତୁମ୍ଭେ ଖ୍ରୀଷ୍ଟିୟାନ, ସେଥିପାଇଁ ମୋତେ ଉପଦେଶ ଦେଇପାର । କିନ୍ତୁ ମୋର ଅବସ୍ଥାର କଷ୍ଟଟା ଜାଣିବ କିପରି ? ମୋର ମନ ଏପର୍ଯ୍ୟନ୍ତ ଅଠିକ୍ । କେଉଁ ଦିଗରେ କ’ଣ କରିବି ଜାଣିପାରୁ ନାହିଁ । ମାନିଲି, ଧର୍ମ ସତ୍ୟ; କିନ୍ତୁ ଗ୍ରହଣ କରିବା ସହଜ ନୁହେଁ । ସର୍ବସ୍ୱ ତ୍ୟାଗ ! ଖ୍ରୀଷ୍ଟଧର୍ମ ଏପରି ହେଲା କାହିଁକି ବୀରବାବୁ ?”

 

“ବରଂ କୁହେ - ହିନ୍ଦୁଧର୍ମ ଏପରି ହେଲା କାହିଁକି ? ତୁମ୍ଭମାନଙ୍କର ଧର୍ମର ଶ୍ରେଷ୍ଠ ବନ୍ଧନ ଜାତି । ତୁମ୍ଭେମାନେ ସବୁ କରିପାର - କିନ୍ତୁ ଜାତିର ଗଣ୍ଡି-ଭିତରେ ରହି । କିନ୍ତୁ ଜାତିରୁ ବାହାର ହେଲେ, ତୁମ୍ଭେ ଯେଡ଼େ ଧାର୍ମିକ ହୁଅପଛେ, ସବୁ ଗଲା । ତୁମ୍ଭେ ଜାତିର ଲୌହପ୍ରାଚୀର ଭିତରେ ଥାଅ, ତୁମ୍ଭେ ଚୋରୀ- କର, ମିଛ କହ, ବ୍ୟଭିଚାର କର - କିଛି ନାହିଁ । କିନ୍ତୁ ପ୍ରକାଶ୍ୟରେ ପଠାଣ କିମ୍ୱା ଖ୍ରୀଷ୍ଟିୟାନ ଘରେ ପାଣି ଛୁଇଁଲେ ଜାତି ଗଲା । ସେଥିପାଇଁ, ବରଂ କୁହ, ହିନ୍ଦୁ- ଧର୍ମ କାହିଁକି ଏପରି ହେଲା ?”

 

ବୀରବାବୁଙ୍କ କଥାରେ ପ୍ରଥମ ଯୁବକ ହୃଦୟରେ ଆଘାତ ଆସିଲା । ସେ ଉତ୍ତେଜିତ ହୋଇ କହିଲେ - “ଅସହ୍ୟ । ହିନ୍ଦୁଧର୍ମ ସନାତନ ଧର୍ମ । ବହୁ ପ୍ରାଚୀନ ଏବଂ ସେଥିରେ ଅନେକ ଅମୂଲ୍ୟ ସତ୍ୟ ରହିଛି । ମୁଁ ହିନ୍ଦୁର ସନ୍ତାନ । ଆଜିସୁଦ୍ଧା ହିନ୍ଦୁ; କିନ୍ତୁ ଜାତିଭେଦ ଏବଂ କେତେକ ସାମାଜିକ ରୀତିନୀତିର ପକ୍ଷପାତୀ । ସେଥିପାଇଁ ଖ୍ରୀଷ୍ଟଧର୍ମକୁ ଉଚ୍ଚ ସ୍ଥାନ ଦେଇଛି । ନୋହିଲେ ହିନ୍ଦୁ ଧର୍ମର ମର୍ଯ୍ୟାଦା ଯଥେଷ୍ଟ । ମୁଁ ଖ୍ରୀଷ୍ଟଧର୍ମକୁ ଭଲ- ପାଏ; କିନ୍ତୁ ତା ବୋଲି ହିନ୍ଦୁଧର୍ମର ନିନ୍ଦା ସହିପାରିବି ନାହିଁ ।” ବୀରବାବୁ ଈଷତ୍ ଅପ୍ରତିଭ ହୋଇ କହିଲେ - “ଜଗନ୍ନାଥ, ମୁଁ ହିନ୍ଦୁଧର୍ମର ନିନ୍ଦା କରୁନାହିଁ ।

 

ଜାତିଭେଦର ନିନ୍ଦା କରୁଅଛି । ଆଜି ଜାତିଭେଦ ତୁମ୍ଭ ଆମ୍ଭ ଭିତରେ ଯେ ଅତି ଉଚ୍ଚ ପ୍ରାଚୀର ପରି ଠିଆ ହୋଇଅଛି ତାକୁ ଡେଇଁଯିବା ଦୁଃସାଧ୍ୟ; ନୋହିଲେ ଆମ୍ଭେମାନେ ସମସ୍ତେ ମନୁଷ୍ୟ । ତୁମ୍ଭେ ଓ ମୁଁ ଭାଇ ଭାଇ ହୋଇ ପାରିଥାନ୍ତୁ; କିନ୍ତୁ ଆଜି ତା’ ଅସମ୍ଭବ । ସେ ମିଳନ ହିନ୍ଦୁର ଦେଶରେ ହେବ ନାହିଁ । ଆମ୍ଭେମାନେ ଏକାସନରେ ବସି ଖାଇବା ସୁଦ୍ଧା ଅସମ୍ଭବ । ଏଥିପାଇଁ ଆମ୍ଭେମାନେ ଚିରକାଳ ଭିନ୍ନ । ଆମ୍ଭମାନଙ୍କ ମଧ୍ୟରେ ମିଳନ ଅସମ୍ଭବ । ଭାଇ ଭଉଣୀ, ଭାଇ ଭାଇ ମିତ୍ରତା ସ୍ଥାପନ, ମନୁଷ୍ୟ ହୃଦୟକୁ ପ୍ରେମରେ ଏକ କରିବା ଧର୍ମ । ହିନ୍ଦୁଧର୍ମର ସେତକ ନାହିଁ ।”

 

“ନାଁ ବୀରବାବୁ, ଭୁଲ କହିଲ । ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମୟରେ ଯେଉଁ ଭୋଜନ ହୁଏ, ସେଠି ସବୁ ଜାତି ଏକାଠି ବସି ଖାଆନ୍ତି । ଶ୍ରୀକ୍ଷେତ୍ରରେ ଜାତିଭେଦ ନାହିଁ ।”

 

“ସେ କାହିଁକି ଆସେ ? ଜାତିନେଇ ହିନ୍ଦୁର ଗର୍ବ । ସେହି ଜାତିଭେଦ ଥିବାରୁ ଆଜି କୋଟି କୋଟି ଶାଖାରେ ବିଭକ୍ତ ହେବାରୁ ହିନ୍ଦୁଜାତି ଦୁର୍ବଳ, ଶକ୍ତିହୀନ, ସାମ୍ୟଭାବ ନାହିଁ । କିନ୍ତୁ ଅଦାବେପାରୀର ଜାହାଜ ଖବର କାହିଁକି ? ଜାତିଭେଦର ଅକଲ୍ୟାଣ ଆଖି ଆଗରେ; କିନ୍ତୁ ବୃଥା । ମୁଁ ସେ ସବୁ ଯୁକ୍ତିତର୍କ ଚାହୁଁ ନାହିଁ । ଯାହାର ମନ ମାନିଲା ସତ୍ୟକୁ ବୁଝିଲା - ସେ ସତ୍ୟ ସଂଗ୍ରହ କରିବ । ଢେଙ୍କି ଗିଳାଇବା କଥା ନାହିଁ । ଆମ୍ଭେ ସତ୍ୟ ପ୍ରଚାର କରିବୁ ମାତ୍ର ଫଳଦାତା ଈଶ୍ୱର । ଆମ୍ଭେ ବିଲର ମୂଲିଆ । ଜମିଚଷି ଧାନ ବୁଣିବୁ । ବରଷା ଦେବା କର୍ତ୍ତା ସେ, ଖରା ଦେବା କର୍ତ୍ତା ସେ-। ଦେଖ ଜଗନ୍ନାଥ, ମୁଁ ହିନ୍ଦୁଧର୍ମର କିଛି ନିନ୍ଦା କରୁନାହିଁ । କିନ୍ତୁ ତିନୋଟି ବିଷୟ ମୋ ମନକୁ ପାଇନାହିଁ । ପ୍ରଥମରେ ଜାତିଭେଦ, ଦ୍ୱିତୀୟ ପ୍ରତିମା ପୂଜା, ତୃତୀୟ ବାଲ୍ୟବିବାହ । ଏ ତିନୋଟି ଥିବାରୁ” - ବାଧାଦେଇ ଜଗନ୍ନାଥ କହିଲେ, “ଏ ତିନୋଟି ନଥିଲେ ହିନ୍ଦୁ ଖ୍ରୀଷ୍ଟିୟାନ୍‌ର ଭେଦ ନ ଥାନ୍ତା । ଆଜି ପ୍ରତ୍ୟେକ ହିନ୍ଦୁ ଖ୍ରୀଷ୍ଟିୟାନ୍ ହୋଇପାରନ୍ତେ ।”

 

ଦୁଃଖିତ ହୋଇ ବୀରବାବୁ କହିଲେ, “ତା କି ସମ୍ଭବ ? ଖ୍ରୀଷ୍ଟିୟାନ୍ କେତେ କଣ ? କ୍ରୁଶ ବହିବା ସହଜ ନୁହେଁ ଭାଇ; ଡୁବନ ହେବା ସହଜ । ମଣ୍ଡଳୀରେ ନାମ ଲେଖାଇବା ସହଜ । ହେଲେ ଖ୍ରୀଷ୍ଟଙ୍କୁ ଧାରଣ କରିବା ବହୁ ସାଧନାର ବିଷୟ । ମାନବ ଅନ୍ତରରେ ଜୀବନ୍ତ ଈଶ୍ୱର ମୂର୍ତ୍ତିମାନ ହେବା ଯେ ବଡ଼ କଷ୍ଟକର ବିଷୟ । ଜୀବନବ୍ୟାପୀ ସଂଗ୍ରାମ । ଓ...” - ଏହା କହି ବୀରବାବୁ ଆସନ ତ୍ୟାଗ କରି ଉଠିଗଲେ । ଅନ୍ଧକାର କ୍ରମେ ଘନୀଭୂତ ହୋଇ ଆସୁଥିଲା-। ସମ୍ମୁଖରେ ସ୍ଫୀତବକ୍ଷା କାଠଯୋଡ଼ୀ ପୁଣ୍ୟତୋୟା । ପାଣି ସର ସର ବହିଯାଉଛି, ପବନ ସର ସର ବହିଯାଉଛି-। ପାଣି ପବନର ସତେ ଅଭେଦ ପ୍ରୀତି ।

 

ସେ ପାଣିସ୍ତର ଉପରେ ଥାକକୁ ଥାକ ଅନ୍ଧକାର ସଜ୍ଜିତ ହେଲାଣି । ଆକାଶର ବିସ୍ତୃତ ନୀଳିମାରେ କ୍ଷୁଦ୍ର ତାରା ଗୋଟିଏ ଯୋଡ଼ିଏ ମିଟି ମିଟି ହେଲେଣି । ବୃକ୍ଷଲତା ପବନ ପ୍ରବାହରେ କମ୍ପି ଉଠୁଥିଲେ-। ପବନ-ଶୀତଳ ପବନ । ଫୁଲବାସଭରା ନ ଥିଲା; କିନ୍ତୁ ପ୍ରାଣାରାମ- ଦାୟୀ ସୁଶୀତଳ ପବନ ।

 

ବୀରବାବୁ ନଦୀ ବକ୍ଷପ୍ରତି ଦୃଷ୍ଟିପାତ କଲେ । ବିଶାଳବକ୍ଷା ସଲିଳସ୍ଫୀତା ତଟିନୀ ବହିଯାଉଛି । ଅନ୍ଧକାର ତାହାର ସେହି ବିଶାଳ ବକ୍ଷ ଆଲିଙ୍ଗନ କରିବାକୁ ଆକାଶରୁ ଓହ୍ଲାଇ ଆସୁଅଛି ପରା । ତାରା ଦିଓଟି ଆନନ୍ଦରେ ହସି ଉଠୁଛନ୍ତି । ବୀରବାବୁ ନୀରବ ଦୃଷ୍ଟିପାତ ପୂର୍ବକ ଧ୍ୟାନମଗ୍ନ ହୋଇ କହିଲେ - “ଜଗନ୍ନାଥ, ମାନବର ହୃଦୟ ସମୟେ ସମୟେ ଏହିପରି ଅନ୍ଧାର ହୋଇଉଠେ । କିନ୍ତୁ ତା’ ମଧ୍ୟରେ ପ୍ରେମର ଆଲୋକ ତାରାପରି ସାନ୍ତ୍ୱନା ଦେଇ ଫୁଟିଉଠେ ସତେ ! ମୋର ସେହି ସାନଭଉଣୀ ପଦ୍ମାବତୀର ମୃତ୍ୟୁଶଯ୍ୟା ମୋର ଜୀବନର ଗୋଟିଏ ବଡ଼ ଦୁଃଖର ସ୍ମୃତି-। ଯେତେ- ବେଳେ ମନେପଡ଼େ, ଭାବେ ସେହି ଶାନ୍ତିମୟ ସୁନ୍ଦର ଦେବୀମୂର୍ତ୍ତି ଆକାଶରେ, ପୃଥିବୀରେ ସବୁଆଡେ ବୁଲୁଛି । ତାର ସେହି ଛୋଟ ମୁହଁର ... ମୋତେ ଲାଗେ ଜଗତରେ ମୁଁ କେଉଁଠି ଦେଖିନାହିଁ । ଆହା, ମନୁଷ୍ୟ କ’ଣ ପ୍ରେମ କରିବାକୁ ଜନ୍ମେ ?”

 

ସହସା ଜଣେ ପଶ୍ଚାତରୁ ତାଙ୍କ ପୃଷ୍ଠରେ କରାଘାତ କରି କହିଲା - “ବୀର, ଆଜି ଏତେ ରାତିରେ ଏଠେଇଁ; ତୋ ସାଙ୍ଗରେ କିଏ ଅଛି ପରା ?” ସ୍ୱରରୁ ଆଗନ୍ତୁକଙ୍କୁ ଚିହ୍ନିପାରି ବୀର ସହାସ୍ୟ ବଦନରେ କହିଲେ - “କିରେ ଗୋପାଳ, ତୁ ଏଇଠି ବୁଲୁଛୁ, ଆଜି ଦେଖା ହେଉଛି ।”

 

ଗୋପାଳ ବଡ଼ ରହସ୍ୟପ୍ରିୟ । ସେ ସହାସ୍ୟ ବଦନରେ କହିଲା - “ତୁ ପରା ଲେକ୍‌ଚର୍ ଦେଉଥିଲୁ । ତୋ ସଙ୍ଗୀ କିଏ ? ତୁ କ’ଣ ଶ୍ରୋତା ଏବଂ ବକ୍ତା - ଉଭୟ ?”

 

କିଞ୍ଚିତ୍ ପଛକୁ ଦୃଷ୍ଟିକରି ଜଗନ୍ନାଥଙ୍କୁ ଦେଖି କହିଲା - “ଆରେ ସତେ ଜଣେ ଅଛି ତ ?” ଜଗନ୍ନାଥ ଗୋପାଳର କଥା ଶୁଣି କହିଲେ - “ଗୋପାଳ, ବୀରର ଲେକ୍‌ଚର୍ ଆଟେଣ୍ଡ୍ କରିବାର ଭାଗ୍ୟ ତୋର ନାହିଁ ।”

 

ସତେ, ମୋ ଭାଗ୍ୟଟା ବଡ଼ ଦୁର୍ଭାଗ୍ୟ । ଯାହା-ହେଉ ଖୀରସ୍ତାନ ହେଲୁ । ଜାତିକୁଳ ନେଲୁ-। ଏଥର ଗୋରୁମାଂସ ଓ ମଦ ଖାଇବାକୁ ସୁବିଧା । ନାହିଁକି ରେ ଜଗନ୍ନାଥ ? ସାହେବ ହେବୁ, ଭାବନା କ’ଣ ? କୋଟ୍ ପ୍ୟାଣ୍ଟ୍ ପିନ୍ଧିବୁ । ବବର୍ଚ୍ଚି ଖାନ୍‌ସମା ହାତରେ କୁକୁଡ଼ା ରୋଷ୍ଟ୍ ବଡ଼ ସୁଆଦ, ନାହିଁ କିରେ?” “ତୁ ଖାଇଥିବୁ - ଜାଣିଛୁ ।”

 

“କିନ୍ତୁ ମୁଁ ବୀରବାବୁର ଲେକ୍‌ଚର୍ ଆଟେଣ୍ଡ୍ କରିନାହିଁ । ଆଜି ତୁମ୍ଭେମାନେ ବଡ଼ ଧର୍ମ ବକ୍ତୃତା କରୁଥିଲ, ମୁଁ ସବୁ ଶୁଣିଛି ।”

 

ବୀର ଅସହିଷ୍ଣୁ ବୋଧ କଲେ । ସେ ଉତ୍ତେଜିତ ଭାବରେ କହିଲେ - “ଦେଖ୍ ଗୋପାଳ, ତୁ ଭାବୁ ଖ୍ରୀଷ୍ଟିୟାନ୍ ହେଲେ ଖାଲି ମଦମାଂସ ଖାଆନ୍ତି ।”

 

ଗୋପାଳ ହସିହସି କହିଲା - “ମୋ ଧାରଣା ସେଇଆ । ନୋହିଲେ ବାପ ମା’ ଛାଡ଼ି, ଘରଦ୍ୱାର ଛାଡ଼ି ତୁଚ୍ଛାଟାକୁ ଖୀରସ୍ତାନ ମୁଁ ହୁଅନ୍ତି କାହିଁକି ?” “ଧର୍ମ ପିପାସା ?”

 

“ଓଃ ଧର୍ମପିପାସା ! ବାସ୍ତବିକ୍ ଧବେଳେଶ୍ୱରଙ୍କ ରାଣ, ମୋର ସେମିତି ଧର୍ମପିପାସା ଆଜି କିଛି ନାହିଁ । ଏତେ ଶୋଷ ଥିଲେ ଗୋପାଳ ଆଉ ‘ଗୋପାଳ’ ନଥାନ୍ତା । ବୋଧହୁଏ ନାଥିଆର କିଛି ବେଶି ରକମର ତୃଷ୍ଣା ସେଥିପାଇଁ ତୁ ତାକୁ ସେହି ଅମୃତ ନଦୀର ଜଳରୁ ପାଣି ପିଆଉଛୁ । ବେଶ୍ କରି ପିଉଥା ନାଥିଆ । ତେଣେ ବାପ ମା’ ଶୁଣି ଇହଧାମ ଛାଡ଼ନ୍ତୁ ।”

 

ନାଥିଆ ଅପ୍ରତିଭ ହୋଇ କିଛି କହି ପାରିଲା-ନାହିଁ । ଲଜ୍ଜାରେ ମୌନ ହୋଇ ରହିଲା । ସେ ଜାଣେ ସେ ଖ୍ରୀଷ୍ଟ ଧର୍ମ ଭଲ ପାଏ । ଏକଥା ତା’ର ସାଙ୍ଗମାନେ ଜାଣିପାରିଲେ ତାକୁ ପ୍ରତିମୁହୂର୍ତ୍ତରେ ଅଶେଷ ବିଦ୍ରୂପ କରି କରି ପ୍ରାଣାନ୍ତ କରିବେ । ଆଉ ସେଥିରୁ ରକ୍ଷା ନାହିଁ ।

 

କିଛିକ୍ଷଣ ଭାବି କହିଲେ - “ଗୋପାଳ, କଥା ଶୁଣିଲେ ଦୋଷ କ’ଣ ? ଧର୍ମସବୁ ଏକା । ବୀରବାବୁ ଧର୍ମପ୍ରିୟ । ମୁଁ ତ ଖ୍ରୀଷ୍ଟିୟାନ୍ ହୋଇ ପଡ଼ୁନାହିଁ ।” କଥା ଶୁଣି ବୀରବାବୁ ଭାବିଲେ-“ହାୟ”

 

ଦ୍ୱିତୀୟ ପଟ

 

“ଆଜି ମୁଁ ଅନାଥ” କାହିଁ ଚାଲିଗଲୁ ଜନନୀ ଆମ୍ଭର ଦୁଇଶିଶୁ ପ୍ରାଣ ଭସାଇ ଅକୂଳେ ବାଳିକା ଅବଳା, ବିଶାଳ ସଂସାର ଯିବୁ କାହାଦ୍ୱାରେ ନ ଭାବିଲୁ ତିଳେ ।”

 

ଯୁବକତ୍ରୟ ଉଠୁ ପ୍ରସ୍ଥାନ କରିବାକୁ ଲାଗଲେ; ଅନ୍ଧକାର ଗାଢ଼ରୁ ଗାଢ଼ତର ହେବାକୁ ଲାଗିଲା-। ଆଜି ସେ ନୟନାଭିରାମ ଚାନ୍ଦିନୀରାତି ନାହିଁ । ପବନର ସର୍ ସର୍ ଶବ୍ଦ ଅନ୍ଧକାର ଭେଦକରି ପ୍ରାଣରେ ଆଘାତ କଲା ପରି ଲାଗୁଛି-। ପଥ ପାର୍ଶ୍ୱସ୍ଥିତ ବୃକ୍ଷରାଜି ଅନ୍ଧକାରରେ ସତେଯେପରି ଦୈତ୍ୟପରି ଠିଆ ହୋଇଛନ୍ତି । କେଉଁଆଡ଼େ ସର୍‌ସର୍ ଶବ୍ଦ । କେଉଁଆଡ଼େ ବୃକ୍ଷାନ୍ତରାଳ- ବର୍ତ୍ତୀ ପକ୍ଷୀର ପକ୍ଷସଂଚାଳନ ଧ୍ୱନି । କେଉଁଆଡ଼େ ବା ଲୋକଗତାୟତର ଅସ୍ପଷ୍ଟ ଶବ୍ଦ-। ତଥାପି ଚାରିଆଡ଼ ନୀରବ ଥିଲାପରି ଲାଗୁଥିଲା । ଯୁବକତ୍ରୟ ମଧ୍ୟ ନୀରବ । ନିଜ ନିଜ ଭାବନାରେ ମଗ୍ନ-। କେବଳ ସେମାନଙ୍କର ପାଦ ଶବ୍ଦ ଶୁଣାଯାଉଥିଲା । କିୟତ୍‌କ୍ଷଣ ଗମନ କଲାପରେ ସେମାନେ ଏକ କ୍ଷୁଦ୍ର ଗଳିପଥରେ ପ୍ରବେଶ କଲେ । ଗଳିର ଦୁଇ ଧାରରେ କ୍ଷୁଦ୍ର କ୍ଷୁଦ୍ର କୁଟୀର-ଶ୍ରେଣୀବଦ୍ଧଭାବେ ଦଣ୍ଡାୟମାନ । ଅନ୍ଧକାର ପ୍ରାୟ ସର୍ବଦିଗ ଅଚ୍ଛନ୍ନ କରିଥିବାରୁ ଆଗନ୍ତୁକର ଦୃଷ୍ଟିରୁ ପୂର୍ବୋକ୍ତ କୁଟୀରଗୁଡ଼ିକର ଦୀନଦଶା ଓ ଭଗ୍ନାବସ୍ଥା

 

ଲୁଚାଇ ରଖିଥିଲା-। ଗଳିପଥ ପାର ନୋହୁଣୁ ପୂର୍ବଦିଗର ଗୋଟିଏ ଗୃହରୁ କ୍ଷୀଣ ରୋଦନ ଧ୍ୱନି ଶୁଣାଗଲା-। ଜଗନ୍ନାଥ ତାହା ଶୁଣିପାରି କହିଉଠିଲା, “ବୀରବାବୁ, କିଏ କାନ୍ଦିବାର ଧ୍ୱନି ଶୁଭୁଛି !”

 

ବୀର କାନପାତି ଶୁଣି କହିଲେ - “ସତେ ତ, ପିଲା କାନ୍ଦିଲା ସ୍ୱର ହେବ ପରା । ସେ କିଏ କାନ୍ଦୁଚି କାନ୍ଦୁଥାଉ ।” ଯୁବକତ୍ରୟ ଅଗ୍ରସର ହେବାକୁ ଲାଗିଲେ । ପୁନଶ୍ଚ ସେଇ କରୁଣଧ୍ୱନି ଅଧିକ ସ୍ପଷ୍ଟରୂପେ ଶୁଣିପାରି ଗୋପାଳ ଓ ଜଗନ୍ନାଥ ଉଭୟେ କହିଉଠିଲେ, “ସତେ କିଏ କାନ୍ଦୁଛି ତ !”

 

ବୀର ପୁନର୍ବାର ଶୁଣିବାକୁ ଲାଗିଲେ । ଏଥର ସ୍ପଷ୍ଟ “ମା ଲୋ, ବୋଉ ଲୋ” କରୁଣ କଣ୍ଠସ୍ୱର ଶୁଣାଗଲା । ଯୁବକତ୍ରୟ କାରଣ ଅନୁସନ୍ଧାନ କରିବାକୁ ସେହି ଦିଗକୁ ଅଗ୍ରସର ହେଲେ । ନିକଟବର୍ତ୍ତୀ ହୋଇ ଦେଖିଲେ, ଗୃହଟି ଗୋଟିଏ ଭଗ୍ନ କୁଟୀର । ସ୍ଥାନେ ସ୍ଥାନେ ଚାଳ ଖସି ଯାଇଛି । ଚାରିଆଡ଼ ଅତି ଅପରିଷ୍କାର । ଗୃହ ତଳରେ ଗୋଟାଏ ଛିଣ୍ଡା ଚଟାଇ ଉପରେ ଅତି ଜୀର୍ଣ୍ଣଶୀର୍ଣ୍ଣ ଦୀନହୀନ ସ୍ତ୍ରୀ ଲୋକଟି ମୃତପ୍ରାୟ ପଡ଼ି ରହିଛି । ନିକଟରେ ପ୍ରାୟ ବାର ତେର ବର୍ଷ ବୟସ୍କା ଏକ ସୁନ୍ଦରୀ ବାଳିକା ବସି ଅଧୀର ଭାବରେ ରୋଦନ କରୁଛି । ତାହାର ଅଙ୍ଗର ପରିଧାନ ଅତି ଜୀର୍ଣ୍ଣ ଓ ଶତଚ୍ଛିନ୍ନ ମଳିନ ବସ୍ତ୍ର ଖଣ୍ଡେ । ଗୃହର ଏକ ପାର୍ଶ୍ୱସ୍ଥିତ ତୈଳଦୀପର କ୍ଷୀଣାଲୋକ ତାହାର ସୁଗୋଲ ଅଥଚ ମ୍ଳାନ ଗୌର ମୁଖରେ ପଡ଼ି ଏକ ଅପୂର୍ବ ବିଷାଦର ଛବି ସୃଷ୍ଟି କରିଥିଲା । ନିକଟରେ ଅନ୍ୟୂନ ପାଞ୍ଚବର୍ଷ ବୟସ୍କା ଏକ ଶିଶୁକନ୍ୟା କ୍ରନ୍ଦନରତା, ଯୁବକତ୍ରୟ ହଠାତ୍ କିଛି ବୁଝିପାରିଲେ ନାହିଁ । ବୀରବାବୁ ନିକଟବର୍ତ୍ତୀ ହୋଇ ପଚାରିଲେ, “ହେ ପିଲା, କାହିଁକି କାନ୍ଦୁଛୁ ?”

 

ସହସା ଅପରିଚିତ ଯୁବକତ୍ରୟଙ୍କୁ ଦେଖି ବାଳିକା-ଦ୍ୱୟ ଭୟଭୀତ ଓ ବାକ୍‌ହୀନ-ହୋଇ ପଡ଼ିଲେ । ରୋଦନ ସମ୍ୱରଣ କରି ବାଳିକାଟି ପ୍ରଶ୍ନକାରୀର ମୁଖକୁ ବିସ୍ମୟ ଭୀତବିହ୍ୱଳ ଦୃଷ୍ଟିରେ ଚାହିଁ ରହିଲା । ବୀରବାବୁଙ୍କ ପ୍ରଶ୍ନର କିଛି ଉତ୍ତର ଦେଲାନାହିଁ । ବୀରବାବୁ ଆହୁରି ନିକଟକୁ ଯାଇ ନତ ହୋଇ ଶଯ୍ୟାଶାୟିନୀର ମୁଖପ୍ରତି ଦୃଷ୍ଟିପାତ କଲେ । ସହସା ଏକ ପ୍ରକାର ଭୟରେ ତାଙ୍କ ହୃଦୟ ସ୍ପନ୍ଦିତ ହୋଇଉଠିଲା । ସେ ହସ୍ତ ପ୍ରସାରଣ କରି ତାହାର ଗାତ୍ର ସ୍ପର୍ଶ କଲେ । ତାଙ୍କର ଭୟ ଆହୁରି ବଢ଼ିଗଲା । ଏ ଯେ ମୃତଦେହ, ତୁଷାର- ଶୀତଳ, ମୁଖ ବିବର୍ଣ୍ଣ । ତାହାଙ୍କର ହୃତ୍‌କମ୍ପ ହେବାକୁ ଲାଗିଲା । ସେ ସଙ୍ଗୀ ଦ୍ୱୟର ମୁଖପ୍ରତି ଦୃଷ୍ଟିପାତ ପୂର୍ବକ ଅସ୍ଫୁଟ ସ୍ୱରରେ କହିଲେ - “ଭାଇ ରେ, ଏ କଣ, ଏ କଣ !”

 

ଜଗନ୍ନାଥ ଓ ଗୋପାଳ ବୀରର ନିକଟବର୍ତ୍ତୀ ହୋଇ ସେହି ସ୍ତ୍ରୀଲୋକର ଗାତ୍ର ସ୍ପର୍ଶ କଲେ-। ସେମାନଙ୍କର ମଧ୍ୟ ଦୃଢ଼ ବିଶ୍ୱାସ ହେଲା ଯେ, ସ୍ତ୍ରୀଲୋକଟି ମୃତ । ଗୋପାଳ ବୀରକୁ ଉଦ୍ଦେଶ୍ୟ କରି କହିଲା - “ଭାଇ, ଏ କଣ ! ମୁଁ ଶୁଣୁଚି କଟକରେ ଠାଏ ଠାଏ କଲେରା ଲାଗିଛି, ସାବଧାନ ।”

 

କଲେରା ନାମ ଶୁଣି ଅଳ୍ପବୟସ୍କ ଜଗନ୍ନାଥର ଅତିଶୟ ଭୟ ହେଲା । ସେ ବୀରର ନିକଟକୁ ଘୁଞ୍ଚି ଆସି ତାଙ୍କର ବସ୍ତ୍ରାଞ୍ଚଳଧରି ଭୟରେ କମ୍ପିତ ହେବାକୁ ଲାଗିଲେ । ଏକି ଭୟାନକ ସ୍ଥାନ, ଭାବିବାର ଅବସର ନଥାଏ । ବୀରର ଦୃଢ଼ ସାହସୀ ହୃଦୟ କ୍ଷଣକ ସକାଶେ ବିଚଳିତ ହୋଇଉଠିଲା ।

 

ବୀର ପୁନର୍ବାର ମୃତଦେହ ପରୀକ୍ଷା କରିବାକୁ ଲାଗିଲେ । ତାହାଙ୍କର ସନ୍ଦେହ - ସତରେ ମୃତ୍ୟୁ ହୋଇଛି କି ନାହିଁ । ନିଃଶ୍ୱାସ ପରୀକ୍ଷା କଲେ । ବକ୍ଷ-ସ୍ଥଳରେ ହସ୍ତ ଦେଇ ଦେଖିଲେ । ଜୀବନୀଶକ୍ତିର ସାମାନ୍ୟ ଆଭାସ ମଧ୍ୟ ପାଇଲେ ନାହିଁ । ତାହାଙ୍କର ପରୀକ୍ଷା କାର୍ଯ୍ୟ ସମାପ୍ତ ନୋହୁଣୁ ହଠାତ୍ ପବନର ଆଘାତରେ ସ୍ତିମିତ ଦୀପଟି ନିଭିଗଲା । ଘୋର ଅନ୍ଧକାର । ଯୁବକତ୍ରୟ କଣ କରିବେ ଭାବିପାରିଲେ ନାହିଁ । ପକେଟ୍‌ରେ ଦିଆସିଲି୍‌ର ସନ୍ଧାନ କଲେ ଦିଆସିଲି ନାହିଁ । ଅନ୍ଧକାରରେ ମୃତ ଦେହ ନିକଟରେ ଭୀତ ଜଗନ୍ନାଥର ମୃତ୍ୟୁ ଯନ୍ତ୍ରଣା ହେବାକୁ ଲାଗିଲା । ସେ କିଂକର୍ତ୍ତବ୍ୟବିମୂଢ଼ ହୋଇ କହିଲେ - ହୋଇ କହିଲେ - “ଚାଲ ବୀରବାବୁ, ଚାଲ ଯିବା ।”

 

ବୀର ମଧ୍ୟ ଭାବିବାକୁ ଲାଗିଲେ - କର୍ତ୍ତବ୍ୟ କଣ ? ମୁହୂର୍ତ୍ତକ ମଧ୍ୟରେ କର୍ତ୍ତବ୍ୟ ଅବବୋଧ କରି କହିଲେ - “ଏ ମଲାମଣିଷ । ଏଠାରେ ଅକାରଣ ସମୟ ନଷ୍ଟ ନ କରି ପିଲାଦୁଇଟିଙ୍କୁ ନେଇ ଆନାରେ ଖବର ଦେଲେ ହେବ ।” ବୀରର ପରାମର୍ଶ ଗ୍ରାହ୍ୟ ହେଲା । ଗୋପାଳ ବାଳିକାଦ୍ୱୟଙ୍କୁ ସମ୍ୱୋଧନ କରି ପଚାରିଲା - “ତୁମେ ଦୁହେଁ ଆମ ସଙ୍ଗରେ ଯିବ ତ ?”

 

ଜ୍ୟେଷ୍ଠାକନ୍ୟା କରୁଣ ସ୍ୱରରେ କାନ୍ଦିବାକୁ ଲାଗିଲା । ମାତାକୁ ପରିତ୍ୟାଗ କରି ଯିବାର ପରାମର୍ଶ ତାହାର କର୍ଣ୍ଣରେ ନିଷ୍ଠୁର ବଜ୍ରବାଣୀ ପରି ବୋଧ ହେଲା । ବନ୍ଧୁତ୍ରୟ ବହୁ କଷ୍ଟରେ କନ୍ୟା ଦ୍ୱୟଙ୍କୁ ବୁଝାଇ ସଙ୍ଗରେ ନେବାକୁ ଚେଷ୍ଟାକଲେ । କିନ୍ତୁ ବାଳିକା ଦ୍ୱୟ ମୌନ ଭାବରେ ଅଚଳ ରହିଲେ-। କାହାରି କଥା ଶୁଣିଲେ ନାହିଁ । ପୁର୍ବବତ୍ ରୋଦନ କରିବାକୁ ଲାଗିଲେ ।

 

ବୀରବାବୁ ଏବଂ ଜଗନ୍ନାଥଙ୍କର ହୃଦୟ ବାଳିକା-ଦ୍ୱୟର କରୁଣ କଣ୍ଠନିଃସୃତ ବିଳାପରେ ଏପରି ବିଚଳିତ ହୋଇଉଠିଲା ଯେ, ସେମାନେ ଅଶ୍ରୁ ସମ୍ୱରଣ କରିପାରିଲେ ନାହିଁ । ଗୋପାଳ କନ୍ୟାଟିକୁ ସାନ୍ତ୍ୱନା ଦେଇ ପଚାରିଲେ - “ତୁମର କ’ଣ ହୋଇଛି ? ଏଠି ଏପରି ଅବସ୍ଥାରେ ପଡ଼ିଛ କିଆଁ ?” ବାଳିକା ଗୋପାଳର ପ୍ରଶ୍ନରେ ରୋଦନ ସମ୍ୱରଣ କରି କହିଲା - “ବାବୁ, ବୋଉର କଣ ହୋଇଛି ! ଆମର କେହି ନାହିଁ । ମୋର ବା’ ନାହିଁ । କଣ ଖାଇବୁ ? ପଇସା ନାହିଁ । ଦୀପରେ ତେଲ ନାହିଁ ।” ଏହା କହି ଅତି ଅଧୀର ଭାବରେ ବାଳିକାଟି ପୁନଶ୍ଚ କାନ୍ଦିବାକୁ ଲାଗିଲା ।

 

କିଛିକ୍ଷଣ ପରେ ପୁଣି କହିଲା - “ବାବୁ, ବୋଉ ସଞ୍ଜ ବେଳଠୁ ଭାରି ଛଟପଟ ହୋଇ ପଡ଼ିଯାଇଛି । ଯେତେ ଡାକିଲିଣି - କଥା କହୁନି । କେତେ ହଲେଇଲିଣି - ଉଠୁନି । ହାତ ହଲଚଲ୍ କରୁନି, ଆଖି ଫିଟେଇ ଚାହୁଁନାହିଁ; ମୁଁ କଣ କରିବି ? ବୋଉ ଲୋ, ବୋଉ ଲୋ. . . . . .” ଏହା କହି ପୁଣି କାନ୍ଦିବାକୁ ଲାଗିଲା ।

 

ବୀର ପଚାରିଲେ - “ମୋ, ତୋ’ ବୋଉର କଣ ହୋଇଥିଲା, ମୋତେ କହ । ମୁଁ ମୋର ସାଧ୍ୟ ଅନୁସାରେ ଉପକାର କରିବି । ମୋତେ କିଛି ଲୁଚା ନାହିଁ; ସବୁ ଠିକ୍ କରି କହ ।”

 

ବାଳିକାଟି ଅନେକ ଆଶ୍ୱସ୍ତ ହୋଇ କହିଲା - “ବାବୁ ଆଜିକୁ ସାତଦିନ ହେବ ବୋଉକୁ ବଡ଼ ଜର ହେଉଥିଲା । ମୁଁ ଭାବିଲି - ତାର ବାତଜର ହୁଏ । ସେଇ ଜର ଅବା ହୋଇଥିବ । ଜର ଛାଡ଼ିଲା ନାହିଁ । ବୋଉ ବିଛଣାରେ ପଡ଼ି ବକୁଥାଏ । ଏଣୁ ତେଣୁ କଣ କହେ - କାନ୍ଦେ । ଆଜି ଦିନ ଦି’ଟାକୁ ମୁଁ ଯେନାଘରୁ ଆସି ଦେଖୁଛି - ବୋଉ ବେହୋସ ହୋଇ ପଡ଼ିଛି । ତାର ଅବସ୍ଥା ନାହିଁ । ଆଖି ଖୋଳା ଖୋଳା ଦିଶୁଚି । ସୁବାସୀ ବସି ତା’ ପାଖରେ କାନ୍ଦୁଛି । ବୋଉ ବୋଉ ବୋଲି କେତେ ଡାକିଲି । ଖାଲି ସେ କଣ ଦେଲି, ପାଣି ପିଇଲା । ମୋତେ ଅନାଇଲା, ଆଖିରୁ ଲୁହ ଗଡ଼ିଗଲା । ହାତ ଉଠାଇବାକୁ ହାତ ଟେକିଲା, ହେଲା ନାହିଁ । ମୋତେ ଭାରି କାନ୍ଦ ମାଡ଼ିଲା । ତାକୁ ଆଉଁଷି ଦେଲି । ଆଉଁଷି ଦେଉଁ ଦେଉଁ ସଞ୍ଜ ହେଲା । ସଞ୍ଜବେଳେ କଣ ହେଲା କେଜାଣି ବଡ଼ ଛଟପଟ ହେଲା । ଗଁ ଗଁ ହେଲା ପରି ହେଲା । ଠକ୍‌କିନି ରହିଗଲା । ଆଉ ଯେତେ ଡାକୁଛି ଶୁଣୁନାହିଁ, କଥା କହୁନି, ବକୁନି । ସେତିକିବେଳରୁ ଆଖି ଫିଟେଇ ଚାହୁନି । ବାବୁ, ବାବୁ, ମୋ ବୋଉ ସତରେ ଭଲ ହେବ ?” ବାଳିକାଟି ଅତି ଅଧୀର ଭାବରେ ଏତିକି କହି ପୁଣି କାନ୍ଦି ଉଠିଲା ।

ବୀର ଏଥର ଘଟଣା ବୁଝି ପାରିଲେ । କଣ କରିବେ ଭାବିପାରିଲେ ନାହିଁ । ବାଳିକା ଦୁଇଜଣଙ୍କୁ ତୁନି କରିବା ସ୍ଥଳରେ ପଚାରିଲେ - “ତୋର ନାମ କଣ ?”

ବାଳିକା କାନ୍ଦୁ କାନ୍ଦୁ ଉତ୍ତର ଦେଲା - “ମୋ ନାଁ ଶଶୀ ।” - ଏହା କହି ପୁଣି କାନ୍ଦିବାକୁ ଲାଗିଲା । ତିନିବନ୍ଧୁ ଯେତେ ବୁଝାଇଲେ, କାହିଁରେ କିଛି ହେଲା ନାହିଁ । ଶିଶୁଝିଅଟି ଚିରିଚିରେଇ କାନ୍ଦିଉଠିଲା ।

 

ବୀର ଓ ତାହାଙ୍କର ସଙ୍ଗୀଦ୍ୱୟ ସେମାନଙ୍କୁ ଯିବାକୁ ଡାକିଲେ; କିନ୍ତୁ କିଛି ଫଳ ହେଲାନାହିଁ-। କେହି ଉଠିଲେ ନାହିଁ । ବୋଉକୁ ଛାଡ଼ି ସେମାନେ ଯିବେ ନାହିଁ । ବନ୍ଧୁତ୍ରୟ ବୁଝାଇଲେ - ସେମାନଙ୍କର ବୋଉ ଆଉ ଜଗତରେ ନାହିଁ । ସେ ମରିଯାଇଛି । ଏହି ନିଷ୍ଠୁର ସତ୍ୟ ଜ୍ୟେଷ୍ଠା ବାଳିକାଟି ବୁଝିପାରିଲା । କ୍ଷଣକପରେ ସେ ବୁଝିପାରିଲା - ସେ ଅନାଥିନୀ । ତାହାର ଛୋଟ ଭଉଣୀ ସୁବାସୀକୁ ନେଇ ଆଜି ସେ ସଂସାରରେ ଏକାକିନୀ, ଆଶ୍ରୟହୀନା । ତାହାର ଦୃଢ଼ ଆଶ୍ରୟ ସ୍ନେହମୟୀ ବୋଉ ଆଉ ଜଗତରେ ନାହିଁ । ତାହାର ମୁଣ୍ଡ ଘୂରିବାକୁ ଲାଗିଲା । ଚତୁର୍ଦ୍ଦିଗ ଅନ୍ଧକାର ଦେଖାଗଲା । ବାଳିକା ହତାଶ ହୋଇ ଭାବିଲା “ସତେ ମହାପୁରୁ ଏପରି କଲେ । ଆଜି ଏତେ ବଡ଼ ସଂସାରରେ ତାଙ୍କର କେହି ନାହିଁ । ଆହା ପଦେ ତାଙ୍କ ପାଇଁ କହିବା ଲୋକ କେହି ନାହିଁ । ସେ ଅବଶ ଅଚଳ ପ୍ରସ୍ତର ମୂର୍ତ୍ତିପରି ମାତାର ମୃତଦେହ ନିକଟରେ ପଡ଼ିରହିଲା । ଆଗନ୍ତୁକ ଭଦ୍ରବ୍ୟକ୍ତିମାନେ ତାହାର ଦୃଷ୍ଟିରେ ଦେବଲୋକର ଦେବତାପରି ଦେଖାଗଲେ । ବାଳିକା ଅତିରିକ୍ତ ଦୁଃଖରେ ମୂକ ଶିଳାପରି ଅଚଳ ହୋଇ ରହିଗଲା । ସେହି ନିବିଡ଼ ଅନ୍ଧକାର ଭିତରେ ବାଳିକାଟୁ ମାତୃଦେହକୁ ଆବୋରି ବସିରହିଲା । ସମସ୍ତେ ଡାକିଲେ । ସେ କିନ୍ତୁ କିଛି ଶୁଣିବାକୁ ନାରାଜ ।

 

ବୀରବାବୁ ଦେଖିଲେ, ଉପାୟ ନାହିଁ । ଦୁରରୁ ଘଣ୍ଟା ଶବ୍ଦ ଶୁଣାଗଲା । ଠନ୍ ଠନ୍ କରି ନଅଟା ବାଜିଲା । ରାତ୍ରି ଅଧିକ ହେବାରୁ ବୀରବାବୁ, ଗୋପାଳ ଓ ଜଗନ୍ନାଥକୁ କହିଲେ - “ଯାଅ, ଗାଆଁରୁ କାହାକୁ ଡାକି ଆଣ । ଏଠି ଠିଆ ହୋଇ ରହିଲେ ଉପାୟ ନାହିଁ । ମୁଁ ପିଲାଙ୍କ ପାଖରେ ଅଛି ।” ବୀର ସାହସୀ । ମନେ ମନେ ଈଶ୍ୱରଙ୍କୁ ଡାକି ଦୃଢ଼ଭାବରେ ଠିଆହୋଇ ରହିଲେ । ଗୋପାଳ ଓ ଜଗନ୍ନାଥ ଗ୍ରାମକୁ ଗଲେ ।

 

ବହୁ କଷ୍ଟରେ ଗ୍ରାମରୁ ଜଣେ ଦୁଇଜଣ ଆଲୋକ ନେଇ ଆସିଲେ । ଅନେକ ଅନୁନୟ ହେଲା ପରେ ବିରକ୍ତ ହୋଇ ବୃଦ୍ଧା ସ୍ତ୍ରୀଲୋକଟିଏ ବଳପୂର୍ବକ ଶଶୀକୁ ତାହାର ମାତା ନିକଟରୁ ଟାଣି ଆଣିଲା । ଶଶୀର ବାହାର ଜ୍ଞାନ ନାହିଁ । ବହୁକଷ୍ଟ, ଅନାହାର ଓ ଅନିଦ୍ରାରେ ତାହାର ଶରୀର ଅବସନ୍ନ ହୋଇ ପଡ଼ିଥିଲା । ବର୍ତ୍ତମାନ ମାତାର ନିଶ୍ଚିତ ମୃତ୍ୟୁ କଥା ଜାଣିପାରି ସେ ଜ୍ଞାନହୀନା ଭାବରେ ଶୂନ୍ୟ ଦୃଷ୍ଟିରେ ସବୁ ଦେଖିବାକୁ ଲାଗିଲା । ତାହାର ଶୀର୍ଣ୍ଣ କପୋଳ ଉପରେ ଆୟୁର କ୍ଷୀଣ ଶୁଷ୍କରେଖା ଦେଖାଯାଉଥିଲା । ଚକ୍ଷୁ କୋଟରଗତ, ବିଷାଦଭରା । ଶିଶୁ ସୁବାସୀ କାନ୍ଦି କାନ୍ଦି ଶୋଇ ପଡ଼ିଥିଲା । ବର୍ତ୍ତମାନ ଲୋକ କୋଳାହଳରେ ଜାଗ୍ରତ ହୋଇ ଦେଖିଲା - ଘର ଲୋକପୂର୍ଣ୍ଣ, ସେ କିଛି ବୁଝି ପାରିଲା ନାହିଁ । ଶୀର୍ଣ୍ଣ ହସ୍ତ ହୟରେ ଜ୍ୟେଷ୍ଠାଭଗ୍ନୀର ବସ୍ତ୍ରାଞ୍ଚଳ ଦୃଢ଼ଭାବରେ ଧରି ରହିଲା । କ୍ଷୁଦ୍ର ଶିଶୁ, ସେ କିପରି ଜାଣିବ - ଆଜି ସେ କି ମହାରତ୍ନ ହରାଇ ବସିଚି ! ସମସ୍ତଙ୍କ ମୁଖକୁ ଚାହିଁ ନ ବୁଝିଲା ବିସ୍ମୟରେ ସେ ମୂକ ହୋଇ ରହିଲା । କେହି ତାହା ଆଡ଼କୁ ଅନାଇଲେ ନାହିଁ ।

 

କିଛିକ୍ଷଣ ପରେ ପୂର୍ବୋକ୍ତ ବୃଦ୍ଧା ସ୍ତ୍ରୀଲୋକଟି ବାଳିକାଦ୍ୱୟଙ୍କୁ ଘରୁ ବାହାରି ଆସିବାକୁ ଆଦେଶ ଦେଲା । ବେନୁ ମାଆର ଆଦେଶ ଶଶୀ ଭାଙ୍ଗି ପାରିଲା ନାହିଁ । ବାହାରକୁ ଆସିଲା । ପାଷାଣ କଠିନ ହୃଦୟରେ ମାତାର ସେହି ସ୍ନେହମୟ ବଦନ ପ୍ରତି ଶେଷଥର ପାଇଁ ଦୃଷ୍ଟିପାତ କଲା-। ତାର ସମଗ୍ର ଶରୀର ଘର୍ମାକ୍ତ ହୋଇଉଠିଲା । ଆଖିରୁ ଟପ୍ ଟପ୍ ହୋଇ ଲୁହ ଝରିବାକୁ ଲାଗିଲା-। ଲୁଗାକାନିରେ ଲୁହ ପୋଛିଦେଇ ବାଳିକାଟି ବାହାରକୁ ଆସି ଦେଖିଲା, ପୂର୍ବୋକ୍ତ ଯୁବକତ୍ରୟ ତାହାର ଓ ତା ଭଉଣୀର ଅପେକ୍ଷାରେ ରହିଛନ୍ତି ।

 

ସେ ବାହାରକୁ ବାହାରିଲା ମାତ୍ରେ ବୀରବାବୁ ଅଗ୍ରସର ହୋଇ କହିଲେ - “ଶଶି, ଏ ଘର ଛାଡ଼ିବାକୁ ହେବ । ମୁଁ ତତେ ଯେଉଁଠିକି ନେଇଯିବି ସେଠାକୁ ଯିବାକୁ ହେବ । ନୋହିଲେ ଆମେ ଯାଉଛୁ ।” ବୀରବାବୁଙ୍କ ଧ୍ୱନି ଶଶୀ କର୍ଣ୍ଣକୁ ବଡ଼ କରୁଣ ଓ ନିଷ୍ଠୁର ବୋଧହେଲା । ସେ ବିଷାଦଶୀର୍ଣ୍ଣ ମୁଖ ଟେକି ଓ ଚକ୍ଷଦ୍ୱୟ ବିସ୍ଫାରିତ କରି ବୀରବାବୁଙ୍କ ମୁଖକୁ ନିରୀକ୍ଷଣ କଲା ।

 

ପୁନର୍ବାର ବୀରବାବୁ କହିଲେ - “ଶଶି, ଆସେ, ନୋହିଲେ ଆମ୍ଭେମାନେ ଯାଉଛୁ ।” ଏଥର ବାଳିକାଟି ପାଟି ଫିଟେଇଲା । ବିଷାଦ-ବିଧୁର କଣ୍ଠରେ କହିଲା - “ବାବୁ, ମୋ ବୋଉ ଏଠି ପଡ଼ି ରହିଥିବ ?” ବାଳିକାର କରୁଣ କଣ୍ଠ ବଡ଼ ମର୍ମସ୍ପର୍ଶୀ । ତାହା ଯୁବକତ୍ରୟର କୋମଳ ହୃଦୟର ସବୁଠାରୁ କୋମଳ ତନ୍ତ୍ରୀରେ ଆଘାତ କଲା । ସେମାନେ ସହାନୁଭୂତିରେ ବିଗଳିତ ହୋଇଉଠିଲେ-। ବୀର ସାନ୍ତ୍ୱନ ପୂର୍ବକ କହିଲେ - “ନାହିଁରେ, ତୋ ବୋଉର ବ୍ୟବସ୍ଥା ଆମେ କରିବା । ତୁ ଚାଲ୍ । ତୁମ ଦୁଇଜଣଙ୍କୁ ଆମେ ସାଙ୍ଗରେ ନେଇଯିବୁ ।”

 

ଅଗତ୍ୟା ବାଳିକା ବାଧ୍ୟ ହୋଇ ସମ୍ମତ ହେଲା । ଚିରଦିନର ବିଷାଦ-ସ୍ମୃତିବିଜଡ଼ିତ ସେହି ଭଗ୍ନ କୁଟୀରକୁ ଫେରି ଅନାଇଲା । ଆଉ ସେଠାରେ ତାହାର ସ୍ଥାନ ନାହିଁ । ଆଜି ହୁଏତ ତାର ସେହି ଆବାଲ୍ୟ ଆଦରର କୁଡ଼ିଆ ଖଣ୍ଡି ଚିରକାଳ ପାଇଁ ଛାଡ଼ି କେଉଁ ଅଜଣା ରାଇଜକୁ ଯିବାକୁ ହେବ । ଏତେ ଦୁଃଖରେ ସୁଦ୍ଧା ବାଳିକାର ପ୍ରାଣରେ ମମତା ପ୍ରବଳ ହୋଇ ଉଠିଲା । ସେ ବାକ୍‌ଶକ୍ତିହୀନ ହୋଇ ଭଗ୍ନୀକୁ ଧରି ଠିଆ ହୋଇ ରହିଲା ।

 

କେଉଁ ଆଡ଼େ ଯିବ ତାହାକୁ ବୁଦ୍ଧି ଦିଶିଲା ନାହିଁ । ସେ ଜାତିରେ ଗୋପାଳ । ଆଜିକୁ ୫ ବର୍ଷ ତଳେ ତା’ ଭଉଣୀର ଜନ୍ମର ଠିକ୍ ମାସକ ପରେ ତାହାର ସ୍ନେହମୟ ପିତା ପରିବାରକୁ ଦୁଃଖସାଗରରେ ଭସେଇ ଲୁଚିଗଲେ । ଆଜି ତାର ଏକମାତ୍ର ଭରସା ମାଆ ମଧ୍ୟ ସେହି ବାଟ ଧରିଲା । ଆଜି ଏତେବଡ଼ ଦୁନିଆଁରେ ତାହାର ଆପଣାର କେହି ନାହିଁ । ଯେତେ ଅଧିକ ଭାବୁଥିଲା - ଏଇ କଥାଟି ତା’ ପ୍ରାଣର ସୂକ୍ଷ୍ମତନ୍ତ୍ରୀକୁ ସେତିକି ଦୋହଲେଇ ଦେଉଥିଲା । ବାଳିକାଟି ସମସ୍ତ ବିଶ୍ୱକୁ କେବଳ ସେହି ‘କେହିନାହିଁ’ ସେ ପରିପୂର୍ଣ୍ଣ ବୋଲି ଭାବିନେଲା । ବାସ୍ତବିକ୍ ଚାରି ଆଡ଼େ ଜଗତ୍‌, ଅନନ୍ତ ଜଗତ୍ । ଆପଣାର ସବୁ ସୁଖ, ସୌନ୍ଦର୍ଯ୍ୟ ଓ ବିଳାସିତାର ଅନନ୍ତ ପ୍ରସାର ମେଲାଇ ଏକ ଅଦ୍ଭୁତ ବିପଣି ପରି ବିସ୍ତୃତଭାବେ ସୁସଜ୍ଜିତ । ଅଥଚ କ୍ଷୁଦ୍ର ଦୀନା ବାଳିକା ଶଶୀର ଆଜି କେହି ନାହିଁ । ଶଶୀ ଆକାଶ ଆଡ଼କୁ ଦୃଷ୍ଟିପାତ କଲା । ଦେଖିଲା - ଆକାଶ ଅନ୍ଧକାର । କେବଳ ଗୋଟିଏ ଦିଓଟି ତାରା ସେ ଅନନ୍ତ ଘନାନ୍ଧକାରରେ ଜଳଜଳ ହୋଇ ଜଳୁଚନ୍ତି । ହାୟ - ଆଜି ତାର ମାତା କେଉଁଠାରେ ? ଏହି ଅପୂର୍ବ ରହସ୍ୟମୟ ଆକାଶର ନିବିଡ଼ ଅନନ୍ତ ଶୂନ୍ୟରେ ବୋଧହୁଏ ମିଳାଇଗଲେ ।

 

ବାଳିକା କ୍ଷୁବ୍‌ଧ ନୟନରେ ଏଣେ ତେଣେ ଚାହିଁଲା । ସମ୍ମୁଖରେ ଯୁବକତ୍ରୟ । ଏତେକ୍ଷଣ ପରେ ସେ ସ୍ପଷ୍ଟ ରୂପେ ତିନିଜଣଙ୍କୁ ଦେଖି ପାରିଲା । ସ୍ନେହମୟ ବନ୍ଧୁ ପରି ସେହି କୃଷ୍ଣକାୟ ସୁଦୀର୍ଘ ଦେହ ବଳିଷ୍ଠ ଯୁବକ । ତାଙ୍କ ସାଙ୍ଗ ପ୍ରଫୁଲ୍ଲବଦନ, ଆଉ ଜଣେ ତାରିଆଡ଼କୁ ସକରୁଣ ନିବିଷ୍ଟ ଆଖିରେ ଚାହିଁ ରହିଛନ୍ତି । ତୃତୀୟ ଜଣକ ଅପେକ୍ଷାକୃତ ଅଳ୍ପବୟସ୍କ । ଶଶୀ ଆଗ୍ରହ ମିଶା ବିସ୍ମୟରେ ତିନିଜଣଙ୍କୁ ଦେଖିବାକୁ ଲାଗିଲା । ଦେଖିଲା - ସେହି ଅଳ୍ପ ବୟସ୍କ ତରୁଣଟି ତାହାରି ମୁହଁକୁ ଏକଧ୍ୟାନରେ ଚାହିଁ ରହିଚନ୍ତି । ଚକ୍ଷୁ ଅଶ୍ରୁପର୍ଣ୍ଣ । ସେହି ଅବ୍ୟକ୍ତି ସହାନୁଭୂତି ଶଶୀର ଅନ୍ତରକୁ ଛୁଇଁଗଲା । ସେ କିଛି ଗୋଟାଏ ଅନୁଭବ କଲା ସତ୍ୟ; କିନ୍ତୁ ତାର ସ୍ୱରୂପ ବୁଝି ପାରିଲାନି ।

 

କିଛି ସମୟ ପରେ ବୀରବାବୁ ଦୁଇ ଭଉଣୀ ଓ ଦୁଇ ସାଙ୍ଗଙ୍କୁ ଯିବାପାଇଁ ନିର୍ଦ୍ଦେଶ ଦେଲେ । ବାଳିକାଟି ସାନଭଉଣୀର ହାତଧରି ମନ୍ତ୍ରମୁଗ୍‌ଧ ପରି ସେମାନଙ୍କ ପଛେ ପଛେ ଚାଲିଲା । ସତେ, ସେମାନେ ତାର କିଏ ? କେଉଁ ଅଜଣା ସ୍ୱର୍ଗଲୋକର ଦେବତା । ମମତାର ମୋହରେ ତାକୁ ବାନ୍ଧିଦେଇଚନ୍ତି । ପଛରେ ମାଆର ମୃତପିଣ୍ଡ । ଆଗରେ ଭରସାର ଅସ୍ପଷ୍ଟ ଆଲୋକ । ଶଶୀ କ୍ଷଣକ ପାଇଁ ଆତ୍ମବିସ୍ମୃତା ହୋଇ ଅସ୍ଫୁଟ ଧ୍ୱନିରେ କହିଲା - “ମହାପ୍ରଭୁ !” ଦୁଇଧାର ଲୁହ ତା’ ଆଖିରୁ ବୋହିଗଲା । କିନ୍ତୁ ପରକ୍ଷଣରେ ଦେଖିଲା, ସେହି ଅଳ୍ପବୟସ୍କ ଯୁବକ ତାହାର ହାତକୁ ନିଜ ହାତରେ ଧରି ତା’ ଆଖିରୁ ଲୁହ ପୋଛିଦେଲେ । ଶଶୀର ହୃଦୟ ଅନବବୋଧ୍ୟ ସ୍ନେହ ଓ ଭକ୍ତିରେ ନତ ହୋଇପଡ଼ିଲା । ସେ କିଛି ବୁଝି ପାରିଲା ନାହିଁ ।

 

ସେଦିନ ରାତି ପ୍ରାୟ ୧୨ଟା ବେଳେ ଜଗନ୍ନାଥ ଘରକୁ ଫେରି ଆସିଲେ । ନିଜ କୋଠରୀର ଖଟରେ ଲମ୍ବହୋଇ ପଡ଼ିଗଲେ । ଦେହରେ ଅପରିସୀମ କ୍ଳାନ୍ତି, ମନରେ ଅନ୍ତହୀନ ଭାବନା । ଦୁଃଖରେ ଓ କ୍ଷୋଭରେ ଜଗନ୍ନାଥ ଭାବିଲେ - ମଣିଷର ଜନ୍ମ ଓ ମୃତ୍ୟୁର

 

ରହସ୍ୟ । ଜନ୍ମ ତାଙ୍କୁ ଯେତିକି ବିସ୍ମିତ ବୋଧହେଲା, ମୃତ୍ୟୁ ସେତିକି ପରିମାଣରେ ତାଙ୍କୁ ଅଭିଭୂତ କଲା । ଶଶୀ ଓ ସୁବାସୀର ବିଷୟ ଘନ ଘନ ମନେପଡ଼ିଲା । ସେହି ସୁନ୍ଦରୀର ଗଭୀର ଶୋକମଳିନ ମୁଖଚ୍ଛବି ଜଗନ୍ନାଥର ହୃଦୟପଟ୍ଟରେ ଏକ ଅପୂର୍ବ ଆବେଗ ସୃଷ୍ଟି କଲା । ଜଗନ୍ନାଥ ନିଜେ ବୁଝିପାରିଲେ ନାହିଁ କାହିଁକି ?

 

ତୃତୀୟ ପଟ

 

ଧନ୍ୟ ସେ ସଂସାର ଆତ୍ମୀୟ ବାନ୍ଧବ ମଧ୍ୟେ ସ୍ନେହ ଯହିଁ ସାର ।

 

ଜୁଲାଇ ମାସ । ବର୍ଷା ଝର ଝର ବର୍ଷି ଯାଉଛି । ଚାଳରୁ ଅବିରତ ପାଣି ଖସି ପଡ଼ୁଛି । ସେଇ ଦୃଶ୍ୟକୁ ନିରୀକ୍ଷଣ କରି ଗୋଟିଏ ଆରାମଚଉକି ଉପରେ ଶଶୀ ଅର୍ଦ୍ଧଶାୟିତା ଭାବରେ ବସି ରହିଚି-। ବୟସ ଅନ୍ୟୂନ ଚଉଦ । ହାତରେ ଏମ୍ବ୍ରଏଡ଼ରୀର ସିଲାଇ ଛୁଞ୍ଚି ।

 

ଶଶୀ ସିଲାଇ କାର୍ଯ୍ୟରେ ମନୋନିବେଶ କଲା । କ୍ଷୁଦ୍ର ଚମ୍ପାକଢ଼ପରି ଆଙ୍ଗୁଳିଗୁଡ଼ିକ ଛୁଞ୍ଚି ଓ ସୂତା ସହିତ ଖେଳିଲା ପରି ଜଣ ଯାଉଥିଲା । ଶଶୀର ମୁହଁ ବଡ ସୁନ୍ଦର, ବଡ଼ କୋମଳ, କରୁଣ ସ୍ନିଗ୍‌ଧ ଜ୍ୟୋତି−ପୂର୍ଣ୍ଣ । ଭସା ଭସା ଚକ୍ଷୁ ଦୁଇଟିରେ ତରଳ ଚାହାଣୀ ।

ଆଭାଦୀପ୍ତ ଗଣ୍ଡଫଳକ । କ୍ଷୁଦ୍ର ବିମ୍ବାଧର ନିର୍ଦୋଷ ଅଥଚ ସୁନ୍ଦର । ତରୁଣ ଯୌବନର ବିଳାସ ଓ ଚାଞ୍ଚଲ୍ୟ ଆଜିପର୍ଯ୍ୟନ୍ତ ସେହି ସୁନ୍ଦର କଟାକ୍ଷ କଳଙ୍କିତ କରିନାହିଁ । ଶଶୀ ଥରେ ଥରେ ସିଲଇ କାର୍ଯ୍ୟକୁ ଥରେ ଥରେ ପତିତ ବର୍ଷାଧାରାକୁ ଚାହୁଁଥାଏ । ଗୃହର ବାରଣ୍ଡାଟି ପକ୍‌କା ସିମେଣ୍ଟ୍ । ଘରଟି ବଙ୍ଗଳା ଧରଣର କ୍ଷୁଦ୍ର; କିନ୍ତୁ ପରିଷ୍କାର । ସିମେଣ୍ଟ ଚଟାଣରେ କୌଣସି ଚିହ୍ନ ଦେଖାଯାଉ ନଥିଲା ।

 

ଶଶୀର ପରିଧାନ ଖଣ୍ଡେ ଅଳ୍ପଦାମ୍‌ର ବିଲାତି ଶାଢ଼ୀ ଏବଂ ଭିତରେ ଖଣ୍ଡେ କାଞ୍ଚଲା । ସାଧାରଣ ଖ୍ରୀଷ୍ଟିୟାନ ଘର ବାଳିକାମାନଙ୍କର ପରିଚ୍ଛଦ । ପୂର୍ବେ ଆଜିକାଲିକାପରି ଜାକେଟ୍ ସେମିଜ୍, ପେଟିକୋଟ୍ର ଆଦର ସେତେ ନଥିଲା । ବିଶେଷ ପ୍ରୟୋଜନ ନଥିଲେ ସେ ସବୁ ପ୍ରାୟ କେହି ବ୍ୟବହାର କରୁ ନଥିଲେ ।

 

ବର୍ଷା ଝର ଝର ବର୍ଷି ଯାଉଥିଲା । ଚାଳରୁ ଖସି ଭୂମି ଉପରେ ଶତହୀରକ ଖଣ୍ଡପରି ଚୂର୍ଣ୍ଣବିଚୂର୍ଣ୍ଣ ହୋଇ ଫେନାୟିତ ବୁଦ୍‌ବୁଦ୍ ଆକାରରେ ଫୁଟି ଉଠି ପୁଣି ମିଳଇ ବହି ଯାଉଥିଲା । ଶଶୀ ସେହି ବୁଦ୍ ବୁଦ୍ ରାଶି ପ୍ରତି ଦୃଷ୍ଟିପାତ କରୁ କରୁ ମାନବ ଜୀବନକୁ ବୁଦ୍‌ବୁଦ୍ ସଙ୍ଗେ ତୁଳନା କରୁଥିଲା । ଆଜିକୁ ଅଢ଼େଇ ବର୍ଷତଳେ ସେ କେଉଁଠି ଥିଲା । ସେ ଦୀନହୀନ ଜୀର୍ଣ୍ଣ କୁଟୀର । ଭଗ୍ନୀ ସୁବାସୀ ସହିତ ମାଆ ତାର କେତେ ଆନନ୍ଦରେ ସେ କୁଟୀର ମଣ୍ଡୁଥିଲା । ଶାନ୍ତିରେ ଉଜ୍ଜ୍ୱଳ ହୋଇ ଉଠୁଥିଲା-। ମାତାର ମୃତ୍ୟୁ ଚନ୍ତା ଶଶୀର ମନରେ ପୂର୍ବପରି ଗଭୀର ଭାବରେ ଆଘାତ କରି ଏକ ଅବ୍ୟକ୍ତ ଦୁଃଖଭାବର ଅବତାରଣା କଲା । ମାଆର ସେଇ ଅତି ପରିଚିତ ମୁହଁଟି ତା’ଆଖି ଆଗରେ ଦେଖାଗଲା । ଶଶୀ ଦୁଃଖରେ ଅଭିଭୂତ ହୋଇପଡ଼ିଲା ।

 

ଦିନ କାହାର ରହେ ? ଦିନ ଚାଲିଯାଏ; କିନ୍ତୁ ଦିନ ସମସ୍ତଙ୍କର ସମାନଭାବରେ ଯାଏ ନାହିଁ । କେବେ ଦିଃଖ, କେବେ ସୁଖ । ହସ କାନ୍ଦର ଗୋଳାଗୋଳି ଭିତରେ ଦିନ ଅତିକ୍ରାନ୍ତ ହୁଏ । କାହାକୁ ଅପେକ୍ଷା ରଖେନି । କାହାର ସୁବିଧା ବୁଝେ ନାହିଁ । ମଣିଷ ଜୀବନରେ କେତେ ପରିବର୍ତ୍ତନ, କେତେ ଭଙ୍ଗା ଗଢ଼ାର ଇତିହାସ - ଦିନ ତାଆରି ମୂକସାକ୍ଷୀ ଭାବରେ ରହିଯାଏ । କାଳ ଅନନ୍ତ, ଅସୀମ । ସାଧାରଣ ମଣିଷର ସୀମିତ ଜୀବନକାଳ ପାଇଁ ତାର ଗତି ଅତି ଦ୍ରୁତ ବୋଧହୁଏ ।

 

ଶଶୀ ଓ ସୁବାସୀର ମଧ୍ୟ ଦିନ ଚାଲି ଯାଉଛି । ଆଜି ସେ ଦିହେଁ ଜୀର୍ଣ୍ଣ ବସ୍ତ୍ର ପରିହିତା ପୂର୍ବର ଗୋପାଳ ବାଳିକା ଶଶୀ ଓ ସୁବାସୀ ନୁହନ୍ତି । ସେମାନେ ବୀର ବିକ୍ରମଜେନାଙ୍କ ପରିବାରଭୁକ୍ତ । କନ୍ୟା ଓ ଭଗ୍ନୀ ସ୍ନେହରେ ପ୍ରତିପାଳିତା । ସେମାନଙ୍କୁ ପଦେ କଟୁକଥା କହିବାର କାହାର ସାହସ ନାହିଁ । ଲାବଣ୍ୟ ପ୍ରତିମା, ଚମ୍ପକବରଣା, ଉଜ୍ଜ୍ୱଳଚକ୍ଷୁବିଶିଷ୍ଟା ଶଶୀ - ଶାନ୍ତ । ଶଶୀ ଆଉ ଚପଳା ବାଳିକା, ସୁବାସୀ - ସୁହାସିନୀର ନାମାନ୍ତର ପାଇଛନ୍ତି ।

 

ବୀରବାବୁଙ୍କ ପିତା ଜେମସ୍ ଜେନା ଛାପାଖାନାରେ କାର୍ଯ୍ୟ କରି କୋଡ଼ିଏ ଟଙ୍କା ମାସିକ ବେତନ ପା’ନ୍ତି । ତାଙ୍କ ପରିବାରରେ ତାଙ୍କର ଦୁଇ ପୁତ୍ର ବୀର ଓ ଶରତ୍‌ଚନ୍ଦ୍ର, ଆଉ କନ୍ୟା ଭାନୁମତୀ ଛଡ଼ା ତାଙ୍କ ସ୍ତ୍ରୀ ସୁମତି ଓ ବୃଦ୍ଧ ପିତା ମାତା । ଜେମସ୍ ବାବୁ ସଚଳ । ପୁତ୍ର ଦୁହେଁ ସର୍ଭେ ଇଲାକାରେ କାର୍ଯ୍ୟ କରନ୍ତି । ଏଣେ ସ୍ତ୍ରୀ ଓ କନ୍ୟା ଅବସର ସମୟରେ ସିଲାଇ କାର୍ଯ୍ୟ କରି କିଛି କିଛି ରୋଜଗାର କରନ୍ତି । ଭାନୁମତୀ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ । ସମସ୍ତେ କର୍ମଠ, ଆତ୍ମନିର୍ଭରଶୀଳ । ଏହା ବ୍ୟତୀତ ବାଡ଼ିବଗିଚା ଧାନଜମିରୁ ବି କିଛି ବାର୍ଷିକ ଆୟ ହୁଏ । ବରଷକ ଭାତ ଓ ଲୁଗାର ଭାବନା କରିବାକୁ ପଡ଼େନା ।

 

ସେତେବେଳେ ଆଜିପରି ଏତେ ଅଭାବ ନ ଥିଲା । ଲୋକେ ଖାଦ୍ୟ ଅଭାବରେ ରାସ୍ତାକଡ଼ରେ ମରି ଶୋଉ ନ ଥିଲେ କିମ୍ବା ଟଙ୍କାରେ ତିନିସେର ଚାଉଳ ହେବ ବୋଲି କେହି କଳ୍ପନା ବି କରି ନ ଥିଲେ-। ମିଶ୍ ନାରୀମାନେ ଖ୍ରୀଷ୍ଟିୟାନ୍ ମାନଙ୍କୁ ସ୍କୁଲରେ ପାଠ ପଢ଼ାଇ ବିବାହ ଦେଇ ଘରଦ୍ୱାର ଓ ଜମିବାଡ଼ି କରିଦେଉଥିଲେ । ଜେମସ୍ ବାବୁଙ୍କର ପିତା ମାତା ସେହି ସୁବିଧାର ସୁଯୋଗ ନେଇଥିଲେ ।

 

ବୀରବାବୁ ଓ ଶରତଚନ୍ଦ୍ର ଉଭୟେ ଅବିବାହିତ ଥିଲେ । ସେମାନେ ପିତାମାତା ଓ ଗୁରୁଜନମାନଙ୍କର ବଡ଼ ବାଧ୍ୟ ଥିଲେ । କିନ୍ତୁ ଚଗଲା ଶରତ ଗୋସେଇଁ ମା ବୁଢ଼ୀ ଅଣ୍ଟାରେ ପଇସା ରଖିଦିଏ ନାହିଁ । ପୁଆପିଠାର ଭକ୍ତ ଶରତ ନିଜ ରୋଜଗାରତକ ନିଜ ପିତାମାତାଙ୍କ ହାତରେ ନ ଦେଇ ଗୋସେଇଁମା ହାତରେ ଦିଏ । ସେଥିପାଇଁ ବୁଢ଼ୀ ଉପରେ ତାର ଷୋଳପଣି ଅଧିକାର । ବୁଢ଼ୀର ଇଚ୍ଛା ଶରତ ପୁଆପିଠାର ଭକ୍ତ ନ ହୋଇ ପଇସାର ଭକ୍ତ ହେଉ ।

 

ବୁଢୀ ଥରେ ଥରେ ଲୋଭ ଦେଖାଇ କୁହନ୍ତି “ତୋ ବୋଉ ପାଇଁ ସୁନା ପଇଁଚ କରିବୁ-। ଟଙ୍କା ରଖ-।” ଶରତ ଶୁଣି ହସି ହସି ଉତ୍ତର ଦିଏ “ତୁ ସୁନା ପଇଁଚ ପିନ୍ଧିବାକୁ ଇଚ୍ଛା କରୁଛୁ, ଦେଖୁଛି ।” ବୁଢ଼ୀମା ଯଦି ବିରକ୍ତ ହୁଅନ୍ତି - ମା କୁହନ୍ତି - “ଶରରେ, ସାନ୍ତମା ବୁଢ଼ୀଲୋକ । ତାଙ୍କୁ ବିରକ୍ତ କରନା ।”

 

ଶରତ ପୁନର୍ବାର ହସି ହସି ଉତ୍ତର ଦିଏ - “ମା, ତୁ ଜାଣିନାହୁଁ । ସେ ମୋ ଘରଣୀ । ତା ହାତରେ ପଇସା କଉଡ଼ି ରହିଲା । ଆଉ କାହାକୁ ମାଗିବ ? ତୋର ସେଥିକି ମୁଣ୍ଡ ବଥା ଟିକିଏ କମ୍ ହେବା ଭଲ ।”

 

ଶରତ ଚପଳ ସ୍ୱଭାବ ହେଲେ ବି ଦୁଷ୍ଟ ନୁହେଁ । ଚାକିରୀ ଭିତରେ ବାଡ଼ି ବଗିଚା ଓ ଗୋରୁ ଗାଈର ମଧ୍ୟ ତତ୍ତ୍ୱ ନିଏ । ସେଥିପାଇଁ ପକ୍ଷପାତିନୀ ବୃଦ୍ଧା ଲୁଚେଇ ଲୁଚେଇ ଶରତପାଇଁ ନାନାପ୍ରକାର ଭୋଜନ ଦ୍ରବ୍ୟ ଆୟୋଜନ କରିଥାନ୍ତି । କିନ୍ତୁ ନାତୁଣୀ ଭାନୁମତୀ ସେ ସବୁର ସନ୍ଧାନ ପାଇବାମାତ୍ରେ ବୃଦ୍ଧା ସପ୍ତମ ସ୍ୱରରେ ଚିଡ଼ି ଉଠନ୍ତି । ବୃଦ୍ଧ ଯୋହନ୍ ଜେନା ନାତୁଣୀର ଏ ଦୁର୍ଦ୍ଦଶା ସହ୍ୟ କରି ନ ପାରି ବେଳେବେଳେ ତା’ପକ୍ଷ ନିଅନ୍ତି । ବାଧ୍ୟ ନାତୁଣୀ ମଧ୍ୟ ‘ସ୍ୱୋପାର୍ଜିତ ସମସ୍ତ ଅର୍ଥ ବୃଦ୍ଧ ସାନ୍ତ ବାପର ଲୌହ ସିନ୍ଦୁକରେ ରକ୍ଷା କରିବାକୁ ଭୁଲେନାହିଁ । ବୃଦ୍ଧ ବହୁ ଯନ୍ତ୍ରରେ ନାତୁଣୀ ପାଇଁ ନାନାଦି ଖାଦ୍ୟ ଦ୍ରବ୍ୟ ଆୟୋଜନ କରି ରଖିଥା’ନ୍ତି । କିନ୍ତୁ ଦୁଷ୍ଟ ଶରତ ବୃଦ୍ଧା ସା’ନ୍ତମାଆର ସୁପରାମର୍ଶ ଅନୁସାରେ ସେଥିରୁ ଅଧେ ଆତ୍ମସାତ୍ କରିଥାଏ । ଭାନୁମତୀ ତାହା ବୁଝିପାରି ସଂଧ୍ୟା ସମୟରେ ବୃଦ୍ଧର ପଦ ମର୍ଦ୍ଦନ କରୁକରୁ ଆତ୍ମଦୁଃଖ ନିବେଦନ କରେ । ତଳ ଉପର ଭାଇଭଉଣୀଙ୍କର କେବେ ପଡ଼େନି । ପରସ୍ପର ନାମରେ ବୁଢ଼ା ବୁଢ଼ୀ ଆଗରେ ଗୁହାରି କରିବା ସେମାନଙ୍କର ନିତ୍ୟ ବ୍ୟବସାୟ । ଗୁହାରି ଫଳରେ ବୁଢ଼ା ବୁଢ଼ୀଙ୍କର ସ୍ନେହ କଳହ ଲାଗେ । ନାତି ନାତୁଣୀ ତାହା ଦେଖି ଆନନ୍ଦରେ ଅଧୀର ହୁଅନ୍ତି ।

 

ବୀରବାବୁ ଏ ସବୁ ମଧ୍ୟରେ ନଥାନ୍ତି । ଲୋକେ କହିଲାପରି ତାଙ୍କ କାମ ଭଲ, କି ସେ ଭଲ । ଧର୍ମଭୀରୁ ବୀର ବିକ୍ରମ ସମାଜରେ ଓ ସଂଗୀମେଳରେ ସୁନାମ ଅର୍ଜ୍ଜନ କରିଥିଲେ । ବୀରର ଆଦର ମାତା ନିକଟରେ, ମାତାଙ୍କୁ ଦେବୀତୁଲ୍ୟ ପୂଜାକରିବା ତାଙ୍କର ପ୍ରଧାନ ସୁଖ । ବୀର ମାତାର ବିନାନୁମତିରେ କୌଣସି କାର୍ଯ୍ୟ କରୁନଥିଲେ । “ପିତାମାତା ମୋର ଜଗତର ପ୍ରଭୁ ।” ଏହିପରି କଥା କେବେ କେବେ ତାଙ୍କ ମୁହଁରୁ ମଧ୍ୟ ଶୁଣାଯାଏ । ସଣ୍ଡେ ସ୍କୁଲରେ ବାଳକ ବାଳିକାମାନଙ୍କୁ ଶିକ୍ଷାଦେବା ସମୟରେ ବୀର ସହାସ୍ୟ ବଦନରେ ପଚାରନ୍ତି - “ପିଲାଏ, ପଞ୍ଚମ ଆଜ୍ଞା କଣ ?”

 

ବିନୀତ ଛାତ୍ର ଜଣେ ସସ୍ମିତ ବଦନରେ ଉତ୍ତରଦିଏ, “ପିତାମାତାଙ୍କୁ ସମାଦର କର ।” “ସେହି କଥାଟି ମନେରଖି ତୁମେମାନେ କାର୍ଯ୍ୟ କରିବ । ପିତାମାତାଙ୍କୁ ସମାଦର କରିପାରିଲେ ଈଶ୍ୱରଙ୍କୁ ସମାଦର କରିପାରିବ ଏବଂ ଦୀର୍ଘାୟୁ ହେବ ।”

 

ପିଲାମାନେ ବୀରବାବୁଙ୍କୁ ବଡ଼ ଭକ୍ତି କରନ୍ତି । ସେ ବଡ଼ ସତ୍ୟନିଷ୍ଠ, ପରୋପକାରୀ । କୌଣସି ମାଦକଦ୍ରବ୍ୟ ସେ ସ୍ପର୍ଶ କରନ୍ତିନି । ପାନ ସୁଦ୍ଧା ଖଣ୍ଡେ ଖାଇବାର କେହି ତାଙ୍କୁ ଦେଖିନାହିଁ । ସର୍ଭେ ଅଫିସରେ କାମ କରନ୍ତି । ଲୋକେ ତାଙ୍କୁ ‘ବୀରବାବୁ’ ବୋଲି ଡାକନ୍ତି । ବୀରବାକୁ ଘରେ ଅତି ସାଧାରଣ ଜୀବନଯାପନ କରୁଥିଲେ । ଚାହାଖିଆ ଅଭ୍ୟାସ ନାହିଁ । ସକାଳୁ ବାଡ଼ିପୋଖରୀର “ଶ୍ୟାମସୁନ୍ଦର ଘନ ଘଞ୍ଚ କୁମୁଦ କହ୍ଲାରଶୋଭୀ ନୀଳାଭ ନିର୍ମଳ ଜଳରେ” ଡୁବାଟା ଦେଇ ଆସି ସାମାନ୍ୟ ଚଟଣୀ, ଭର୍ତ୍ତା କିମ୍ବା ଶାଗଭଜା ସହିତ ଓଡିଆ ଜାତିର ବଳସଂଚାରକାରୀ ସେହି ପୁରୁଷାନୁକ୍ତମିକ ପଖାଳଭାତ ସାଦରେ ଭୋଜନ କରୁଥିଲେ । ଭୋଜନ ପାନରେ ସଂଯମୀ, ବିଳାସହୀନ ଓ ସଦା ପରିଶ୍ରମକୁଶଳ ସୁଚରିତ୍ରସଂପନ୍ନ ବୀରବିକ୍ରମ ପ୍ରକୃତରେ ବୀର ବିକ୍ରମ ଥିଲେ । ବର୍ଣ୍ଣ ଈଷତ୍ କୃଷ୍ଣାଭ ହେଲେ ସୁଦ୍ଧା ସୁଗଠିତ ଦେହ, ସୁନ୍ଦର ସ୍ୱାସ୍ଥ୍ୟ, ଲାବଣ୍ୟମଣ୍ଡିତ ମୁଖ ବିଶାଳତ୍ୱର ପରିଚାୟକ ।

 

ବୀର ବିକ୍ରମ ମେଧାବୀ ଥିଲେ, କିନ୍ତୁ ସ୍କୁଲ କଲେଜର ଶିକ୍ଷାରେ ଅଧିକ ଦୂର ଅଗ୍ରସର ହୋଇ ପାରିନଥିଲେ । ଏଣ୍ଟ୍ରାନ୍ ସ ଦ୍ୱିତୀୟଶ୍ରେଣୀପର୍ଯ୍ୟନ୍ତ ପଢ଼ି ପିତାଙ୍କ ଆଦେଶାନୁସାରେ ସର୍ଭେ ଇଲାକାରେ ଭର୍ତ୍ତି ହେଲେ । ମାସିକ ଆୟ ବେଳେ ବେଳେ ତିରିଶ ଟଙ୍କାରୁ ମଧ୍ୟ ବଳିପଡ଼ୁଥିଲା । ସେ ସମୟରେ ତାହାହିଁ ଅତି ଉଚ୍ଚକାର୍ଯ୍ୟ ବୋଲି ବିବେଚିତ ହେଉଥିଲା ।

 

ଜଗନ୍ନାଥ ପାତ୍ରଙ୍କର ମାମୁଁ ଗୌରାଙ୍ଗ ପାତ୍ର କଟକର ସର୍ଭେ ଇଲାକାରେ ଖଣ୍ଡେ କ୍ଷୁଦ୍ର ଚାକିରୀ କରୁଥିଲେ । ସେଥିପାଇଁ ବୀରବାବୁଙ୍କ ସହିତ ତାଙ୍କର ପରିଚୟ । ଜଗନ୍ନାଥ ବାଲ୍ୟକାଳରୁ ବୁଦ୍ଧିମାନ୍ ଥିଲେ ଓ ମିଶନ୍ ସ୍କୁଲରେ ସୁଖ୍ୟାତି ସହିତ ପଢ଼ୁଥିଲେ । ସେଥିପାଇଁ ସେ ଖ୍ରୀଷ୍ଟଧର୍ମ ସଂସ୍ରବରେ ଆସିଥିଲେ । ବାଇବେଲ୍ ପରୀକ୍ଷା ଦେଉଥିଲେ । କେବେ କେବେ ପୁରସ୍କାର ମଧ୍ୟ ପାଇଛନ୍ତି । ସେ ଅଳ୍ପ ବୟସ୍କ ହେଲେ ମଧ୍ୟ ବୀରଙ୍କର ବିଶେଷ ସ୍ନେହର ସାଙ୍ଗ ହୋଇ ପାରିଥିଲେ । ଉଭୟଙ୍କ ଗୃହ ମଧ୍ୟ ନିକଟବର୍ତ୍ତୀ । ସେଥିପାଇଁ ଅନେକବାର ବୀର ବାବୁଙ୍କ ଗୃହକୁ ଯାତାୟାତର ସୁବିଧା ହୋଇଥିଲା । ବୀରବାବୁଙ୍କ ଉଦାର ଚରିତ୍ର ବାଳକ ଜଗନ୍ନାଥ ମନରେ ମହାଭାବର ଉଦୟ କରାଇଥିଲା । ଫଳସ୍ୱରୂପ ଜଗନ୍ନାଥ ଖ୍ରୀଷ୍ଟଧର୍ମପ୍ରତି କ୍ରମେ ଆକୃଷ୍ଟ ହେଉଥିଲେ । କିନ୍ତୁ ସ୍ୱଧର୍ମ ପରିତ୍ୟାଗ କରିଖ୍ରୀଷ୍ଟଧର୍ମ ଗ୍ରହଣ କରିବା ଯେ କେଡ଼େ ଦଃସାଧ୍ୟ, ସେ ତାହା ଜାଣିଥିଲେ । ବୀରବାବୁଙ୍କ ନିକଟରେ ତାଙ୍କ ମନୋଭାବ ଗୁପ୍ତ ନଥିଲା । ଦୁଇସାଥି ବଡ଼ ଭ୍ରମଣପ୍ରିୟ । ପ୍ରତିଦିନ ସଂଧ୍ୟା ସମୟରେ ମହାନଦୀ ଓ କାଠଯୋଡ଼ୀ ନଦୀ କୂଳରେ ଭ୍ରମଣ କରୁ କରୁ ନାନା ସଦାଳାପ

କରିବା ସେମାନଙ୍କ ଜୀବନର ପରମ ସୁଖ ଥିଲା । ଏହିପରି ଦିନେ ସନ୍ଧ୍ୟା ସମୟରେ ଆମ୍ଭେମାନେ ତାଙ୍କୁ ସାକ୍ଷାତ କରିବାର ସୁଯୋଗ ଆଗରୁ ପାଇଛେ ।

 

ଶଶୀ ଓ ସୁବାସୀ ବୀରବାବୁଙ୍କ ଧର୍ମ ଭଗ୍ନୀରୂପେ ତାହାଙ୍କ ଘରେ ସ୍ୱଚ୍ଛନ୍ଦରେ ଦିନାତିପାତ କରୁଛନ୍ତି । ଉଭୟେ ସ୍କୁଲରେ ପଢ଼ନ୍ତି । ଶଶୀ ଦିନକୁଦିନ ବଡ଼ କର୍ମକୁଶଳ ହୋଇପଡ଼ୁଛି । ବାଡ଼ି ବଗିଚାରେ ଫଳପୁଷ୍ପ ବୃକ୍ଷ ରୋପଣ ଏବଂ ଗୋପାଳନ ତାହାର ଅତିଶୟ ସ୍ନେହର ବିଷୟ । ରନ୍ଧାବଢ଼ା ସେ ଓ ଭାନୁମତୀ ଉଭୟେ ମିଶି କରନ୍ତି ।

 

ବୀରବାବୁଙ୍କର ପିତାମାତା ବାଳିକାଦ୍ୱୟର ପତା−ମାତା ସ୍ୱରୂପ ହୋଇଛନ୍ତି । ବିଶେଷତଃ ଜେମସ୍ ବାବୁ ଶଶୀର ସୁକଣ୍ଠନିଃସୃତ ଧର୍ମଗୀତ ପ୍ରତିସଂଧ୍ୟାରେ ଶୁଣିବାକୁ ଭଲ ପାଉଥିଲେ । ଜେମସ୍‌ବାବୁ ଶଶୀର କଣ୍ଠସଂଗୀତର ଅଜସ୍ର ପ୍ରଶଂସା କରନ୍ତି । ଶଶୀର ରୂପଲାବଣ୍ୟର ପ୍ରଶଂସା ନିଷ୍‌ପ୍ରୟୋଦନ-। ଶ୍ୟାମାଙ୍ଗୀ ଭାନୁମତୀ ଓ ଗୌରବର୍ଣ୍ଣା ଶଶୀ ଏକସ୍ଥାନରେ ବସିଥିଲେ ଏକା ବୃନ୍ତରେ ଫୁଟନ୍ତା ଚଂପା ଗୋଲାପର ତୁଳନା ମନକୁ ଆସେ ।

 

ପାଠକ ବିରକ୍ତ ହେଉଥିବେ । କଥାରେ କଥାରେ ଅନେକ ବିଳମ୍ବ ହେଲାଣି । ବର୍ଷା ମଧ୍ୟ ଛାଡ଼ିଗଲାଣି । ଆକାଶ ପରିଷ୍କାର । ସୂର୍ଯ୍ୟ କିରଣ ପୁଣି ଗଛ ପତ୍ରର ଅଗରେ ପଡ଼ି ଜଳ ଉପରେ ଝିକି ଝିକି ମାରୁଛି ଏବଂ କ୍ଷଣେ କ୍ଷଣେ ଶତ ଇନ୍ଦ୍ରଧନୁ ଫୁଟି ଉଠୁଛି । ବୀରବାବୁଙ୍କ ଗୃହ ଗାଁମୁଣ୍ଡକୁ । ସେଠାରେ ଖ୍ରୀଷ୍ଟିୟାନ୍ ସାହି ଶେଷ ହୋଇ ହିନ୍ଦୁ ସାହି ଆରମ୍ଭ ହୋଇଛି । ସମ୍ମୁଖ ଦିଗରେ ରାଜପଥ ପଡ଼ିରହିଛି ।

 

ସେ ସମୟ ଅଶ୍ୱ ଶକଟର ବେଶି ପ୍ରଚଳନ ନଥିଲା, ଲୋକେ ଗୋ’ଯାନରେ ଅବା ପାଦଗତିରେ ଯାତାୟାତ କରୁଥିଲେ । ଦିନ ପ୍ରାୟ ୯ଟା ବାଜିଲାଣି । ଶଶୀ ଏକଧ୍ୟାନରେ ଖଣ୍ଡିଏ କୁରୁତା ସିଲାଇ କରୁଛି ଓ ବେଳେବେଳେ ଦୂରସ୍ଥିତ ଆମ୍ବଗଛକୁ ଅନାଇ ମନରେ ନାନା କଥା ଚିନ୍ତା କରୁଚି । ବିଶେଷତଃ ତା ମାତାର ପୂର୍ବସ୍ମୃତି ଶୈଶବର ଶତ ଦୁଃଖ କଷ୍ଟ ମନରେ କରି ନାନା କଥା ଭାବୁଛି । ସେ ଏକ ସମୟରେ ଛିଣ୍ଡାଲୁଗା ପିନ୍ଧି ଗଉଡ଼ଘରେ ବାସ କରୁଥିଲା । ସଂସାରରେ ତାର ମାଆ ଓ ଭଉଣୀ ଛଡ଼ା ଆଉ କେହି ନଥିଲେ । ବାଲ୍ୟକାଳରେ ପିତାର ମୃତ୍ୟୁ ହୋଇଥିଲା । ସେଥିପାଇଁ ପିତୃସ୍ନେହର ବିଷୟରେ ଅଧିକ ମନେକରି ପାରୁ ନଥିଲା । କିନ୍ତୁ ସ୍ନେହମୟୀ ଦୁଃଖିନୀ ଜନନୀ ତାହାର ସର୍ବସ୍ୱ ଥିଲା । ସେ କେତେ ଆଦରରେ ମାଆର ସେବା କରେ । ବାଉରିବନ୍ଧୁ ବିଶ୍ୱାଳ ଓ ବାଞ୍ଛାନିଧି ଜେନାଘରେ ଯାଇ ପ୍ରତିଦିନ ଧାନ କୁଟୁଥିଲା । ସେଥିରେ ଯାହା ଆୟ ହେଇଥିଲା ତାକୁ ସଞ୍ଚୟ କରି ମାଆର ପୀଡ଼ା ସମୟରେ ବ୍ୟୟ କରୁଥିଲା । ଆହା, ତାର ମାଆ ଯଦି ଆଜି ବଞ୍ଚିଥାନ୍ତା ସେ କଣ କରିନଥାନ୍ତା । ଆହା ସେ ଯଦି ମରିଯାଇ ତାର ମାଆ ବଞ୍ଚିଥାନ୍ତା ! ଶଶୀର ସେହି ଭୟାନକ ରାତିର ଘଟଣା ମନରେ ପଡ଼ିଲା । ସ୍ନେହମୟ ବୀରଭାଇର ଅଲୋକସାମାନ୍ୟ ଦୟାଗୁଣ ତାହାର ମନେ ପଡ଼ିଲା । ସେ ଆଶ୍ଚର୍ଯ୍ୟ ହୋଇ ଭାବିଲା - ଈଶ୍ୱର କି ଅଦ୍ଭୁତ ଭାବରେ ସେଦିନ ତାର ଦୁଃଖ ମୋଚନ କରିଥିଲେ । ବାସ୍ତବିକ୍ ଯାହାର ବାପ ମା’ ନାହିଁ, ଈଶ୍ୱର ତା’ର ବାପ ମା । ଯଦି ବୀରଭାଇ ସହିତ ସେ ରାତିରେ ତାର ଦେଖା ନଥାନ୍ତା, ତେବେ ସେ କଣ କରିଥାନ୍ତା ! ତାପରି ଅଜ୍ଞାନ, ଅସହାୟ, ନିରକ୍ଷର ବାଳିକାପାଇଁ ଈଶ୍ୱର କିପରି ଦୟାର ବାଟ କରି ରଖିଥିଲେ । ଗୋଟି ଗୋଟି ହୋଇ ଶଶୀର ସବୁକଥା ମନେ ପଡ଼ିଲା । ବୀରଭାଇ ସତେ ତାର ନିଜ ଭାଇ । ବୀରଭାଇର ପରିବାରର ସମସ୍ତେ ଧର୍ମପ୍ରିୟ ଆଉ ସ୍ନେହୀ । ଆହା, ଏପରି ଧାର୍ମିକ ପରିବାର କଟକରେ ଆଉ ନାହାନ୍ତି ପରା ! ବୀର ଭାଇର ମା ସତେ ଯେପରି ତା’ର ନିଜର ମାଆ । ପୁଣି ବାବା ତାଙ୍କର । ବାଳିକା ପିତୃସ୍ନେହର ଆଭାସମାତ୍ର ପାଇଥିଲା । ଜେମସ୍‌ବାବୁ ନିଜର ପିଲାମାନଙ୍କଠାରୁ ଶଶୀକୁ ଅଧିକ ଭଲ ପାଉଛନ୍ତି । ଆନନ୍ଦବିହ୍ୱଳ ହୋଇ ଶଶୀ ତାହା ଭାବିବାକୁ ଲାଗିଲା । ବାବାଙ୍କର ସେହି “ମା ଶଶୀ” ଡାକ ତାହାର କର୍ଣ୍ଣରେ ପ୍ରବାଶ କରି ହୃଦୟରେ ଏକ ଅମୃତମୟ ପରିବେଶ ସୃଷ୍ଟି କଲା । ସତେ ଜଗତରେ ଅପରର ପିତା ଯଦି ଏଡ଼େ ସ୍ନେହୀ,ତାର ସ୍ୱର୍ଗୀୟ ପିତା କେଡ଼େ ସ୍ନେହୀ ନଥିବେ । ଧର୍ମପ୍ରିୟ ବାଳିକା ଶଶୀ ଆନନ୍ଦରେ ଭାବିବାକୁ ଲାଗିଲା ।

 

ପୁଣି ସେହି ରାତ୍ରିର ଦୃଶ୍ୟ ତାର ମନେପଡ଼ିଲା । ସେଥି ସଙ୍ଗେ ସଙ୍ଗେ ଆଉ ଜଣକର ସୁନ୍ଦର ଅସ୍ପଷ୍ଟ ମୂର୍ତ୍ତି ତା’ ହୃଦୟରେ ହଠାତ୍ ଆବିର୍ଭୂତ ହେଲା । ଯାହାର ବିଶାଳ ସ୍ନେହମୟ ଚାହାଣୀରେ ତାହାର ବାଳିକା ହୃଦୟ ସ୍ପନ୍ଦିତ ହୋଇଉଠିଥିଲା । ଯାହାର କୋମଳ ସ୍ନେହମୟ କର ଅଲକ୍ଷ୍ୟରେ ତାହାର ନୟନର ଅଶ୍ରୁ ମାର୍ଜନା କରିଥିଲା । ଅଢ଼େଇବର୍ଷ ମଧ୍ୟରେ ଦିନେହେଲେ ତ ସେ ତାହାର ଦେଖା ପାଇନାହିଁ । ସେ କିପରି ବା ଦେଖା ପାଇବ । ସ୍କୁଲକୁ ସେ ଯାଏ, ଘରକୁ ଆସେ । ଘରଲୋକ ଛଡ଼ା ଆଉ କାହା ସହିତ ବିଶେଷ କଥାବାର୍ତ୍ତା କରେ ନାହିଁ । ସାହି ବୁଲିବାକୁ ମା’ର ବାରଣ । ସେ କିପରି ପୁଣି ଜଣେ ପୁରୁଷ ପିଲାର ସନ୍ଧାନ ବା ରଖି ପାରିବ । କିନ୍ତୁ ଶଶୀର ହୃଦୟରେ ସେ ସ୍ନେହମୟ ମୂର୍ତ୍ତି କେଉଁ ଅଜ୍ଞାତ ରାଜ୍ୟର ଦେବତାପରି ଉଚ୍ଚସ୍ଥାନ ଅଧିକାର କରିଅଛି । ସେ ନିଜେ ତାହା ସଂପୂର୍ଣ୍ଣ ବୁଝି ନାହିଁ । କିନ୍ତୁ ତାହାର କଥା ସ୍ମରଣ ହେଲାମାତ୍ରେ ଶଶୀର ହୃଦୟ ଅଜଣା ରାଗିଣୀରେ ବାଜି ଉଠୁଛି । ତାର ହେତୁହୀନ ମନରେ କେଜାଣି କାହିଁକି ସେହି ଯୁବକର ଦର୍ଶନାକାଂକ୍ଷା ବଳବତୀ ବାସନା ସୃଷ୍ଟି କରିଛି । ମନେ ମନେ ସେ ଈରଶ୍ୱରଙ୍କୁ ପ୍ରାର୍ଥନା କଲା - ଥରେ ହେଲେ ଦୂରରୁ ସେ ସେହି ସହାନୁଭୂତିଭରା ମୁହଁଟିକୁ ଦେଖିପାରନ୍ତା ।

 

ହଠାତ୍ ଶଶୀର ଭାବନାରେ ବାଧା ପଡ଼ିଲା । ସେ ଚଞ୍ଚଳ ପଦଶଦ୍ଦ ଶୁଣିବାକୁ ପାଇ ସହସା ଚମକି ଉଠିଲା । ଆଗକୁ ଚାହିଁ ଦେଖିଲା - ତାର ସମ୍ମୁଖରେ ଜଣେ ଯୁବକ ଠିଆ ହୋଇଛନ୍ତି । ସେ ଅପ୍ରତିଭ ହୋଇ ପଡ଼ିଲା । ଆଗନ୍ତୁକ ମଧ୍ୟ ସହସା ଶଶୀକୁ କିଛି କହି ନପାରି ତାହାର ଆୟତ ନେତ୍ର ଦ୍ୱୟର କୋମଳ ସ୍ନିଗ୍‌ଧ ଚାହାଣୀରେ ଅଭିଭୂତ ହୋଇପଡ଼ିଲେ । ପର କ୍ଷଣରେ ଶଶୀ ସଂଭ୍ରମ ସହକାରେ ମୁଣ୍ଡରେ ଲୁଗା ଦେଇ ଆଗନ୍ତୁକଙ୍କୁ ଚାହିଁବାକୁ ଚେଷ୍ଟାକଲା । କିନ୍ତୁ କଥା କହିବାର ସାହସ ତାର ହେଲାନି । ଆଗନ୍ତୁକ ଶଶୀର ତତ୍କାଳୀନ ଅବସ୍ଥା ବୁଝିପାରିଲେ । ସଂକୋଚର ସହିତ ପଚାରିଲେ - “ବୀରବାବୁ ଘରେଅଛନ୍ତି ? ତାଙ୍କୁ ଦେଖା କରିବା ନିତାନ୍ତ ଜରୁରୀ ।”

 

ବୀରବାବୁ ଏବଂ ଶରତ ଉଭୟେ ସେଦିନ କାର୍ଯ୍ୟବଶତଃ କେନ୍ଦ୍ରାପଡ଼ା ଯାଇଥିଲେ । ଶଶୀ ସହଜ ସ୍ୱରରେ କହିଲା - “ଭାଇ ଘରେ ନାହାନ୍ତି ।” ଆଗନ୍ତୁକ ବିବ୍ରତ ହୋଇ ପଡ଼ିଲେ । ନତସ୍ୱରରେ କହିଲେ,“ବଡ଼ ଦରକାର ଥିଲା । ଆଚ୍ଛା, ମୁଁ ଯାଉଚି । ସେ କେବେ ଆସିବେ କହି ପାରିବକି ?”

 

ଶଶୀର ବଡ଼ ସଙ୍କଟ । ସେ ଦେଖିଲା ଆଗନ୍ତୁକ ପୁନର୍ବାର କଥା କହିଲେଣି । ସେ ମୁଖ ନତ କରି କହିଲା - “ଭାଇ ସୋମବାର ଆସିବା । କେନ୍ଦ୍ରାପଡ଼ା ଯାଇଛନ୍ତି ।”

 

ହଠାତ୍ ଆଗନ୍ତୁକ ହୃଦୟ କୌତୂହଳୀ ହୋଇ ଉଠିଲା । ସେ ଶଶୀ ଆଡ଼କୁ ବିସ୍ମୟ ବିହ୍ୱଳନେତ୍ରରେ ଅନାଇ ଅସ୍ଫୁଟସ୍ୱରରେ ସ୍ୱତଃ କହି ପକାଇଲେ “କିଏ ? ଶଶୀ ?”

 

ଶଶୀର କର୍ଣ୍ଣରେ କଥାଗୁଡ଼ିକ ପ୍ରବେଶ କଲେ । ସେ ଲଜ୍ଜାରେ ମ୍ରିୟମାଣ ହୋଇ ଆରକ୍ତ ବଦନରେ ଭୂମିଆଡ଼କୁ ଦୃଷ୍ଚିପାତ କରି ରହିଲା । କିନ୍ତୁ ତାହାର ହୃଦୟ ଏକ ଅଭୂତପୂର୍ବ ଆନ୍ଦରେ ପୂରିଉଠିଲା । ତାହାର ସମସ୍ତ ଶରୀର ଏକ ଅଜ୍ଞାତ ଭାବ ଆବେଶରେ କମ୍ପିତ ହୋଇଉଠିଲା । “କିଏ, ଶଶୀ !” କ୍ଷଣେ କ୍ଷଣେ ତାହାର ହୃଦୟତନ୍ତ୍ରୀରେ ଆଘାତ କରିବାକୁ ଲାଗିଲା । ଶଶୀ ଆତ୍ମବିସ୍ମୃତା ହୋଇ ଭୂମିକୁ ଚାହିଁ ଠିଆ ହୋଇ ରହିଲା । ଆଗନ୍ତୁକ ଅନେକକ୍ଷଣ ବାଳିକାକୁ ଚାହିଁ କଣ ଭାବିଲେ । ପରେ ଧୀରେ ଧୀରେ ଗନ୍ତବ୍ୟ ମାର୍ଗରେ ପ୍ରସ୍ଥାନ କଲେ । ତାହାଙ୍କ ପ୍ରସ୍ଥାନ ପରେ ଶଶୀର ଧ୍ୟାନ ଭଗ୍ନ ହେଲା । ସେ ଅନାଇ ଦେଖିଲା ଆଗନ୍ତୁକ ଆଉ ନାହିଁ । ଆହା, ଥରେ ଭଲା ସେ ପେରି ଆସନ୍ତେ । ସେ ନିଶ୍ଚୟ ଲଜ୍ଜା ସଂକେଚ ତ୍ୟାଗକରି ତାଙ୍କୁ ମନଭରି ଦେଖନ୍ତା । ବିସ୍ମୟରେ ଓ ଲଜ୍ଜାରେ ଶଶୀ ଭାବିଲା - “କି ଆଶ୍ଚର୍ଯ୍ୟ, ! ଏତେଦିନପରେ ଥରେ ହେଲେ କୃତଜ୍ଞତା ଜଣାଇ ପାରିଲି ନାହିଁ । ମୁଁ ତ ଚିହ୍ନି ନଥିଲି । ସେ କିପରି ଚିହ୍ନିଲେ ?”

 

ସେଦିନ ଶଶୀର ଭାବନାର ଅନ୍ତ ନାହିଁ । ବିଛଣାରେ ଶୋଇ ଶୋଇ ଭାବିଲା - ଯାହାକୁ ଦେଖିବାକୁ ଇଚ୍ଛା କରୁଥିଲି ଏତେଦିନପରେ ତାଙ୍କୁ ଦେଖିଲି । ପରସ୍ପରକୁ ଚିହ୍ନିଲୁ । କିନ୍ତୁ ଥରେ କୃତଜ୍ଞତା ଜଣାଇ− ବାରେ ଅବସର ହେଲାନାହିଁ । ଶଶୀର କୋମଳ ହୃଦୟ ଆଶ୍ଚର୍ଯ୍ୟ ଭାବରେ ଘନଘନ ଆନ୍ଦୋଳିତ ହେବାକୁ ଲାଗିଲା । କେବଳ ନୟନପଟରେ ସେହି ସୁନ୍ଦର ସ୍ନେହମୟ ତରୁଣ ମୂର୍ତ୍ତି ଭାସିବାକୁ ଲାଗିଲା । ସେ ଆଶ୍ଚର୍ଯ୍ୟ ହୋଇ ନିଜର ଅନପେକ୍ଷିତ ପରିବର୍ତ୍ତନ ଚିନ୍ତା କରିବାକୁ ଲାଗିଲା । କିନ୍ତୁ କୌଣସି କାରଣ ବୁଝି ପାରିଲାନାହିଁ । ତାହାର ଦୃଷ୍ଟିରେ ସାରା ଜଗତଟା ଏକ ଆଶ୍ଚର୍ଯ୍ୟ ଅଦ୍ଭୁତ ସୌନ୍ଦର୍ଯ୍ୟରେ ପୂରି ଉଠିଲା ।

 

Unknown

ଚତୁର୍ଥ ପଟ

 

“ଏ ମାୟା ସଂସାର କିଛି ନାହିଁ ଏଥି ସକଳ ଅସାର” “ତୋ ଦୟା ଥାଉରେ ଧନ ହେଲି ମେଲାଣି ଅରୁଣାଧରୀ ନୟନୁ ନ ବୁହା ପାଣି ।” ସ୍ଫୀତ ବଦନରେ ସୁଠାମଠାଣିରେ ଗାନ କରୁ କରୁ ଜଗନ୍ନାଥ ନଦୀକୂଳରେ ଉପସ୍ଥିତ ହେଲେ । ବରଷା କାଳର ନଦୀ ଏ କଳ ସେ କୂଳ ଖାଉଛି । ପଠା ଚଡ଼ା ସବୁ ବୁଡ଼ିଯାଇ ଏକ ବୃହତ୍ ନୀର ଆସ୍ତରଣ ବକ୍ରଗତିରେ ଦୁଇକୂଳ ମଧ୍ୟରେ ପଡ଼ିରହି ହୃଦୟରେ ଅପୂର୍ବ ଅନନ୍ତ ଭାବରାଶି ଜାଗ୍ରତ କରାଇ ଦେଉଅଛି । ନଦୀର ଜଳରାଶି ସ୍ଥାନେ ସ୍ଥାନେ ନିର୍ମଳ ସ୍ୱଚ୍ଛ ଶୁଭ୍ର, ସ୍ଥାନେ ସ୍ଥାନେ ନୀଳାଭ ଓ ସ୍ଥାନେ ସ୍ଥାନେ ଘନ କଳା ଥିଲାପରି ଦିଶୁଥିଲା । ସ୍ଥାନେ ସ୍ଥାନେ ଆବର୍ତ୍ତ ଘୂର୍ଣ୍ଣନରେ ଜଳ ଚକ୍ରାକାରରେ ଭାଙ୍ଗି ଭାଙ୍ଗି ପଡ଼ୁଥିଲା । ଢେଉ ଉପରେ

 

ଢେଉ, ତରଙ୍ଗ ଉପରେ ତରଙ୍ଗ, ସ୍ତର ଉପରେ ସ୍ତର । ଜଳ ଖେଳିଖେଳି ଭାଙ୍ଗି ଭାଙ୍ଗି ପବନରେ ନାଚି ନାଚି ନଦୀବକ୍ଷରେ ଏକ ଅପୂର୍ବ ସୌନ୍ଦର୍ଯ୍ୟର ହାଟ ବସାଇ ଦେଇଥିଲା । କଲ୍ଲୋଳିନୀର କଳତାନ, ସୁ’ ସୁ’ ବହୁ ଦୂରରୁ ଶୁଣାଯାଉଥିଲା । ନଦୀର ଅନ୍ୟ ତୀର ଅସ୍ପଷ୍ଟ ଭାବରେ ଦେଖା ଯାଉଥିଲା । ଦୂରବର୍ତ୍ତୀ ପର୍ବତଗୁଡ଼ିକ ଘନନୀଳ ଉଚ୍ଚ ସ୍ତୂବ ମାତ୍ର ପରି ଦିଗ୍‌ବଳୟରେ ମିଶି ଯାଇଥିଲେ । ସେ ପାରିର କ୍ଷୁଦ୍ର କ୍ଷୁଦ୍ର ଗୃହଗୁଡ଼ିକ ଛୋଟ ହୋଇ ଦେଖାଯାଉଥିଲା ।

 

ନଦୀକୂଳରେ ଅନେକ ଯାତ୍ରୀ ନୌକା ଉଦ୍ଦେଶ୍ୟରେ ସହଗମନ ଉଦ୍‌ବେଗୀ । ଜଗନ୍ନାଥ ନୌକାଭଡ଼ା ସ୍ଥିରକରି ନୌକାଉପରକୁ ଡେଇଁ ପଡ଼ିଲେ । ଆଜି ତାହାଙ୍କ ମନରେ ଏକ ଅପୂର୍ବ ଆନନ୍ଦ ଓ ଦୁଃଖ - ଏହି ଉଭୟ ଭାବରେ ତରଙ୍ଗ ଖେଳୁଅଛି । ସେ ଆବେଗଭରେ ଗାନ କରୁ କରୁ ଆକାଶର ବିସ୍ତୁତ ନୀଳିମା ତଥା ନଦୀବକ୍ଷର ଅପୂର୍ବ ଶୋଭା ଦେଖି ମୁଗ୍ଧ ହେଉଥିଲେ । ନୌକା ଘାଟ‬‬ ଛାଡ଼ିଦେଲା ।

 

ଆଜି ଗେହ୍ଳେଇର ଭାରି ଆନନ୍ଦ । ହୃଦୟ କ୍ଷଣେ କ୍ଷଣେ ସ୍ପନ୍ଦିତ ହୋଇ ଉଠୁଛି । ସେ ଆନନ୍ଦ ମନରେ କଉଶୁଲୀ ଓ ଗଣ୍ତେଇକୁ କାର୍ଯ୍ୟର ବରାଦ୍ ଦେବାରେ ଲାଗିଅଛି । ବହୁଦିନପରେ ପୁଅ ପରୀକ୍ଷାରେ ପାଶ୍‌କରି ତା’ ଦୀନକୁଟୀରକୁ ଆଲୋକିତ କରିବାକୁ ଆସିଅଛି । ଆଜି ତାହାର ଗୁଣବନ୍ତ, ପୁତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି, କେତେ ଇଂରାଜୀ ପଢ଼ିବି । ସେ ସେତେବଡ଼ ଜାତି ନୋହିଲେ ସୁଦ୍ଧା ତା’ ପୁଅ ଆଜି ଜଣେ ବାବୁ ! ହାକିମ ହେବ । ଗେହ୍ଳେଇ ନବନବ ଆଶା ସ୍ୱପ୍ନରେ ବିଭୋର । ସେ ଯେ ଜଗନ୍ନାଥର ମାତା - ଏହିକଥା ଭାବି ସେ ତା ଜନ୍ମ ସାର୍ଥକ ମଣୁଅଛି । ବହୁ ଭାଗ୍ୟକୁ ସେ ଜଗନ୍ନାଥକୁ ଗର୍ଭରେ ଧରିଥିଲା । ପୁତ୍ରବତୀର ହୃଦୟ ଆନନ୍ଦରେ, ଗର୍ବରେ ଫୁଲି ଉଠୁଛି । ସେ ଆଜି ଆଉ କଉଶୁଲୀ ଓ ଗଣ୍ଡେଇର କାର୍ଯ୍ୟଉପରେ ରନ୍ଧନ ଉପରେ ନଜର ଦେଇ ପାରୁନାହିଁ । ଆପେ ଏ କାମ ସେ କାମ କରି ପକଉଚି । ଆଜି ତିନିତିଅଣ ନ’ଭଜା, ସେ ନିଜେ ରାନ୍ଧିବାକୁ ବସିଗଲା । ତାର ପୁତ୍ର ଆଜିକି ଦୁଇ ବର୍ଷ ହେବ କଟକରେ ପଢୁଥିଲା । ଏଥି ମଧ୍ୟରେ ଘରକୁ ଆସିବାର ସୁବିଧା ପାଇ ନ ଥିଲା । ଦୁଇବର୍ଷ ସେ କେଉଁଠି ଖାଇଥିବ, ମନମତ କିଏ ବା ରାନ୍ଧି ପରଷିଥିବ, ତା ବିଛଣା କିଏବା ପାରି ଦେଇଥିବ । ଦୂରଦେଶ, ପରଦେଶରେ ପୁଅ ତାର କେତେ ଅନିଭୋଗ ପାଇ ନ ଥିବ । ଗେହ୍ଳେଇ ଆନନ୍ଦଉଲ୍ଲାସରେ ନାନା କଥା ଭାବୁଅଛି । ଥରେ ଥରେ ବାହାରକୁ ଅନାଉଛି ସାମାନ୍ୟ ଶଦ୍ଦରେ ଚମକିପଡ଼ୁଛି । ଜଗନ୍ନାଥର ଶୈଶବର ବହୁସ୍ମୃତି ତା ହୃଦୟପଟରେ ବିଭାସିତ ହେଉଅଛି । ସେହି ବାଳକ ନାଥିଆ ବୁଲି ବୁଲି ପାଠ ଅଭ୍ୟାସ କରୁଥିଲା । କ୍ଷୁଧା ସମୟରେ କିପରି କରୁଣକଣ୍ଠରେ ମାଆ ପାଖରେ ଖାଇବାକୁ ଅଳି କରୁଥିଲା । ଗ୍ରାମର ସବୁ ବାଳକଙ୍କ ଠାରୁ ସେ ଶିଷ୍ଟ ଓ ସୁଶୀଳ ବୋଲି ଖ୍ୟାତି ଲାଭ କରିଥିଲା । କାହା ସହିତ କଳି ନାହିଁ, କଜିଆ ନାହିଁ । ପାଠହିଁ ତା’ର ସାର ।

 

କହ୍ନେଇ ଅବଧାନ କେତେ ପ୍ରଶଂସା କରନ୍ତି । ପିତାର ଆଦରର ନାଥିଆ ଆଜି ବଡ଼ ବାବୁ ହୋଇ ତାହାର କ୍ଷୁଦ୍ର କୁଟୀର ଆଲୋକିତ କରୁଅଛି । ଦାସୀ କଉଶୁଲୀ ଓ ଗଣ୍ଡେଇ ଉଭୟେ ସାଆନ୍ତ ପୁଅର ଆଗମନ ଖବର ପାଇ ଆନନ୍ଦିତ । କିଏ ଚାଉଳ ବାଛୁଚି, କିଏ ଦୁଧ ଆଉଟୁଚି, କିଏ ମାଛ ବାଛୁଚି, ପରିବା କାଟୁଚି - ସତେ ଯେପରି ଆଜି ନାଥିଆକୁ ପେଟଭରି ଖାଇବାକୁ ଦେବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ ।

 

ବହୁଯତ୍ନରେ ଘରଦ୍ୱାର ଲିପାପୋଛା କରିଛନ୍ତି । ନାଥିଆ ଅପରିଷ୍କାର ଗୃହରେ ରହିପାରିବ ନାହିଁ । ସେ ବଡ଼ ସୁକୁମାର । କହୁ କହୁ ମାତୃସ୍ନେହ ଉଛୁଳି ଉଠୁଛି । ଭାଇ ଭୋବନାର ମଧ୍ୟ କାମରେ ବିଶ୍ରାମ ନାହିଁ । ବାଡ଼ିବଗିଚାର ତତ୍ତ୍ୱନେବାରେ ସେ ବ୍ୟସ୍ତ । କଟକରେ ମାଇନର ପାଶ୍ କଲାପରେ ତାର ଆଉ ପାଠପ୍ରତି ସ୍ପୃହା ରହିଲାନି । ସେ ଜଗନ୍ନାଥ ପରି ବୁଦ୍ଧିମାନ ଥିଲା ଏବଂ ମାନସିକ ଶ୍ରମଠାରୁ ଶାରୀରିକ ଶ୍ରମ ଅଧିକ ଭଲ ପାଉଥିଲା । ବାଡ଼ିବଗିଚା କରିବା, ଗୋରୁ ଗାଈର ଧନ୍ଦା ବୁଝିବା ଏବଂ ପୈତୃକ ବ୍ୟବସାୟ ସେ ଭଲ ପାଉଥିଲା । ଭାଇର ଆଗମନ ଦେଖି ସେ ଭାରି ଖୁସୀ-। ଭାଇତାର ବଡ଼ବାବୁ ହୋଇଠି, କଟକରେ ପାଶ୍ କରିଛ - ଏହା ଭାବି ସେ ଆନନ୍ଦିତ । ଆହା - ଭାତୃସ୍ନେହ କୁଟୀରରେ ମିଳିପାରେ । କିନ୍ତୁ ସ୍ୱାର୍ଥପର ନାଗରିତ ଜୀବନରେ ଅଳ୍ପ ଦୃଷ୍ଟ ହୁଏ ।

 

ଜଗନ୍ନାଥର ପିରା ଦୀନା ଆଜି ସବୁଠାରୁ ସୁଖୀ । ସେ ଯେ ଗ୍ରାମର ଦଶଲୋକର ଓ ତା’ ଭାର୍ଯ୍ୟାର ବହୁ ଆପତ୍ତି ସତ୍ତ୍ୱେ ସମସ୍ତଙ୍କର କଥା ଅଗ୍ରାହ୍ୟ କରି ନିଜର ବହୁ ପରିଶ୍ରମଲବ୍‌ଧ ଅର୍ଥରେ ତାହାର ପୁତ୍ରକୁ ମନୁଷ୍ୟ କରିଅଛି - ଏହାହିଁ ତାହାର ମୁଖ୍ୟ ଆନନ୍ଦ । ଆଜି ତାହାର ପାଦ ଦଶହାତ ଦୂରରେ ପଡ଼ୁଛି । ସତେ ଜଗନ୍ନାଥ ଆଜି ତାର କୁଳର ପ୍ରଦୀପ ହେଲା । ସାତକୁଳ ଉଦ୍ଧାର ପାଇଲେ । ସେ ନିଜେ ଓଡ଼ିଆ ଛଡ଼ା ଆଉ କିଛି ଜାଣେନାହିଁ । ଅଥଚ ପୁଅ ତିନିତିନିଟା ପାଶ୍ କରିଛି । ସେହି ଗର୍ବରେ ଏକ ଅଜ୍ଞାତ ଆନନ୍ଦରେ ନାଥିଆର ପିତା ଉତ୍‌ଫୁଲ୍ଲ ।

 

ଦିନ ଦୁଇଟା ବେଳକୁ ଟେରୀକାଟି, ପଞ୍ଜାବୀପିନ୍ଧି, ଗୋଡ଼ରେ ମୂଲ୍ୟବାନ୍ ପାଦୁକା ସହ ଜଗନ୍ନାଥ ଘରେ ପାଦ ଦେଲେ । ଆଜି ସେ ଜଗନ୍ନାଥ ପୂର୍ବର ଜଗନ୍ନାଥ ନୁହେଁ । ତାହାର ରୂପରେ ଅନେକ ପରିବର୍ତ୍ତନ ହୋଇଅଛି । ଆଜି ସେ ବାଇଶିବର୍ଷ ବୟସ୍କ ଯୁବକ । ଦୀର୍ଘାକାର, ସୁଗଠିତ ଦେହ, ଗୌରବଉଜ୍ୱଳ ତନୁ । ତାହାର ବିଶାଳ ନୟନଦ୍ୱୟ ପୁରୁଷୋଚିତ ତେଜଦୀପ୍ତିରେ ଉଜ୍ୱଳ । କପାଳ ଉପରେ କୁଞ୍ଚିତ କେଶ ବିଚିତ୍ର ଭାଙ୍ଗରେ ସୁବିନ୍ୟସ୍ତ । ତାହାର ପରିଚ୍ଛଦରେ ମଧ୍ୟ ପରିବର୍ତ୍ତନ ହୋଇଅଛି । ଆଜି ସେ ଜଣେ ବାବୁପରି ଦିଶୁଅଛି । ଜଗନ୍ନାଥ ଯେଉଁ ଘରକୁ ଯାଉଛି ସେ ଘରଟା ତାକୁ ମନୁନାହିଁ । ସେ ଏକ କିମ୍ଭୂତ କିମାକାର ରୂପଧରି ହଠାତ୍ ଯେପରି ତାହାର ଅଜ୍ଞାତ ଅପରିଚିତ ଏକ ଅସଭ୍ୟ ରାଜ୍ୟରେ ଉପସ୍ଥିତ । ପିତାମାତା ପ୍ରଶଂସମାନ ଚକ୍ଷୁରେ ପୁତ୍ରର ସୌନ୍ଦର୍ଯ୍ୟ ନିରୀକ୍ଷଣ କରିବାକୁ ଲାଗିଲେ । ମଳିନ, ମୋଟା ଖଦିପିନ୍ଧା ଆଣ୍ଠୁ ତଳକୁ ପାଉନାହିଁ, ହାତରେ ପିତଳଖଡ଼ୁ ମଣିବନ୍ଧଠାରୁ କହୁଣୀ ପର୍ଯ୍ୟନ୍ତ ପିନ୍ଧି ଏବଂ ପାଟଫୁଲି ଚମ୍ପାକଳି ଇତ୍ୟାଦିରେ ସଜ୍ଜିତ ପାଟରାଣୀ ଗେହ୍ଲେଇ ଜଗନ୍ନାଥ ନିକଟରେ ଠିଆ ହେଲେ - ତାହାର ମାଆପରି ଦିଶୁ ନ ଥିଲା । ବାସ୍ତବିକ୍ ସେ ମନେମନେ ଲଜ୍ଜିତ ହେଉଥିଲା । ଦୀନା ମଧ୍ୟ ପୁତ୍ରକୁ ନିଜର ପୁତ୍ର ବୋଲି ଭାବିବାକୁ ବଡ଼ ଗୌରବର ବିଷୟ ମନେକରୁଥିଲା । କାହିଁ ଜଗନ୍ନାଥ ବାବୁ - କାହିଁ ସେ ମୂଲିଆମୁଣ୍ଡ ଦୀନା । ମଳିନ ବସ୍ତ୍ର ଖଣ୍ଡେ ପିନ୍ଧି କାନ୍ଧରେ ବହୁବରଷର ପୁରୁଣା ମୋଟାମସିଆ ଗାମୁଛା ପକେଇ ପୁତ୍ର ନିକଟରେ ଠିଆ ହେଲାବେଳକୁ ନିଜେ ସଙ୍କୋଚ ବୋଧକଲା ।

 

ଗେହ୍ଲେଇ ବହୁଯତ୍ନରେ ପୁତ୍ରର ତତ୍ତ୍ୱ ନେବାକୁ ଲାଗିଲା । ସେ ଯେତେବଡ଼ ବାବୁ ହେଉପଛେ ଜଗନ୍ନାଥ ତାହାର ନାଥିଆ । ତାହାର ପୁଅ ତା ଆଖିରେ ନିହାତି ସାନ ବାଳୁତପିଲା । ସେ ଯେତେ ମଳିନ ବସ୍ତ୍ର ପିନ୍ଧୁ ପଛେ, ଯେତେ ଶଙ୍ଖା ଚୁଡ଼ି ଲଗେଇଥାଉ ପଛେ ସେ ଜଗନ୍ନାଥର ମାତା ।

 

କିନ୍ତୁ ଜଗନ୍ନାଥ ତା’ ପିତା ମାତାର ଅପର୍ଯ୍ୟାପ୍ତ ଆଦର ମଧ୍ୟରେ ଆଜି ବିଦେଶୀ ଓ ଅତିମ ତ୍ରାରେ ନିଃସଙ୍ଗ । ଜଗନ୍ନାଥର ଘରପ୍ରତି ଆଜି ପୂର୍ବର ପ୍ରାଣଭରା ମହାନୁଭୂତି ନାହିଁ । ସେ କୋମଳ ମଧୁର ସ୍ନେହମୟ ମାତୃକୋଳ ଜଗନ୍ନାଥକୁ ପୂର୍ବବତ୍ ଟାଣି ଆଣି ଆଲିଙ୍ଗନ କରିବାକୁ ଶତବାର ପ୍ରସ୍ତୁତ ଥିଲେ ସୁଦ୍ଧା ଜଗନ୍ନାଥର ହୃଦୟ ଆଜି ଶୀତଳ । ପରିବାର ପ୍ରତି ପ୍ରେମର ସେ ଉଷ୍ଣତା ନାହିଁ । ସେ ସବୁଆଡ଼େ ବିଜାତୀୟା, ଓ ଭିନ୍ନ ଓ ବେଖାପ୍ ହୋଇପଡ଼ିଛି - ସତେ ଯେପରି ଏ ଘର ତାଆର ଘର ନୁହେଁ । ଏ ପରିବାର ତା’ର ପରିବାର ନୁହେଁ । ଆଜି ପ୍ରାଣଭରା ସ୍ନେହ, ଅଜସ୍ର ଆଦର, ଐକାନ୍ତିକ ଯତ୍ନ ସତ୍ତ୍ୱେ ଜଗନ୍ନାଥ କାହାରି ମନ ଆକର୍ଷଣ କରି ପାରୁନାହିଁ । ସେ ନିଜେ ବୁଝିପାରୁଅଛି ଯେ - କିପରି ଏକ ଅଜଣା ବିଚ୍ଛେଦର ପରଦା ତାହାର ପରିବାର ଏବଂ ତାହାର ମଧ୍ୟରେ ଟଣା ହୋଇଅଛି-। ସେ କିଛିରେ ହିଁ ନିଜର ପିତୃଗୃହରେ ନିଜର ସଂପୂର୍ଣ୍ଣ ଆତ୍ମା ଢାଳିଦେଇ ପାରୁନାହିଁ ।

 

ଜଗନ୍ନାଥର ଆସିବାର ଏକମାସ ଅତୀତ ହେଲାଣି । ଏଥିମଧ୍ୟରେ ପିତାମାତା ତାହାର ଭାବ ପରିବର୍ତ୍ତନ ଅନେକଟା ଲକ୍ଷ୍ୟ କରିଛନ୍ତି; କିନ୍ତୁ ସେମାନେ ସରଳମନା, ସେଥିପାଇଁ କିଛି ମନକୁ ନେଉ ନାହାନ୍ତି । ବୋଧହୁଏ ପାଠପଢ଼ିଲେ, ନାମ ଓ ସ୍ଥାନ ପାଇଲେ ବୟସ ବଢ଼ିଲେ ଲୋକର ପରିବର୍ତ୍ତନ ହୁଏ । ସେ ପୁଣି କଟକ ସହର । ସେଠାରେ ରହି ଜଗନ୍ନାଥର ପରିବର୍ତ୍ତନ ଅସମ୍ଭବ ନୁହେଁ ।

 

ଜଗନ୍ନାଥ ବହୁଚେଷ୍ଟାରେ ନିଜର ପରିବର୍ତ୍ତିତ ଭାବଗୁଡ଼ିକୁ ଲୁଚାଇ ଲୁଚାଇ ଚଳିବାକୁ ଚେଷ୍ଟା କରୁଅଛି-। ବହୁ ସାବଧାନରେ ଚଳିଲେ ସୁଦ୍ଧା ବେଳେବେଳେ ସେ ଧରା ପଡ଼ିଯାଉଛି । ଭୋଜନରେ, ଶୟନରେ, କଥାବାର୍ତ୍ତାରେ ଜଗନ୍ନାଥର ଭିନ୍ନରୁଚି, ଭିନ୍ନ ବ୍ୟବହାର । ହିନ୍ଦୁ ରୀତିନୀତିଗୁଡ଼ିକ ଅନେକଟା ଯେପରି ସେ ଭୁଲି ଗଲାଣି । ପୂର୍ବବତ୍ ଗ୍ରାମରେ କାହାସହିତ ଆଳାପ କରିବାକୁ ତା’ ମନ ବଳୁନାହିଁ । ସ୍ୱଜାତି ବ୍ୟବସାୟକୁ ସେ ଘୃଣା ଦୃଷ୍ଟିରେ ଦେଖୁଅଛି ଓ ନିଜର ଜାତି ଯେ ପାଟରା - ଏହା ବହୁ ସଂକୋଚରେ ସୁଦ୍ଧା ମୁଖରୁ ବାହାର କରିବାକୁ ସେ କଷ୍ଟକର ମଣୁଅଛି । ତାହାର ସମସ୍ତ ରୁଚି ଆଜି ସଭ୍ୟତା ଉନ୍ମୁଖୀ । ସେ ରକ୍ଷଣଶୀଳତାର ପକ୍ଷପାତୀ ନୁହେଁ, ସେ ପ୍ରଗତିକାମୀ ।

 

ଗ୍ରାମରେ ପୂର୍ବରୁ କୌଣସି ସ୍କୁଲ ନ ଥିଲା । କେତେବର୍ଷପରେ ଗୋଟିଏ ଉଚ୍ଚପ୍ରାଥମିକ ସ୍କୁଲ ସଂସ୍ଥାପିତ ହୋଇଅଛି । ଜଗନ୍ନାଥ ଦିନେ ସେହି ସ୍କୁଲ ପରିଦର୍ଶନ କରିବାକୁ ବାହାରିଲେ । ଗ୍ରାମ ସ୍କୁଲରେ ଦୁଇଜଣ ଶିକ୍ଷକ, ନୀଳାମ୍ବର ପଟ୍ଟନାୟକ ଓ ଲକ୍ଷ୍ମୀଧର

ମହାରଣା । ନୀଳାମ୍ବର ମାଷ୍ଟର କରଣ ସନ୍ତାନ - କିଛି ଆଧି ଅଛି । ସେ ମାଇନର୍‌ଟା ପାଶ୍ କରି ଫୋର୍‌ଥ କ୍ଳାସ୍‌ର ସୀମା ଦର୍ଶନ କରିଥିଲେ । ସେଥିପାଇଁ ନୀଳାମ୍ବର ବାବୁଙ୍କର ପାଦ, ଭୂମିରେ ପଡ଼ିବାକୁ ରାଜି ହେଉନଥିଲା । ଇଂଲିସ୍‌ଜୋତା ବିନା ସେ ଖାଲିପାଦରେ ଯିବାକୁ ଘୃଣା କରୁଥିଲେ । ସେ ଲୋକମୁଖରୁ ଶୁଣିଥିଲେ ଦୀନା ପାଟରାର ପୁତ୍ର ଜଗନ୍ନାଥ ଏଫ. ଏ. ପାଶ୍ କରି ଗ୍ରାମକୁ ଆସିଅଛନ୍ତି । ସେହି ସୁସମ୍ବାଦରେ ସେ ତେତେଦୂର ସନ୍ତୁଷ୍ଟ ହେବାପରି ଜଣାଯାଉନଥିଲେ । କାରଣ ଗ୍ରାମରେ ତାଙ୍କଠାରୁ କେହି ବିଦ୍ୱାନ, ଜଣେ ଆସୁବୋଲି ସେ ଇଚ୍ଛା କରୁ ନଥିଲେ । ସ୍କୁଲ ଘରଟି ଚାଳ ଘର । ମାଟି କାନ୍ଥ ଉପରେ ଚୂନକାମକରା ଚାରୋଟି ବଖରା । ନିମ୍ନ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଦୁଇ ଶ୍ରେଣୀରେ ବିଭକ୍ତ ଥିବାରୁ - ଏପରି ବ୍ୟବସ୍ଥା । ଲକ୍ଷ୍ମୀଧର ବାବୁ ନିମ୍ନ ପ୍ରାଥମିକର ଶିକ୍ଷକ ଓ ନୀଳାମ୍ବର ବାବୁ ଉଚ୍ଚପ୍ରାଥମିକର ଶିକ୍ଷକ । ସ୍କୁଲର ଶିକ୍ଷା ବ୍ୟବସ୍ଥା ବଡ଼ ସୁଧାର ସମ୍ପନ୍ନ ।

 

ଜଗନ୍ନାଥ ସ୍କୁଲରଦ୍ୱାର ସମକ୍ଷକୁ ଆସିଲା ମାତ୍ରେ ଉପସ୍ଥିତ ଛାତ୍ରମଣ୍ଡଳୀ ଠିଆ ହୋଇ ତାଙ୍କୁ ଅଭିବାଦନ କଲେ । ଶିକ୍ଷକମାନଙ୍କ ସହିତ ମଧ୍ୟ ଅଭିବାଦନ ଓ ପ୍ରତ୍ୟଭିବାଦନ ହୋଇଗଲା । କିଛିକ୍ଷଣ କଥାବର୍ତ୍ତା ପରେ ଜଗନ୍ନାଥ ବିଦାୟ ନେଲେ । ସମବେତ ଛାତ୍ରମଣ୍ଡଳୀ ପ୍ରଶଂସମାନ ଚକ୍ଷୁରେ କୃତବିଦ୍ୟ ଜଗନ୍ନାଥଙ୍କୁ ତାଳୁରୁ ତଳିପାଯାଏ ଅନାଇବାକୁ ଲାଗିଲେ ।

 

ଜଗନ୍ନାଥ ଫେରୁଛନ୍ତି । ଏହିପରି ସମୟରେ ନୀଳାମ୍ବର ବାବୁଙ୍କର କଥା ସ୍ପଷ୍ଟ ଶୁଣି ପାରିଲେ, “ହେଲେ କଣ ହେବ ? ଏତେ ପାଠପଢ଼ି ଜାତିଛୋଟ, ପାଟରା ପୁଅତ ।” ଉଚ୍ଚଜାତି ଆତ୍ମଗର୍ବୀ ନୀଳାମ୍ବରର ସେହି ବିଦ୍ରୂପ ଶ୍ଳେଷ ବାକ୍ୟ ଜଗନ୍ନାଥର କୋମଳ ଅଭିମାନୀ ହୃଦୟରେ ତୀକ୍ଷ୍ଣ ଶେଳବିଦ୍ଧ କଲା । ହିନ୍ଦୁ ଜାତିପ୍ରତି ତାହାଙ୍କର ଘୃଣା ହେଲା ।

 

ସେଦିନ ସେ ଗୃହକୁ ଫେରିଆସି କାହାକୁ କିଛି ନ କହି ଯାଜପୁରରେ ଥିବା ଏନଣ୍ଟ୍ରାନସ୍ ସ୍କୁଲର ଦ୍ୱିତୀୟ ଶିକ୍ଷକ ପଦ ପାଇଁ ଆବେଦନ ପତ୍ର ପ୍ରେରଣ କଲେ । ଯଥା ସମୟରେ ଉତ୍ତର ଆସିଲା - ମାସିକ ବେତନ ପଚାଶ ଟଙ୍କା । ସରକାରୀ ଗୃହ । କାର୍ଯ୍ୟଟି ଜଗନ୍ନାଙ୍କର ବେଶ୍ ଆବେଦନ ଗ୍ରାହ୍ୟ ହେଲା । ସେ ପିତାମାତାଙ୍କୁ ଜଣାଇ ଯିବାକୁ ପ୍ରସ୍ତୁତ ହେଲେ ।

 

କିନ୍ତୁ ସ୍ନେହମୟୀ ଜନନୀ ଦୁଇମାସ ନୋହୁଣୁ ପୁଣି ପୁଅ ବିଦେଶ ଯିବ ଶୁଣି କାନ୍ଦିବାକୁ ଲାଗିଲେ । ଦୀନା ମଧ୍ୟ ଦୁଃଖିତ ଭାବରେ ବସିପଡ଼ିଲା । କଣ ଦୀନା ମଧ୍ୟ ଦୁଃଖିତ ଭାବରେ ବସିପଡ଼ିଲା । କଣ କହିବ । କାମର ଜବାବ ଆସିଗଲାଣି ।

 

ଦିବା ଦି’ପ୍ରହର । ମାତାର ଶୟନ କକ୍ଷରେ ଜଗନ୍ନାଥ ବସିଥାଏ । ମାଆ ଆଦର କରି ଜଗନ୍ନାଥର ପିଠି ଆଉଁଷି କହିଲେ - “ପୁଅ ତୁ ଚାରିମାସ କରି ମୋ ପାଖରେ ରହିଲୁ ନାହିଁ । ମୋର ମନପୂରାଇ ତତେ ଗଣ୍ଡେ ଖୁଆଇ ପାରିଲିନି । ଭଲ କରି ଦେଖିଲି ନାହିଁ । ପାଖରେ ବସାଇଲିନି । ତୁ ବିଦେଶ ବୁଲିଲୁ । ପାଠ ପଢ଼ିଲୁ । ମଣିଷ ହେଲୁ । ଚାକିରୀ ପାଇଲୁ । ତୋ’ ପାଇଁ ବୋହୂଟିଏ କରି ମୁଁ ନିଶ୍ଚୟ ହୁଏ ।’’ ଜଗନ୍ନାଥ ଈଷତ୍ ମୁଖ ଫେରାଇଲେ । ପୁଣି ମାଆ କହିଲେ - “ଆମ ଗାଁର ଭାଗବତଙ୍କ ଝିଅଟି ମନକୁ ଆସିଚି । ବୟସ ବେଶି ନୁହେଁ । ଏଇ ଆଠବର୍ଷ ମାତ୍ର ହୋଇଚି । ପିଲାଟିର ବଳିଲା ଦେହ, ଦେଖିବାକୁ ଡଉଲ ଡାଉଲ - ଠିକ୍ ତୋ ଲାଖ୍ । ଆଉ ବାପର ସମ୍ପତ୍ତି ବି ଅଛି ।

 

ଜଗନ୍ନାଥ ନୀରବରେ ସବୁ ଶୁଣିବାକୁ ଲାଗିଲେ । କିଛି କହିଲେ ନାହିଁ । ପୁଣି ମାତା ଆଦର କରି କହିଲେ - “ବାପ, ତୁ ବିଦେଶ କରିବୁ । ମୁଁ କାହା ମୁହଁ ଦେଖି ବଞ୍ଚିବି ? ବୋହୂଟି କରିଥିଲେ ହେଲେ ମୋ ଦୁଃଖ ଯିବ । ମୁଁ ଏଣିକି ବୁଢ଼ୀ ହେଲି ।” - ଏହା କହି କିଛିକ୍ଷଣ ନୀରବ ରହିଲେ । ଭାବିଲେ ଜଗନ୍ନାଥ ବୋଧହୁଏ ତାଙ୍କ କଥାରେ ‘ହଁ’ ଭରିବ; କିନ୍ତୁ ଜଗନ୍ନାଥ ତାହା କଲେନାହିଁ । କିଛିକ୍ଷଣ ନୀରବରେ ରହି କହିଲେ - “ମା, ତୁ ମୋ ପାଇଁ ବ୍ୟସ୍ତ ହଅନା । ମୋର ଏଇ କ୍ଷଣି ଆଗ ଚାକିରୀ ହେଉ । ପରେ ଆଉ ସବୁ କଥା ।”

 

ମାଆ ନିରାଶ ହୋଇ କହିଲେ - “ବାପ, ପଛ କଥା କ’ଣ ? ଏତ ସଂସାର ଲାଗିଛି । ତୁ ପାଠ ପଢ଼ୁ ନ ଥିଲେ କେଉଁ କାଳୁ ମୁଁ ନାତି ନାତୁଣୀ ଧରି ଗେଲ କରନ୍ତଣି ।”

 

ଜଗନ୍ନାଥ ଅପ୍ରତିଭ ଓ ବିରକ୍ତ ହୋଇ ସେଠାରୁ ଉଠିଗଲା । ଗେହ୍ଲେଇର ହୃଦୟ ହଠାତ୍ ଅଭିମାନରେ ଉଚ୍ଛୁଳି ଉଠିଲା । ସତେ ଆଜି ନାଥିଆ - ତା’ କଥା ଶୁଣିଲାନି । ଆଖିରେ ତା’ର ଲୁହ ଜମି ଆସିଲା । ବହୁ କଷ୍ଟରେ ସେ ତା’ ସମ୍ଭାଳି ନେଲା ।

 

ତାହାର ପରଦିନ ଜଗନ୍ନାଥ ଯାଜପୁର ଯାତ୍ରା କଲେ । ଗେହ୍ଲେଇର ହୃଦୟ ବିଷାଦ କାଳିମାଚ୍ଛନ୍ନ ହୋଇଗଲା । ସେ ନିଜର ନିଭୃତ କକ୍ଷତଳରେ ଲୁଗା କାନି ପାରିଦେଇ ଅଭିମାନରେ ଓ ଦୁଃଖରେ କିଛିକ୍ଷଣ କାନ୍ଦିଲା । ସତେ, ସଂସାର ଏପରି !

 

ପଞ୍ଚମ ପଟ

 

କେହି ନୁହେଁ କାର ଏ ବିଶ୍ୱ ଭୁବନେ

ମୁଁ କିମ୍ବା ମରିବି ଜ୍ୱଳି

ପିତାମାତା ବନ୍ଧୁ ଆତ୍ମୀୟ ସ୍ୱଜନେ

ଦିନେ ଛାଡ଼ି ଯିବ ଚାଲି ।

 

ବୈତରଣୀ ନଦୀ ପ୍ରାୟ ଝରକା ଫିଟାଇଲେ ଦିଶୁଥିଲା । ସନ୍ଧ୍ୟା ସମୟରେ ନଦୀ କୂଳରେ ଘାଟ ପାଖରେ କେତେଗୁଡ଼ିଏ ନୌକା । ନୌକା ଯାଉଛି, ଭାସୁଛି, ଓ ପଡ଼ୁଛି । ନଦୀ ବକ୍ଷର ଜଳ ପ୍ରବାହ ଅନନ୍ତ ସାଗର ଆଡ଼କୁ ଧାଇଁ ଯାଉଛି । ଜଗନ୍ନାଥ ଝରକା ନିକଟରେ ଠିଆହୋଇ ନଦୀ ଆଡ଼କୁ ଅନାଇଁ ଥିଲେ । ଆଜିକି ତିନିବର୍ଷ ହେଲା ସେ ଯାଜପୁରରେ କାମ କରୁଛନ୍ତି । ଯଯାତିକେଶରାଙ୍କ ପ୍ରିୟ ରାଜଧାନୀ - ଯାଜପୁର । ସ୍ଥାନଟି ମନ୍ଦ ନୁହେଁ । ପାଣି ପବନ ବେଶ୍ ମନୋମତ । କାମଟି ମଧ୍ୟ ତାଙ୍କ ମନକୁ ଆସିଛି । ମାସିକ ଟ୫୦୧ ବେତନ । ତା’ ବାଦ ଗୃହଶିକ୍ଷକ ଭାବରେ ମଧ୍ୟ ସେ ମାସିକ ଟ୧୦୧ ଆୟ କରନ୍ତି । ନିଜପାଇଁ କୋଡ଼ିଏ ଟଙ୍କା ରଖି ବାକିତକ ସେ ଘରକୁ ପଠାଉଥିଲେ । ଆଜିପର୍ଯ୍ୟନ୍ତ ଜଗନ୍ନାଥଙ୍କର ବିବାହ ହୋଇନାହିଁ । ଏ ତିନିବର୍ଷ ମଧ୍ୟରେ ସେ ଆଉ ଘରକୁ ଯାଇ ନାହାନ୍ତି ।

 

ଜଗନ୍ନାଥ ଦୁଷ୍ଟ ଚରିତ୍ର ନୁହନ୍ତି । କର୍ମକୁଶଳ, ଭଦ୍ର, ବିନୟୀ ଏବଂ ଦୃଢ଼ ପ୍ରତିଜ୍ଞା । ଅତିଶୟ ବିଳାସୀ ମଧ୍ୟ ନ ଥିଲେ । କିନ୍ତୁ ଜଗନ୍ନାଥ ସୁଖୀ ନଥିଲେ । ତାହାଙ୍କହର ସୁଖପାଇଁ ଜାଗତିକ କୌଣସି ବସ୍ତୁ ଅଭାବ ନଥାଇ ମଧ୍ୟ ସେ ସୁଖୀ ନଥିଲେ । ସୁଖ ମାନସିକ ବସ୍ତୁ । ଆମ୍ଭେମାନେ ସହସ୍ର ବିଳାସ ବ୍ୟସନ ମଧ୍ୟରେ ବେଷ୍ଟିତ ଥାଇ ମଧ୍ୟ ସୁଖୀ ହୋଇ ନପାରୁ । ଆମ୍ଭ ମାନଙ୍କର ସବୁ ଅଭାବ ପୂର୍ଣ୍ଣ ହେଲେ ସୁଦ୍ଧା ଏପରି ସମୟେ ସମୟେ ହୁଏଯେ - ଯେତେ ଚେଷ୍ଟା କଲେ ମଧ୍ୟ ମନକୁ ସୁଖୀ କରି ହୁଏନାହିଁ ।

 

ଜଗନ୍ନାଥଙ୍କ ନିରାନନ୍ଦର ପ୍ରଧାନ କାରଣ ଧର୍ମଚିନ୍ତା । ଜଗନ୍ନାଥ ବାଲ୍ୟକାଳରୁ ଧର୍ମଭୀରୁ ଏବଂ ବୁଦ୍ଧିମାନ୍ । ସେ ହିନ୍ଦୁ ସମାଜରେ ବଢ଼ି ଆସି ଅଛନ୍ତି । କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ନୀଚ୍ଚ ଜାତିର ସନ୍ତାନ । ବ୍ରାହ୍ମଣ କରଣର କୌଳୀନ୍ୟ ଗର୍ବ ଅଛି; କିନ୍ତୁ ଜଗନ୍ନାଥର ତାହା ନାହିଁ । ଜାତିଭେଦ ଜଗନ୍ନାଥ ମନରେ ବଡ଼ ଆଘାତ ଦିଏ । ପଢ଼ିବା ସମୟରେ ଜଗନ୍ନାଥ ପ୍ରାୟ ସବୁବେଳେ ସର୍ବୋଚ୍ଚ ସ୍ଥାନ ଅଧିକାର କରୁଥିଲେ । ସେଥିପାଇଁ ଉଚ୍ଚଜାତି ସହପାଠୀମାନେ ବିଦ୍ରୂ ପଛଳରେ “ପାଟରାପୁଅ, “ନାଥିଆ ପାଟରା”, ଇତ୍ୟାଦି ପରିହାସ କରିବାକୁ ଛାଡ଼ୁ ନ ଥିଲେ । କିନ୍ତୁ ଜଗନ୍ନାଥ ସେ ସବୁ ଅମ୍ଳନ ବଦନରେ ସହ୍ୟ କରୁ−ଥିଲେ । ସେଥିପାଇଁ ହିନ୍ଦୁ ଯୁବକମାନଙ୍କ ସହିତ ତାହାଙ୍କର ବନ୍ଧୁତ୍ୱ ଅଳ୍ପ ହୋଇଥିଲା ।

 

କିନ୍ତୁ ଜଗନ୍ନାଥ ନିତାନ୍ତ ବନ୍ଧୁହୀନ ନ ଥିଲେ । ତାହାଙ୍କର ପ୍ରାଣର ବନ୍ଧୁ ବୀରବିକ୍ରମଙ୍କର ଧର୍ମପ୍ରିୟତା ଉଚ୍ଚ ଉଦାରଭାବ ପୂର୍ଣ୍ଣ ହୃଦୟ ଏବଂ ଭ୍ରାତୃସ୍ନେହର ନ୍ୟାୟ ଗଭୀର ମମତା ଜଗନ୍ନାଥଙ୍କ ହୃଦୟରେ ଏକ ଆନନ୍ଦ ଧାମର ସୃଷ୍ଟି କରିଥିଲା । ଜଗନ୍ନାଥ ସେହି ମହତ ହୃଦୟକୁ ଦେବତୁଲ୍ୟ ପୂଜା କରୁଥିଲେ । ବୀରବୀବୁ ତାଙ୍କଠାରୁ ବୟସରେ ବଡ଼ । କିନ୍ତୁ ତାହାଙ୍କର ଅତିଶୟ ପ୍ରିୟ ସଙ୍ଗୀ । ବାଲ୍ୟକାଳରୁ ବୀରର ଆଶ୍ଚର୍ଯ୍ୟ ଅକୃତ୍ରିମ ବନ୍ଧୁତ୍ୱ ତାହାଙ୍କ ହୃଦୟରେ ଗଭୀର ଭାବ ଜାତ କରିଥିଲା-। ତାହାର ଫଳ ସ୍ୱରୂପ ଖ୍ରୀଷ୍ଟଧର୍ମ ପ୍ରତି ଗଭୀର ସହାନୁଭୂତି ବାଲ୍ୟକାଳରୁ ତାଙ୍କ ହୃଦୟରେ ବୃଢ଼ବଦ୍ଧ ହୋଇଥିଲା ।

 

ଜଗନ୍ନାଥ ଝରକାନିକଟରେ ଠିଆ ହୋଇ ନାନା କଥା ଭାବୁଚନ୍ତି । ବିଗତ ଛ ବର୍ଷ ମଧ୍ୟରେ ତାହାଙ୍କ ଜୀବନରେ ଅନେକ ପରିବର୍ତ୍ତନ ହୋଇଯାଇଅଛି । ଦୁଇବର୍ଷର କଲିକତା ଜୀବନ ବଡ଼ ସୁଖକର ଥିଲା । ଜଗନ୍ନାଥର ଆଉଥରେ କଲିକତା ଯିବାକୁ ଇଚ୍ଛାଥିଲା । ସେ ନଦୀବନ୍ଧକୁ ଅନାଇଁ ଦେଖିଲେ ସ୍ୱଚ୍ଛସଲିଳା ବୈତରଣୀ ବୋହିଯାଉଛି । ନୌକାଗୁଡ଼ିକ ଧୀରେ ଧୀରେ ଜଳକୁ ଦି’ଭାଗ କରି ଆଗକୁ ଯାଉଛନ୍ତି । ଜଳ ଆନ୍ଦୋଳିତ ହେଉଛି - ଶୁଭ୍ର ପାଲ ଗୁଡ଼ିକ ଉଡ଼ୁଛନ୍ତି । ଦୂରବର୍ତ୍ତୀ ନୌକା ଗୁଡ଼ିକ ଆକାଶର ଦିଗ୍‌ବଳୟରେ ମିଶିଗଲାପରି ଦିଶୁଚନ୍ତି । ଆକାଶରେ ପକ୍ଷୀଗୁଡ଼ିକ ଉଡ଼ି ଉଡ଼ି ପବନରେ ଭାସୁଅଛନ୍ତି । ଜଗନ୍ନାଥ ପକ୍ଷୀମାନଙ୍କୁ ଅନାଇଁ ଭାବିଲେ - “ଆହା, ଏମାନଙ୍କ ପରି ସ୍ୱାଧୀନ ହୋଇଥାନ୍ତି ହେଲେ ।”

 

ସଂଧ୍ୟା ଗାଢ଼ରୁ ଗାଢ଼ତର ହୋଇ ଆସିଲା । ଧୀବର−ମାନେ କୂଳରେ ଜାଲ ସଜାଡ଼ିବାକୁ ଲାଗିଲେ । ଜଗନ୍ନାଥ ସେ ସବୁ ଦେଖୁ ଦେଖୁ ତିନିବର୍ଷ ତଳର କଥା ତାଙ୍କର ମନେ ପଡ଼ିଲା । ଏହିପରି ନୌକାରେ ବସି ସେ ଘରକୁ ଫେରୁଥିଲେ । କାହିଁ ଆଜି ସେ ସ୍ନେହର କୁଟୀର ? ସ୍ନେହମୟୀ ଜନନୀ ! କରୁଣାମୟୀ ଦେବୀ ମୂର୍ତ୍ତି । ଜଗନ୍ନାଥ ମାଆଙ୍କର ସ୍ନେହ ମର୍ମେ ମର୍ମେ ଅନୁଭବ କରିବାକୁ ଲାଗିଲେ । ସେହି ପ୍ରିୟତମା ମାତୃମୂର୍ତ୍ତି ତାହାଙ୍କ ବାଧା ଦେଇ ଆଜିକୁ ପାଞ୍ଚବର୍ଷ କାଳ ଧର୍ମ− ତ୍ୟାଗ କରାଇ ପାରିନାହିଁ ।

 

ସେହି କରୁଣ କୋମଳ ମୁଖଟି ମନେପଡ଼ିଲା ମାତ୍ରେ ଯୁବକ ଜଗନ୍ନାଥଙ୍କ ଚକ୍ଷୁରୁ ଶିଶୁପରି ଲୁହ ଝରିବାକୁ ଲାଗିଲା । ସତେ ସେ ଏଡ଼େ ନିଷ୍ଠୁର । ଆଜି ସେ ଧର୍ମତ୍ୟାଗ କଲେ ତାଙ୍କ ମାଆଙ୍କର କି ଦୁର୍ଦ୍ଦଶା ନ ହେବ ? ହୁଏତ ସେ ମରିଯିବ । ଭାବୁ ଭାବୁ ଅସ୍ଥିର ହୃଦୟରେ ଜଗନ୍ନାଥ କହି ଉଠିଲେ − “ମା, ମା, ମୁଁ ତୋ’ର କୁସନ୍ତାନ । ତତେ ଦିନେ ହେଲେ ସୁଖୀ କରି ପାରିଲିନାହିଁ ।” ଜଗନ୍ନାଥଙ୍କ ହୃଦୟ ବ୍ୟଥିତ ହୋଇ ଉଠିଲା । ସେ ଝରକା ପାଖରୁ ଘୁଞ୍ଚି ଆସି ଚୌକିରେ ବସି ପଡ଼ିଲେ । ତାହାଙ୍କ ହୃଦୟ ଆବେଗରେ କମ୍ପି ଉଠିଲା । ଜଗନ୍ନାଥ ଶେଷ ବିଦାୟ ସମୟରେ ମାଆଙ୍କର ସେହି ବିଷାଦ ବିଧୁର କରୁଣ ମୁଖ ମନେ କରିବାକୁ ଲାଗିଲେ । ବୀରବାବୁଙ୍କ ମାତୃଭକ୍ତି ମନେ ପଡ଼ିଲା । ସତେ, ବୀରବାବୁ ପିତାମ ତାଙ୍କର ସୁସନ୍ତାନ, ସେ କାହିଁକି ନ ହେବେ । ଆଜି ଏତେ ପାଠ ପଢ଼ି ସୁଦ୍ଧା ସେ ପିତାମାତାଙ୍କୁ ଖୁସି କରାଇ ପାରିଲେ ନାହିଁ । ସେ କ’ଣ ପିତାମାତାଙ୍କ ପ୍ରାଣଭରି ଭଲ ପା’ନ୍ତି ନାହିଁ । ଜଗନ୍ନାଥ ତାଙ୍କ ହୃଦୟ ମଧ୍ୟରେ ମାଆଙ୍କର କରୁଣ ଓ ନିଷ୍କପଟ ମୂର୍ତ୍ତି ଅନୁଭବ କରିବାକୁ ଲାଗିଲେ ।

 

ସେ ଆଜି ପର୍ଯ୍ୟନ୍ତ ସଂସାରିକ ବନ୍ଧନରେ ଲିପ୍ତ ହୋଇ ନଥିଲେ । ସେ ମାଆଙ୍କୁ ସବୁଠାରୁ ଅଧିକ ଭଲ ପାଉଥିଲେ । କିନ୍ତୁ କଣ ହେବ ? ମାଆଠାରୁ ଆହୁରି ଅଧିକ ପ୍ରେମମୟୀ, ହୃଦୟର ଚିର ଆକାଙିକ୍ଷତ ସ୍ୱପ୍ନ, ପ୍ରାଣର ପ୍ରତିମହୂର୍ତ୍ତର ଅନୁସ୍ପନ୍ଦନ - ଆଉଜଣେ ଜଗନ୍ନାଥଙ୍କ ହୃଦୟ ତନ୍ତ୍ରୀରେ ଆଘାତ କରିବାକୁ ଗିଲେ । ଜଗନ୍ନାଥ ସେ ଅଦୃଶ୍ୟ ସତ୍ୟମୟଙ୍କୁ ବୁଝିପାରିଲେ । ତାହାଙ୍କର ସ୍ୱର ଜଗନ୍ନାଥଙ୍କର କର୍ଣ୍ଣକୁହରରେ ନାରମ୍ବାର ପ୍ରତିଧ୍ୱନିତ ହେବାକୁ ଲାଗିଲା । ସେଥିପାଇଁ ଅକଥନୀୟ ଦୁଃଖରେ ଜଗନ୍ନାଥ ସଂସାର ଅରଣ୍ୟରେ ଭ୍ରମଣ କରିବାକୁ ଲାଗିଲେ ।

 

ଧନ୍ୟ ଭାରତ ଭୂମି ! ଭାରତୀୟର ରକ୍ତରେ ରକ୍ତରେ ଧର୍ମ ଶୋଣିତ ପ୍ରବାହିତ । ହିନ୍ଦୁର ପ୍ରତିକାର୍ଯ୍ୟରେ ଧର୍ମର ମୋହର । ଭାରତ ସନ୍ତାନର ଖାଦ୍ୟ ପେୟ ପରି ଧର୍ମ ମଧ୍ୟ ଦୈନନ୍ଦିନ ଜୀବନର ଏକ ମୁଖ୍ୟ ଅଂଶ ବିଶେଷ । ଆଜି ଧର୍ମ ଧର୍ମ ଉଚ୍ଚାରଣ କରି କୋଟି କୋଟି ଭାରତ ସନ୍ତାନ ଭ୍ରମଣ କରୁଅଛନ୍ତି । ଜଗନ୍ନାଥ ସେହି ଭାରତର ରକ୍ତରେ ଜନ୍ମ । ଧର୍ମ ତାହାଙ୍କ ହୃଦୟରେ ସର୍ବୋଚ୍ଚ ସ୍ଥାନ ଅଧିକାର କରି ବସିଛି । ସେ ସେଥିପାଇଁ ଆଜି ଦୁଃଖରେ, କ୍ଷୋଭରେ ଯନ୍ତ୍ରଣାରେ କାତର । ତାଙ୍କର କଣ କେହି ନାହିଁ । ପ୍ରେମମୟ ଜନକ ଜନନୀ, ସ୍ନେହମୟ ଭ୍ରାତାଭଗ୍ନୀ, ବିଦ୍ୟା, ଉଚ୍ଚପଦ ସୁଖ୍ୟାତି ସୁନାମ ସବୁ ଅଛି । କିନ୍ତୁ ତାଙ୍କର ସତ୍ୟପିପାସୁ ହୃଦୟର ତହିଁରେ ତୃପ୍ତି ନଥିଲା । ସେ ଦେଖିଲେ ମନୁଷ୍ୟ ସଂସାରରେ ସବୁ ପାଇଲେ ସୁଦ୍ଧା ଈଶ୍ୱରଙ୍କୁ ନ ପାଇଲେ ସେ ଯେପରି କିଛି ପାଇନାହିଁ ।

 

ସଂଧ୍ୟା ସମୟରେ ବେହେରା ହାରକିନି ଜାଳି ଦେଇ ମେଜ ଉପରେ ରଖିଗଲା । ଜଗନ୍ନାଥ ମେଜ ଉପରକୁ ଆସି ଖଣ୍ଡେ ପତ୍ର ଲେଖିବାକୁ ବସିଲେ । ଦୁଇଦିନ ହେଲା ବୀରବାବୁଙ୍କୁ କୌଣସି ପତ୍ର ଦେଇ ନାହାନ୍ତି । ଆଜି ପାଞ୍ଚ ବର୍ଷ ମଧ୍ୟରେ ବୀରବାବୁ ଦୁଇଟି କନ୍ୟାର ଜନକ ହୋଇଛନ୍ତି ବୋଲି ସେ ଶୁଣିବାକୁ ପାଇଛନ୍ତି । ବୀରବାକୁ ବାସ୍ତବିକ ସୁନ୍ଦର ଓ ଭାଗ୍ୟବାନ୍ । ଜଗନ୍ନାଥ ବୀରବାବୁଙ୍କ ବିଷୟ ଚିନ୍ତା କରିବାକୁ ଲାଗିଲେ । ସେ କାହିଁକି ଖ୍ରୀଷ୍ଟିୟାନ୍ ଘରେ ଜନ୍ମ ନ ହେଲେ । ସେ ବୀରବାବୁଙ୍କ ପରି ଶୁଭଗ ଜୀବନ ଯାପନ କରି ପାରିଥାନ୍ତେ । ସେ କ୍ଷୋଭରେ ଚିରପ୍ରିୟ ପ୍ରାଣବନ୍ଧୁ ପାଖକୁ ପତ୍ରାରମ୍ଭ କଲେ । କିନ୍ତୁ ହୃଦୟର ଭାବ ଲିପିବଦ୍ଧ କରି ପାରିଲେ ନାହିଁ । ଏଣୁ ତେଣୁ ପତ୍ର ଲେଖି ଶେଷକଲେ ।

 

ଖାଇସାରିବା ପରେ ନିଦ ଆସିଲାନି । କଣ କରିବେ ! ଏହିପରି କେତେଦିନ କଟିବ ? ସେ ଭାବିଲେ ଖ୍ରୀଷ୍ଟଧର୍ମକୁ ସତ୍ୟ ଭାବି ସୁଦ୍ଧା ଗ୍ରହଣ କଲେ ଲୋକେ ନିନ୍ଦା କରିବେ । ନାନା କୁକଥା କହିବେ । କହନ୍ତୁ - ଚିନ୍ତାନାହିଁ । ହେଲେ ପିତାମାତା - ସେମାନେ କଣ କହିବେ ? ତାଙ୍କ ଅର୍ଥରେ ମଣିଷ ହୋଇ ଜାଣିଶୁଣି କିପରି ତାଙ୍କ ହୃଦୟରେ ଆଘାତ ଦେବେ ? ଏତେ ଅକୃତଜ୍ଞ କିପରି ଦେବେ ?

 

ଜଗନ୍ନାଥ ଅନେକ ଭାବିବାକୁ ଲାଗିଲେ । ବାପାଙ୍କୁ ମନେପକେଇ କାନ୍ଦିବାକୁ ଲାଗିଲେ । ଅଶ୍ରୁକଣାରେ ତାଙ୍କ ଉପାଧାନ ସିକ୍ତ ହେଲା । ରାତି ବାରଟା ହେଲା । ତଥାପି ତାଙ୍କର ନିଦ୍ରା ନାହିଁ । ବହୁକ୍ଷଣ ଭାବନା ପରେ ସେ କର୍ତ୍ତବ୍ୟ ଅବଧାରଣ କଲେ । ପରଦିନ ଦଶଦିନ ଛୁଟି ନେଇ ସେ ଗ୍ରାମକୁ ଯାତ୍ରା କଲେ । ଗେହ୍ଲେଇ ଭୋଜନାନ୍ତର ଗୃହତଳେ ବସ୍ତ୍ରାଞ୍ଚଳ ବିଛାଇ ଦେଢ଼ବର୍ଷର ପୁଅ ସହିତ ବିଶ୍ରାମ କରୁଅଛନ୍ତି । ଆଜିକାଲି ଗେହ୍ଲେଇର ଚେହେରା ଅନେକ ବଦଳି ଯାଇଚି । ସେ ସବୁବେଳେ ଜଗନ୍ନାଥ ବିଷୟ ଭାବୁଚି । ଜଗନ୍ନାଥ ଗୁଣବାନ୍ । ମାସିକ ଚାଳିଶ ଟଙ୍କା ପଠାଏ । ଏଡ଼େ ସୁଶୀଳ ଜଗନ୍ନାଥ ଆଜିକୁ ତିନିବର୍ଷ ହେଲା ଘରକୁ ଆସିଲାନାହିଁ । ବିବାହ କଲା ନାହିଁ । କାହିଁକି ସେ ପତାମାତାଙ୍କ କଥା ଅଗ୍ରାହ୍ୟ କଲା ! କାହିଁକି ସେ ବିଦେଳରେ କାଳ କାଟୁଚି ? ସେ ତ ଏଇ ଗାଁଆକୁ ଏତେ ଭଲ ପାଏ । କିନ୍ତୁ ମାଆର ଇଛାରେ ଚାଲିବାକୁ ସେ ପ୍ରସ୍ତୁତ ନୁହେଁ କାହିଁକି ?

 

ଗେହ୍ଲେଇ ନାନା କଥା ଭାବୁ ଭାବୁ ଭୋବନାର ପୁଅ ନିଧିଆକୁ କୋଡ଼କୁ ଆଉଜେଇ ଆଣି ଶୋଇ ଦେବାକୁ ଚେଷ୍ଟା କଲା । ସେଇ ସୁନ୍ଦର ଶିଶୁର ସ୍ୱର୍ଗାୟ ଅମୃତମୟ ଛବି ଦେଖିବାକୁ ଲାଗିଲା । ସତରେ ପିଲାକାଳେ ନାଥିଆ ଏହାଠାରୁ ବଳି ଆହୁରି ସୁନ୍ଦର ହୋଇଥିଲା । ଏହିପରି ନାନାକଥା ଭାବୁ ଭାବୁ ଗେହ୍ଲେଇ ନିଦରେ ଶୋଇ ପଡ଼ିଲା । ନିଦ୍ରିତ ଅବସ୍ଥାରେ ସ୍ୱପ୍ନ ଦେଖିଲା, ତାହାର ଜଗନ୍ନାଥ ଜୀର୍ଣ୍ଣ ମଳିନ ବେଶରେ ବହୁଦୁଃଖରେ ତାକର ହୋଇ ତାହାର ପାଦତଳେ ଆସି ଗଡ଼ି ପଡ଼ୁଛି । ଗେହ୍ଲେଇର ମାତୃସ୍ନେହ ଉଛୁଳି ଉଠିଲା । ସେ ସାନପିଲା ପରି ତାହାକୁ କୋଳକୁ ଟାଣି ନେବାକୁ ଚେଷ୍ଟା କଲା । ଆନନ୍ଦ ଆବେଗରେ ତାହାର ନିଦ ଭାଙ୍ଗି ଗଲା । ସେ ହଠାତ୍ ଚମକି ଉଠି ଦେଖିଲା ସତକୁ ସତ ତାହାର ପୁତ୍ର ଜଗନ୍ନାଥ ତାହାର ନିକଟରେ ଉପସ୍ଥିତ । ଗେହ୍ଲେଇ ନିଜକୁ ଦେଖିଲା ଆଖିକୁ ବିଶ୍ୱାସ କରି ପାରିଲା ନାହିଁ ।

 

ମାଆର ବିସ୍ମୟ ଭଗ୍ନକରି ଜଗନ୍ନାଥ ପ୍ରଥମ କଥା କହିଲେ । “ମା, ମା” କହି କାନ୍ଦି ଉଠିଲେ । ଗେହ୍ଲେଇ ଆନନ୍ଦ ଆବେଗରେ ପୁଅକୁ କୁଣ୍ଢାଇ ପକାଇଲା । ଜଗନ୍ନାଥ ସାନ ଛୁଆଟି ପରି କାନ୍ଦିବାକୁ ଲାଗିଲେ । ବହୁକ୍ଷଣ ପରେ ସାନ୍ତ୍ୱନା ଲାଭ କରି ଜଗନ୍ନାଥ ମାତାର

 

ଗୋଡ଼ଧରି କହିଲେ - “ମା, ମୁଁ ବିଶେଷ କାରଣରୁ ଦଶଦିନ ଛୁଟି ନେଇ ଆସିଛି । ତୁ ମୋର ସବୁଠାରୁ ବଳି ବଡ଼ ଇଷ୍ଟ । ଜଗତରେ ମୁଁ ଯଦି କିଛି ଭଲ ପାଏ - ସେ ତୋତେ, ତୁ ମୋର ସବୁଠାରୁ ପ୍ରିୟ କିନ୍ତୁ - ” ମାତାର ହୃଦୟ ସ୍ନେହାତିଶଯ୍ୟରେ ଚମକି ଉଠିଲା । ପୁଣି ଜଗନ୍ନାଥ କହିଲେ “କିନ୍ତୁ ବାପ ମା’ ଠାରୁ ମଧ୍ୟ ମଣିଷର ଖୋଜିବାର ବିଷୟ ଆହୁରି ଅଛି । ମଣିଷ ସବୁ ପାଇ ମଧ୍ୟ ସୁଖ ପାଏ ନାହିଁ

 

ମୁଁ ପରା ତୋତେ ଏଡ଼େଟିରୁ ଏଡ଼େ କଲି । ମୋର ଦଶମାସ ଗର୍ଭ ବେଦନା ତୁ କାହୁଁ ବୁଝିବୁ !” ଜଗନ୍ନାଥ ନୀରବ, କିଛି କହିଲେ ନାହିଁ । ଅଶ୍ରୁପୂର୍ଣ୍ଣ ନୟନରେ ଭାଇ ଭୋବନା ଅନାଇଁଥାଏ । ପିତାମାତାର ଦୁଃଖ ଦେଖି ତାକୁ ବଡ଼ କଷ୍ଟ ହେଲା । ସେ ଭାଇକୁ ଅନେକ ଅନୁନୟ ବିନୟ କଲା । କାହିଁରେ କିଛି ହେଲା ନାହିଁ । ଜଗନ୍ନାଥ ଉଠି ଚାଲିଗଲେ । ଗୃହରୁ ଓ ପରିବାରରୁ ଶେଷ ବିଦାୟ ନେଇ ବାହାରକୁ ଗୋଡ଼ କାଢ଼ିଲେ ।

 

ଦିନା କପାଳରେ ହାତ ଦେଇ ଭାବିବାକୁ ଲାଗିଲା । ଗେହ୍ଲେଇ ଆଉ ବିଛଣାରୁ ଉଠିଲା ନାହିଁ । କେବଳ ହାୟ ହାୟ ଶବ୍ଦ ଦୀନାର ପରିବାରରୁ ଶୁଣାଗଲା । ପୁତ୍ରକୁ ପାଠ ପଢ଼ାଇଥିବାରୁ ଘୋର ଲଜ୍ଜା ଓ ଅନୁତାପରେ ଦୀନାର ହୃଦୟ ସତେ ଯେପରି ଫାଟି

ପଡ଼ିଲା ।

 

ଷଷ୍ଠ ପଟ

 

କାହିଁ ସେ, କିଏ ସେ ନଜାଣି ମୁଁ ମରେ ଲୁଚିଗଲା କାହିଁ ଦେଖା ଦେଇ ଥରେ ଏବେ ଖୋଜିବୁଲେ ସରବ ଧରଣୀ କାହିଁ ମୋର ସଖା ପ୍ରିୟ ଗୁଣମଣି । ଦୁଇବର୍ଷ ଅତିବାହିତ ହୋଇଗଲାଣି । ବୀରବାବୁ ଦାଣ୍ଡ ଘରେ ବସି ବହିପତ୍ର ଦେଖୁଛନ୍ତି । ଡାକ ହରକରା ଗୋଟାଏ ପତ୍ର ଦେଇଗଲା । ଜଗନ୍ନାଥର ହସ୍ତାକ୍ଷର ଦେଖି ବୀରବାବୁ ଆନନ୍ଦରେ ପତ୍ରଟି ଫିଟାଇଲେ, ପତ୍ର ପାଠକରି ତାଙ୍କର ଚକ୍ଷୁ ସ୍ଥିରହେଲା । ସେ ବାଳକ ପରି କାନ୍ଦିପକାଇଲେ । କିଛିକ୍ଷଣ ପରେ ପ୍ରକୃତିସ୍ଥ ହୋଇ ଘରଭିତରକୁ ଯାଇ ମାଙ୍କୁ କହିଲେ - “ମା, ମୁଁ କଲିକତା ଯାଉଛି । ଆଜି ରାତି ଗାଡ଼ିରେ ଯିବ । ଜଗନ୍ନାଥ ମୃତ୍ୟୁ ଶଯ୍ୟାରେ - ସେ ବଡ଼ ବେରାମ । ତାର ବନ୍ଧୁ ଜଣେ ପତ୍ର ଦେଇଛି ।”

 

ବୀରବାବୁଙ୍କ ମାତା ଦ୍ୱିରୁକ୍ତି ନ କରି ଅନୁମତି ଦେଲେ । ବୀରବାବୁ ରାତିଗାଡ଼ିରେ କଲିକତା ଗଲେ । ଗୋଟିଏ କ୍ଷୁଦ୍ର ଅପରିଷ୍କାର ଗଳି । ଦୁଇଆଡ଼େ ଘରଗୁଡ଼ିକ ଲଗାଲଗି ହୋଇ ନିର୍ମିତ । ଆଲୋକ ପ୍ରବେଶର ପଥ ପର୍ଯ୍ୟନ୍ତ ରୁଦ୍ଧ । ରାସ୍ତାଟି ଦୁର୍ଗନ୍ଧ ଏବଂ ଆବର୍ଜନାରେ ପରିପୂର୍ଣ୍ଣ । ମାଛିମାନେ ପଲ ପଲ ଉଡ଼ୁଚନ୍ତି । କଲିକତା ସହର । ଆଜିକାଲିର କଲିକତା ସହର ନୁହେଁ । ପୂର୍ବକାଳର କଥା । ଦୁଇ ଆଡ଼ର ନାଳରେ ପଚାପାଣି ବୋହିଯାଇ ସମଗ୍ର ସ୍ଥାନଟିକୁ ଅତି ଦୁର୍ଗନ୍ଧରେ ପୂର୍ଣ୍ଣ କରି ପକାଇଛି । ହଠାତ୍ ନ ଜାଣିବା ଲୋକ ପଶିଗଲାମାତ୍ରେ ତାହାହର ସମଗ୍ର ଶରୀର ଦୁର୍ଗନ୍ଧରେ ଅବଶ ହୋଇଉଠେ । ସେ ବାନ୍ତି ସମ୍ଭାଳି ପାରେ ନାହିଁ । ଏଣେ ତେଣେ ଗୋରୁହାଡ଼, କୁକୁଡ଼ା ପର, ମାଛ କାତି ବିଛାଇ ହୋଇ ପଡ଼ିଅଛି । କାଦୁଅ ପଙ୍କ ସ୍ଥାନେ ସ୍ଥାନେ ପୂର୍ଣ୍ଣ । ଏହିପରି ଗଳିର ବାମ ଦିଗରେ ଗୋଟିଏ କ୍ଷୁଦ୍ର ଏକତଳ ପକ୍ କାଘର । ଜୀର୍ଣ୍ଣଶୀର୍ଣ୍ଣ କାନ୍ଥ ସ୍ଥାନେ ସ୍ଥାନେ ଭାଙ୍ଗି ଯାଇ ସିମେଣ୍ଟ୍ କାମ ଖସି ପଡ଼ିଛି । ଇଟାଗୁଡ଼ିକ ସ୍ଥାନେ ସ୍ଥାନେ ଫାଟିଆଁ କରିଛି । ଖଣ୍ଡେ ଖଣ୍ଡେ ଭାଙ୍ଗି ଯାଇଛି । ଚାରିଆଡ଼େ କଳା, ଅଳନ୍ଧୁ, ବୁଢ଼ିଆଣୀ ବସା ପୂର୍ଣ୍ଣ । ଛୋଟ ଗୋଟାଏ କାମିନୀ ଫୁଲଗଛ ଗୋଟାଏ କୋଣ ଅନ୍ଧକାର କରିଅଛି । ସାମନା ନାଳରେ ବାରବରଷର ମଇଳା ପାଣି ବହିଯାଇ ଘର ଚାରିଆଡ଼ ଦୁର୍ଗନ୍ଧରେ ଭରି ଦେଉଛି । ସମ୍ମୁଖକୁ କାଷ୍ଠନିର୍ମିତ ଦୂର । ସବୁଜ ରଙ୍ଗ । ବହୁ ପୁରାତନ, ଜୀର୍ଣ୍ଣଶୀର୍ଣ୍ଣ ।

 

ଠିକ୍ ସେହି ଦ୍ୱାର ସାମନାକୁ ଗୋଟିଏ ଫେଟିନ୍ ଗାଡ଼ି ଆସି ଠିଆ ହେଲା । ଗାଡ଼ିରୁ ବୀରବାବୁ ଓହ୍ଲାଇ ପଡ଼ି କୋଚ୍‌ମ୍ୟାନ୍‌କୁ ତାହାର ଭଡ଼ା ଆଦି ଦେଇ ଆପଣାର କ୍ଷୁଦ୍ର ବ୍ୟାଗ୍‌ଟି ହାତରେ ଧରି ବହୁପରିଚିତ ପରି ଦ୍ୱାର ଠେଲି ଘର ଭିତରକୁ ପଶିଗଲେ ।

 

ଦାଣ୍ଡଘର । ସେ ଘରେ କୌଣସି ଆସବାବ୍ ପତ୍ର ନଥିଲା । କୋଣମାନଙ୍କରେ ଚାରିଆଡ଼େ ଧୂଳି, କାନ୍ଥରେ ଅଳନ୍ଧୁ, ବୁଢ଼ିଆଣୀ ବସା । ଗୋଟିଏ ଭଙ୍ଗା ମେଜ ଉପରେ ପରସ୍ତେ ଧୂଳି, ତା’ ଉପରେ ଦୁଇଚାରିଖଣ୍ଡ ଛିଣ୍ଡା ବହି ଓ ଗୋଟିଏ ଭଙ୍ଗା ପାନିଆ ପଡ଼ି ରହିଛି । ମେଜ ଚାରି ପାଖରେ ଦୁଇଟା ଅଧା ଭଙ୍ଗା ଚୌକୀ, ଗୋଟିଏ ପୁରୁଣା ଷ୍ଟୁଲ୍, ଗୋଟିଏ ଛିଣ୍ଡା ବେତର କେଦାରା ପଡ଼ିରହିଛି । ସେସବୁ ଉପରେ ପରସ୍ତ ପରସ୍ତ ଧୂଳି ପଡ଼ିରହି ଗୃହକର୍ତ୍ତାର ସଭ୍ୟତାର ପରିଚୟ ଦେଇଛି । କାନ୍ଥରେ ଦୁଇଟା ଛବି । ତା ଉପରେ ଧୂଳିର ଗୋଟାଏ ପ୍ରସ୍ତ ଛବିର ଆକୃତିକୁ ଲୁଚେଇ ଦେଉଛି । ଘର ଭିତର କୋଠରୀକୁ ଯିବାକୁ ବିପରୀତ ଦିଗରେ ଆଉ ଗୋଟିଏ ଦ୍ୱାର ଥିଲା । ବୀର କବାଟ ଠେଲି ଭିତରକୁ ପଶିଲେ । ଦ୍ୱିତୀୟ କୋଠରୀଟିରେ ଦଶା ମଧ୍ୟ ପ୍ରଥମ କୋଠରୀ ପରି; କିନ୍ତୁ ଅଳ୍ପ ପରିସ୍କାର ପରିଚ୍ଛନ୍ନ ଥିଲା । ମେଜ ଚୌକୀ ଇତ୍ୟାଦି ନ ଥାଇ ଗୋଟିଏ ପୁରୁଣା କ୍ୟାନଭାସ୍ ଖଟ ଉପରେ ମଇଳା ଚାଦର ବିଛା ହୋଇଛି । ତାହା ଜୀର୍ଣ୍ଣ ଶୀର୍ଣ୍ଣ, ଅସ୍ଥିକଙ୍କାଳସାର ଜଗନ୍ନାଥ ତାହା ଉପରେ ପଡ଼ି ଅସ୍ପଷ୍ଟ ଆର୍ତ୍ତ ଚିତ୍କାର କରୁଛନ୍ତି ।

 

ବୀର ହଠାତ୍ ଘର ଭିତରକୁ ପଶି ଆସି ଜଗନ୍ନାଥକୁ ଖଟ ଉପରେ ଦେଖିବାକୁ ପାଇ ଚିହ୍ନି ପାରିଲେନାହିଁ । ନିକଟକୁ ଯାଇ ଦେଖିଲେ, ସେ ପ୍ରକୃତ ଜଗନ୍ନାଥ । କିନ୍ତୁ ତା’ର ଆଉ ସେ ପୂର୍ବ ରୂପ ନାହିଁ । ରଙ୍ଗ କଳା । ଆଖି କୋଟର ଭିତରକୁ ପଶିଯାଇଛି । ଗାଲର ହନୁ ହାଡ଼ ଦୁଇଟା ପଦାକୁ ବାହାରି ପଡ଼ିଛି । ମୁହଁର ଚେହେରା ଭୟଙ୍କର । ଠିକ୍ ଗୋଟାଏ ହାଡ଼ଗିଳା ଭୂତ ପରି । ହାତ ଓ ଗୋଡ଼ର ହାଡ଼ ଉପରେ ଦୁଇଖଣ୍ଡ ଚମ ଘୋଡ଼ାଇ ହୋଇ ରହିଛି । ଜଗନ୍ନାଥ ବିଛଣାରେ ପଡ଼ି ଅତିରିକ୍ତ ବେଦନାରେ ଛଟପଟ ହୋଇ ଅଧୀର ଭାବରେ କାନ୍ଦୁଛି । ପାଖରେ କେହି ନାହିଁ । ବୀରବାବୁ ଆଶ୍ଚର୍ଯ୍ୟ ଭାବରେ ଚାହିଁ ରହିଲେ । କିପରି ଏପରି ଦୁର୍ଦ୍ଦଶା ହେଲା କିଛି ବୁଝି ପାରିଲେ ନାହିଁ । ବ୍ୟାଗ୍ ଟା ତଳେ ଥୋଇ ଦେଇ ନଇଁପଡ଼ି “ଜଗନ୍ନାଥ” ବୋଲି ଡାକିଲେ ।

 

ଜଗନ୍ନାଥ ଅଚିହ୍ନା ପରି ମୁହଁକୁ କେବଳ ଚାହିଁ ରହିଲେ । ବୀରକୁ ଚିହ୍ନି ପାରିଲେ ନାହିଁ । କ’ଣ କହିବାକୁ ଉପକ୍ରମ କରି କଣ୍ଠ ତାଙ୍କର ରୁଦ୍ଧ ହେଲା । ଖାଲି ଅର୍ଥଭରା ଦୃଷ୍ଟିରେ ଅସହାୟ ଭାବରେ ଚାହିଁ ରହିଲେ । ବୀରବାବୁଙ୍କ ଆଖିରୁ ଦୁଇଧାର ଲୁହ ଗଡ଼ି ପଡ଼ିଲା । ବୀର ସେଠାରୁ ଉଠିଯାଇ ଅଗଣାରେ ପ୍ରବେଶ କଲେ । ଦେଖିଲେ ରନ୍ଧାଘର ଭିତରେ ଗୋଟିଏ ଯୁବତୀ ବାଳିକା । ରୁପରୁ ପଠାଣ ବାଳିକା ପରି ଅନୁମତି ହେଉଛି । ଗୋଟିଏ ମୋଟା ମଇଳା ବିଲାତି ଧୋତି ପିନ୍ଧିଛି । ତାହାର ସ୍ଥାନେ ସ୍ଥାନେ କଳା, ହଳଦୀ ଓ ହାତପୋଛା ଦାଗ । ଅସଂଖ୍ୟ ରୂପାର ପାତିଆ− କାନଟାକୁ ଛାଇ ଦେଇଛି । ହାତରେ ଜର୍ମାନୀ ସିଲ୍‌ଭରର ଚାରି ଚାରି ପଟ ଚୁଡ଼ି । ମୁଣ୍ଡ ଝାଟୁଆ । ଛୋଟ ଛୋଟ ବାଳ କପାଳ ଓ ମୁହଁକୁ ଘୋଡ଼ାଇ ପଡ଼ି ବଡ଼ ବିଚିତ୍ର ଦେଖାଯାଉଛି । ବାଳିକାର ବର୍ଣ୍ଣ ଶ୍ୟାମଳ । ଚେହେରା ମନ୍ଦ ନୁହେଁ । ବେଶ୍ ମୋଟା ଶରୀର । ସେ ଧୂଆଁ ଜ୍ୱାଳାରୁ ରନ୍ଧାଘରୁ ବାହାରି ପଡ଼ି ହଠାତ୍ ସମ୍ମୁଖରେ ପରିଷ୍କାର ପୋଷାକ ପିନ୍ଧା ବାବୁଜଣଙ୍କୁ ଦେଖି ଚମକି ପଡ଼ି ଠିଆ ହୋଇ ରହିଲା । କିଛିକ୍ଷଣ ପରେ ସାହାସ କରି ବାଳକଟି ପଚାରିଲା - “ଆପଣ କିଏ ?”

 

ବୀରବାବୁ ତାହାର ପ୍ରଶ୍ନରେ ପ୍ରଥମେ କିଛି ଉତ୍ତର ଦେଇ ନ ପାରି ପଚାରିଲେ - “ତୁ ଏଠାରେ କ’ଣ କରୁଚୁ ? ଏଠାରେ ଜଗନ୍ନାଥ ବାବୁ ଅଛନ୍ତି କି ? ତୁ କଣ ଜଗନ୍ନାଥ ବାବୁର ରାନ୍ଧୁଣୀ ?” ଅବଶ୍ୟ ସେ ବଙ୍ଗଳାରେ ପ୍ରଶ୍ନ କଲେ । କାରଣ ବାଳିକାଟି ବଙ୍ଗଳାରେ ପ୍ରଶ୍ନ କରିଥିଲା ।

 

ସେ ବୀରବୀବୁଙ୍କ କଥା ଶୁଣି ହଠାତ୍ ଆଶ୍ଚର୍ଯ୍ୟ ହୋଇ କହିଲା - ସେ ଜଗନ୍ନାଥ ବୋଲି କାହାକୁ ଚିହ୍ନେନାହିଁ । ସେଠାରେ ଯୋନାଥନ୍ ପାତ୍ର ନାମରେ ଜଣେ ଖ୍ରୀଷ୍ଟିୟାନ୍ , ତାଙ୍କ ଘରେ ଭଡ଼ାରେ ଥାଇ ବେରାମ ପଡ଼ିଛି । ସେ ଗୃହକର୍ତ୍ତାର କନ୍ୟା । ସେମାନେ ଜାତିରେ ମୁସଲମାନ୍ । ତାହାର ବାପ ବବୁର୍ଚ୍ଚ ବବୁର୍ଚ୍ଚି କାମ କରେ ।

 

ବୀରବାବୁ ଶୁଣି ଅବାକ୍ ହେଲେ । କି ଉତ୍ତର ଦେବେ ଭାବି ପାରିଲେ ନାହିଁ । ବାଳିକାଟି ଉତ୍ତରର ଅପେକ୍ଷା ନ କରି ରନ୍ଧା ଘର ଦ୍ୱାର ଦେଇ ସାମନା କବାଟ ବାଟେ ଅନ୍ୟ ଏକ ଗୃହରେ ପ୍ରବେଶ କଲା । ବୀର ବାବୁ ହତବାକ୍ ହୋଇ ଛିଡ଼ା ହୋଇ ରହିଲେ ।

 

କିଛିକ୍ଷଣ ପରେ ଜଣେ ଦାଢ଼ିଆ ପଠାଣ ଆସି ବୀରବୀବୁଙ୍କ ସମକ୍ଷରେ ଉପସ୍ଥିତ ହେଲେ । ତାଙ୍କ ବୟସ ପ୍ରାୟ ଚାଳିଶି ପାର ହୋଇଗଲାଣି । ଦୀର୍ଘାକାର, କୃଷ୍ଣ ବର୍ଣ୍ଣ ଯମାକୃତି ପଠାଣଟି ବୀରବାବୁଙ୍କ ସମ୍ମୁଖକୁ ଆସି ତାହାର ଯୁବତୀ କନ୍ୟା ସହିତ ବାକ୍ୟାଳାପ ଦୋଷରେ ବୀରବାବୁଙ୍କୁ ଭର୍ତ୍ସନା କରିବାକୁ ଲାଗିଲା । ବୀରବାବୁ କିଛି ବୁଝିପାରିଲେ ନାହିଁ । ଅଜଣା ରାଜ୍ୟକୁ ଆସି ଏପରି ବିପଦରେ ପଡ଼ିବାକୁ ହେବ ବୋଲି ସେ କଳ୍ପନା ସୁଦ୍ଧା କରି ନ ଥିଲେ । ସେ ସ୍ଥିରଭାବେ ଠିଆ ହୋଇ ସବୁ ଶୁଣିବାକୁ ଲାଗିଲେ । ପଠାଣଟି କି କାରଣରୁ ତାହାଙ୍କୁ ଏପରି ଭର୍ତ୍ସନା କରୁଛି ସେ ବୁଝିପାରିଲେ ନାହିଁ । ଭଲା, କଲିକତା ସହର । ଅନେକ କ୍ଷଣ ପରେ ପଠାଣଟି ଶାନ୍ତ ହେବାରୁ ବୀରବାବୁ ଧୀରସ୍ୱରରେ କହିଲେ - ସେ ଜଗନ୍ନାଥ ପାତ୍ର ନାମକ ଜଣେ ହିନ୍ଦୁ ଲୋକଙ୍କୁ ଖୋଜିବାକୁ ଆସିଛନ୍ତି । ସେ ବର୍ତ୍ତମାନ ବଡ଼ ବେରାମ ଅଛନ୍ତି ।

 

ପଠାଣ ବୀରବାବୁଙ୍କ କଥାର ଅର୍ଥ ବୁଝି ନ ପାରି କହିଲା ଯେ, ସେଠାରେ କେହି ହିନ୍ଦୁଲୋକ ନାହିଁ । କିନ୍ତୁ ଯୋନାଥନ୍ ପାତ୍ର ନାମରେ ଜଣେ ଖ୍ରୀଷ୍ଟିୟାନ୍ ବାବୁ ବର୍ତ୍ତମାନ ବେରାମ ଅବସ୍ଥାରେ ତା’ ଘରେ ଆଶ୍ରୟ ନେଇଛି । ଯୋନାଥନ୍ ବାବୁର ଅତି ଦୟାଳୁ ସଂଗୀ ବିଜୟ ବାବୁ ଆଜିକୁ ଦୁଇଦିନ ହେଲା ତାହାଙ୍କର ସମସ୍ତ ସମ୍ପତ୍ତି ଅପହରଣ କରିନେଇ ପଳାଇଛି ।” ବୃଦ୍ଧ ପଠାଣ ଅତି ବିଦ୍ରୂପ ଭାବରେ କହିଲା । ଯୋନାଥନ୍ ନିଃସହାୟ ଅବସ୍ଥାରେ ପଡ଼ିଥିବାରୁ ସେମାନେ ଦୟା ପରବଶ ହୋଇ ତାହାକୁ ଦେଖାଚାହାଁ କରୁଅଛନ୍ତି ।

 

ପଠାଣଟି ଅତ୍ୟନ୍ତ ବିରକ୍ତି ସହକାରେ ନୀଚ ଖ୍ରୀଷ୍ଟିୟାନ୍ମାନଙ୍କୁ ଭର୍ତ୍ସନା କରି କ୍ରୋଧ ଶାନ୍ତ କରିବାକୁ‬‬ ଲାଗିଲା । ବୀରବାବୁ ମୂକବତ୍ ସବୁ ଶୁଣିଲା ପରେ ପଚାରିଲେ - “ଯୋନାଥନ୍ ପାତ୍ର କଣ ପୂର୍ବରୁ ହିନ୍ଦୁ ଥିଲେ ?” ପଠାଣ ସେ ସବୁକିଛି ଜାଣି ନଥିଲା । ସେ ରାଗରେ କହିଲା - “ସେ ହିନ୍ଦୁ କି ଖ୍ରୀଷ୍ଟିୟାନ୍ ଥିଲା ମୁଁ ଜାଣେ ନାହିଁ । ଏତିକି ଜାଣେ, ସେ ଲୋକଟି ବିଜୟ ଚନ୍ଦ୍ର ସେନ୍ ସହିତ ଏଠାକୁ ଆସି ପଡ଼ିଛି । ଦୁଇଦିନରେ ମରିବ ଓ ସେଥିପାଇଁ ମୁଁ ତାକୁ ଆଜି ଡାକ୍ତରଖାନାକୁ ବିଦାୟ ଦେବି ।”

 

ବୀର ଅଗତ୍ୟା ଜଗନ୍ନାଥର ଘରକୁ ପଶି ଦେଖିଲେ ଜଗନ୍ନାଥ ପୂର୍ବବତ୍ ପଡ଼ି ରହିଛି । ତାହାର ସର୍ବାଙ୍ଗରୁ ଝାଳ ବହୁଛି । ବୀର ବ୍ୟାଗ୍‌ଟି ଫିଟାଇ କ’ଣ କେଜାଣି ମନେକରି ଚାରୋଟି ରୌପ୍ୟମୁଦ୍ରା ବାହାର କରି ପୂର୍ବୋକ୍ତ ପଠାଣକୁ ଦେଲେ । ରୂପାର ମୁଦ୍ରା ଦେଖି ପଠାଣ ମୋହିତ ହୋଇଗଲା । ସେ ସମ୍ମାନ ସହକାରେ ବୀରବାବୁଙ୍କ ନାମଧାମ ପଚାରିଲା । ବୀର ତାହାର କଥାରେ ସ୍ୱଳ୍ପ ଉତ୍ତର ଦେଇ ଉପସ୍ଥିତ କ୍ଷେତ୍ରରେ ତାହାର ସାହାଯ୍ୟ ଭିକ୍ଷା କଲା । ପଠାଣଟି ଆହ୍ଲାଦ− ପୂର୍ବକ କହିଲା - “ବାବୁ ଆମି ସବ୍ କର୍‌ବୋ । ଜାନ୍ ଦିତେ ହୟ ଦିବ । ଆପନି ମେହେର୍ବାନି ରଖିବେନ୍ ।”

 

ବୀରବାବୁ ଟଙ୍କାର ଅଦ୍ଭୁତ ଶକ୍ତି ଦେଖି ଆଶ୍ଚର୍ଯ୍ୟ ହେଲେ । ତାହାପରେ ବୀରବାବୁ ପଠାଣ ସାହାଯ୍ୟରେ ବଜାରରୁ ସାଗୁ, ବାର୍ଲି ଓ ଦୁଧ ମଗାଇ ରନ୍ଧାଇ ଦେଲେ । ଅଧ ଘଣ୍ଟାକ ମଧ୍ୟରେ ତାହା ଶେଷ କରି ଜଗନ୍ନାଥର ମୁହଁରେ ଚାମୁଚେ ଚାମୁଚେ କରି ଦେବାକୁ ଲାଗିଲେ । ଜଗନ୍ନାଥ କ୍ଷୁଧାତୁର ଭାବରେ ସେଥିରୁ ଅନେକ ଅଂଶ ଖାଇଦେଲେ । ବୀରର ହୃଦୟ ବ୍ୟଥିତ ହେବାକୁ ଲାଗିଲା । କିଛିକ୍ଷଣ ପରେ ଜଗନ୍ନାଥର ବାକ୍‌ଶକ୍ତି ଫେରି ଆସିଲା । ସେ କ୍ଷୀଣ କଣ୍ଠରେ ବୀରକୁ ପଚାରିଲେ - “ଆପନି କେ ? ଆମି ଚିନି କରିଛି ।”

 

ବୀରବାବୁ କହିଲେ - “ମୁଁ ବୀର ପରା ! କଟକର । ଭୁଲିଗଲୁଣି କି ? ତୁ କଣ ପୂର୍ବର ଜଗନ୍ନାଥ ନୋହୂ ?”

 

ଜଗନ୍ନାଥ ଚକ୍ଷୁ ମୁଦ୍ରିତ କରି କିଛିକ୍ଷଣ ଭାବିବାକୁ ଲାଗିଲା । ପରେ ଦୀର୍ଘନିଃଶ୍ୱାସ ନିକ୍ଷେପ କରି କହିଲା - “ବୁଝିଲା ବୀରବାବୁ, ଆହା” - ଆଉ କିଛି କହିପାରିଲା ନାହିଁ । ତାହାର ନେତ୍ରରୁ ଝର ଝର ଗଡ଼ିପଡ଼ିଲା । ପରେ ହସ୍ତ ସଂକେତ କରି ବୀରଙ୍କୁ ସାମନାରେ ଟଙ୍କା ହୋଇଥିବାରୁ କୋଟ ଆଣିବାକୁ କହିଲା ।

 

ବୀରବାବୁ କୋଟ୍‌ଟି ଆଣି ପକେଟରୁ ଗୋଟିଏ ନୋଟ୍‌ବୁକ୍ ବାହାର କରି ପତ୍ର ଓଲଟାଇ ଦେଖିଲେ - ଜଗନ୍ନାଥ ନାମ ଯୋନାଥନ୍‌ରେ ବଦଳି ଯାଇଚି । ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ଜଗନ୍ନାଥ, ତୁ କଣ ଖ୍ରୀଷ୍ଟିୟାନ୍ ହୋଇଗଲୁ ?”

 

କ୍ଷୀଣ କଣ୍ଠରେ ଜଗନ୍ନାଥ କହିଲା “ହଁ ।” ବୀରବାବୁ ଶଯ୍ୟାରେ ନଇଁପଡ଼ି କାତର କଣ୍ଠରେ ପ୍ରାର୍ଥନା କରିବାକୁ ଲାଗିଲେ । ଅପରାହ୍‌ଣରେ, ଛାଇ ବୁଡ଼ିଯିବାପରେ ପୂର୍ବୋକ୍ତ ପଠାଣ ସାହାଯ୍ୟରେ ବୀରବାବୁ ଜଗନ୍ନାଥକୁ ଷ୍ଟେସନକୁ ଆଣି କଟକ ଗାଡ଼ିରେ ଚଢ଼ିଲେ ।

 

ସକାଳ ହୋଇ ଆସୁଥାଏ । ଜଗନ୍ନାଥକୁ ଆଣି ବୀରବାବୁ ଘରେ ପହଞ୍ଚିଲେ । ଜଗନ୍ନାଥକୁ ଅତି ଯତ୍ନରେ ବିଛଣାରେ ଶୁଆଇଦେଲେ । ବିଶ୍ରାମ ନ କରି ସେହିକ୍ଷଣି କଟକର ବିଖ୍ୟାତ ଡାକ୍ତରମାନଙ୍କୁ ଡାକି ଆଣିଲେ । ଜଗନ୍ନାଥଙ୍କର ରୀତିମତ ଚିକିତ୍ସା ଆରମ୍ଭ ହେଲା ।

 

ପନ୍ଦର ଦିନ ଧରି ପ୍ରାଣପଣେ ଚିକିତ୍ସା ଓ ଯତ୍ନ ନେଇ ବୀରବାବୁ, ତାଙ୍କ ସ୍ତ୍ରୀ ଗୁଲ୍ ବଦନୀ, ତାଙ୍କ ମାତା ଓ ଶଶୀ ଜଗନ୍ନାଥଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବାକୁ ଲାଗିଲେ । ତାଙ୍କର ଦାଣ୍ଡ ଘରଟି ଡାକ୍ତରଖାନାରେ ପରିଣତ ହୋଇଗଲା ।

 

ପନ୍ଦର ଦିନ ପରେ ଜଗନ୍ନାଥ କ୍ରମେ ସୁସ୍ଥ ହେବାକୁ ଲାଗିଲେ । କ୍ରମେ ପୂର୍ବଶକ୍ତି ଫେରିପାଇଲେ । ତାଙ୍କ ଚେହେରାରେ ପରିବର୍ତ୍ତନ ଜଣାଗଲା । ସେ କଥା କହି ପାରିଲେ । ଉଠିକରି ବୁଲାଚଲା କରିବାକୁ ଲାଗିଲେ; ତଥାପି ଦୁର୍ବଳତା ଯାଇ ନ ଥାଏ ।

 

ଆହୁରି ପନ୍ଦର ଦିନ ପରେ ଡାକ୍ତର ବ୍ୟବସ୍ଥା ଦେଇ ବିଦାୟ ନେଲେ । ବୀରବାବୁଙ୍କର ଚାରିଶହ ଟଙ୍କା ଖର୍ଚ୍ଚ ପରେ ଜଗନ୍ନାଥ ସବଳ ସୁସ୍ଥ ହୋଇ ବିଛଣାରୁ ଉଠିଲେ; କିନ୍ତୁ ଦାଣ୍ଡ ଗୃହ ଛଡ଼ା ଅନ୍ୟ ଗୃହରେ ପ୍ରବେଶ କରୁ ନ ଥିଲେ । ତାହାଙ୍କର ସେ କୋଟରଗତ ଚକ୍ଷୁ ପୁନଃ ପ୍ରଫୁଲ୍ଲ ଓ ଜ୍ୟୋତିର୍ମୟ ହୋଇ ଉଠିଲା । ଜୀର୍ଣ୍ଣଶୀର୍ଣ୍ଣ ଦେହ ଉପରେ ମାଂସ ଦୃଢ଼ ହେବାକୁ ଲାଗିଲା । ପୁନର୍ବାର ରଙ୍ଗ ପରିଷ୍କାର ହେବକୁ ଲାଗିଲା ।

 

ବୀରବାବୁଙ୍କ ଘରେ ରହିବାର ଛମାସ ହୋଇ ଗଲାଣି, ଜଗନ୍ନାଥର ପୂର୍ବ ସୌନ୍ଦର୍ଯ୍ୟ ଫେରିଆସିଛି । ଚେହେରା ସୁନ୍ଦର ଓ ବଳିଷ୍ଠ ହେଲାଣି । ଆଜିକାଲି ସେ ଏଘର ସେ ଘର ହୁଅନ୍ତି । ବାଡ଼ି ବଗିଚାରେ ବୁଲନ୍ତି । କିଛି କିଛି କାମ ମଧ୍ୟ କରନ୍ତି । ବୀରବ ବୁ ସସ୍ନେହ ତାଙ୍କୁ କାର୍ଯ୍ୟ କରିବାକୁ ବାରଣ କରନ୍ତି-। କିନ୍ତୁ ଆଜିକାଲି ସେ ଖ୍ରୀଷ୍ଟିୟାନ୍ ଓ ଯୋନାଥନ୍ ପାତ୍ର ନାମରେ ପରିଚିତ । ଯୋନାଥନ୍‍ର ସୁବ୍ୟବହାର ଦ୍ୱାରା ସସସ୍ତେ ପରିତୁଷ୍ଟ ହୋଇ ଅଛନ୍ତି । ଶଶୀ ତାଙ୍କୁ ଭାଇ ଭାଇ ଡାକେ ।

 

ଯୋନାଥନ୍‍ର ପ୍ରଧାନସଙ୍ଗୀ ବୀରବାବୁଙ୍କ ସାନ ଝିଅ ବନବାସିନୀ । ଯୋନାଥନ୍ ସେହି ତିନିବର୍ଷ ବୟସ୍କ। ଶିଶୁକନ୍ୟାଟି ସହିତ ପ୍ରାୟ ଦିନରାତି ଖେଳୁଥାନ୍ତି । ଆଜିକାଲି ତାହାଙ୍କ ଜୀବନ ଶିଶୁର ଜୀବନ ଭଳି ସରଳ ଓ ସ୍ନେହପୂର୍ଣ୍ଣ ହୋଇପଡ଼ିଛି । ବନଟିକୁ କାଖେଇ ବାଡ଼ି ବାଡ଼ି ବୁଲିବା, ପୋଖରୀ କୂଳରେ ବସି ଖେଳିବା ତାହାଙ୍କର ନିତ୍ୟ ସୁଖ । ସୁଚରିତ୍ର ଯୋନାଥାନ୍ ନିର୍ଦ୍ଦୋଷ ଭାବେ ଖେଳିବୁଲି ସୁଖରେ ଅଛନ୍ତି । ମନ ମଧ୍ୟରେ କିନ୍ତୁ ଆଉ ଗୋଟିଏ ଚିନ୍ତା । ଅହରହ ତାହାହିଁ ତାଙ୍କୁ ବ୍ୟସ୍ତ କରୁଚି । ଆଜିକାଲି ସେ ବେଶ୍ ସୁସ୍ଥ, ସେ କାହିଁକି ପୁନର୍ବାର କାର୍ଯ୍ୟ କରିବାକୁ ଯିବେ ନାହିଁ ? କିନ୍ତୁ ଅତିରିକ୍ତ ସ୍ନେହବଶତଃ ବର୍ତ୍ତମାନ ତାଙ୍କୁ କାମକୁ ଯିବାକୁ ବୀରବାବୁ ନିଷେଧ କରୁଛନ୍ତି ।

 

ଆଜି ଛୁଟିଦିନ । ସକାଳେ ପୋଖରୀକୂଳରେ ବସି ବୀର ଓ ଯୋନାଥନ୍‍ର ମାଛ ଧରାଯାଉଛି । ବନଟି ଯୋନାଥନ୍‍ର କାନ୍ଧରେ ଲଟିକିପଡ଼ି ଗୋଟିଏ କଞ୍ଚା ପିଜୁଳି ଚୋବାଉଚି । ଦର ଦର ଚୋବା କରି ତା ଛୋଟ ଛୋଟ ପାପୁଲିରେ ପାଣିକୁ ଫୋପାଡୁଚି । ଗୋଟିଏ ବାହୁରେ ତାକୁ ଜଡ଼ାଇ ଧରି ଯୋନାଥନ୍ ବୀରବାବୁଙ୍କ ସଙ୍ଗେ କଥାବାର୍ତ୍ତା ଆରମ୍ଭ କଲେ - “ବୀରବାବୁ, ଆଉ ବସିବାକୁ ଇଛା ନାହିଁ । କାମ ଦେଖିବି ।”

 

ବୀର କହିଲେ - “ଆଉ କିଛିଦିନ ଯାଉ ଦେଖିବା । ସର୍ଭେ ଇଲାକାରେ କିରାଣୀ କାମ ଖାଲି ହେବାର ଅଛି । ଦରମା ଚାଲିଶ ଟଙ୍କା ।” ଯୋନାଥନ କିଛିକ୍ଷଣ ନୀରବ ରହି କହିଲେ; “କିନ୍ତୁ ବାପାଙ୍କର ଆଦେଶ, ମୁଁ ସ୍ୱଦେଶରେ ରହିବି ନାହିଁ ।” କିଛିକ୍ଷଣ ନୀରବ ରହି ପୁଣି କହିଲେ - “ଓଡ଼ିଶାରେ କେହି ଜାଣିବ ନାହିଁ ମୁଁ ଖ୍ରୀଷ୍ଚିୟାନ୍ ହୋଇଛି ବୋଲି । ଆଉ କଟକରେ ରହିଲେ କାଳେ ସନସ୍ତେ ଚିହ୍ନିବେ - ଜାଣିବେ । ଆମ ଗ୍ରାମକୁ ଏକଥା ଖବର ହେବ । ମୁଁ କଲିକତା ଯିବି । ଏଠି ରହି ବାପାଙ୍କର ନିନ୍ଦାକରିବି ନାହିଁ ।”

 

ବୀରବାବୁ ଦୁଃଖିତ ହୋଇ କହିଲେ - “କିନ୍ତୁ କଲିକତାରେ ଥରେ ତ ଚେତିଚ । ବିଜୟ ପରି ଆହୁରି ଅନେକ ସାଙ୍ଗ ମିଳି ପାରନ୍ତି ।” “ନାଁ ଭାଇ, ଥରେ ଅନ୍ଧ ବାଡ଼ି ହଜାଏ ସିନା । ଚେତିଚି ଭଲ । ଆଉ କାନମୋଡ଼ି ହେଉଚି ବଙ୍ଗାଳିଙ୍କ କଥାରେ ପଡ଼ିବ ନାହିଁ । ତାଙ୍କୁ ଯେ ଚିହ୍ନି ନାହିଁ ସେ ନିଜ ବାପକୁ ବି ଚିନ୍ନି ନାହିଁ ।”

 

ସହାସ୍ୟ ଭାବରେ ବୀର ପଚାରିଲା - “ଆଛା, ତୁମର କିମିତି ଇମିତି ହେଲା ? ମୋତେ ଆଉ ଥରେ କୁହ । ତୁମ କାହାଣୀ ଶୁଣିବାକୁ ବଡ଼ ଭଲ ଲାଗେ ।” ବୀର ଶୁଣିବା ଆଶାରେ ସ୍ଥିର ହୋଇ ବସିଲେ । ବନ ସାନପିଲାଟି, ପିତାଙ୍କୁ ସ୍ଥିର ମନରେ କଣ ଭାବି ସ୍ଥିର ହୋଇ ତାଙ୍କ ମୁଖକୁ ଅନାଇଲା ।

 

ତହୁଁ ଜଗନ୍ନାଥ ଆରମ୍ଭ କଲେ “ଶୁଣ ଭାଇ, ମୁଁ ଯାଜପୁରରୁ କଲିକତାକୁ ଆସି Greham କମ୍ପାନୀରେ କିରାଣୀ କାମ ପାଇଲି । ମାସିକ ଦରମା ପଚାଶ ଟଙ୍କା । ବେଶd ଉପୁରି ଦଶଟଙ୍କା ବି ଥିଲା । ମୋର ମନରେ ଥାଏ, ମୁଁ ଖ୍ରୀଷ୍ଟିୟାନ ହେବି । ତହୁଁ କଲିକତାର Methodist ମଣ୍ଡଳୀରେ ସଭ୍ୟ ହୋଇ ଯୋନାଥନ୍ ପିଟର ନାମରେ ୟୁରେସିଆନ ବେଶରେ ରହିଲି । ସେଠିକାର ଆଉ ଜଣେ କର୍ମଚାରୀ ବିଜୟଚନ୍ଦ୍ର ସେନ ବଙ୍ଗାଳୀ ଖ୍ରୀଷ୍ଟିୟାନଙ୍କ ସହ ମୋର ବନ୍ଧୁତ୍ୱ ହେଲା । ସେତେବେଳେ ମୁଁ ଥାଏ ବହୁବଜାର ଷ୍ଟ୍ରିଟ୍‍‌ରେ । ସେଠାରୁ ପୁଣି ଯୋଡ଼ାସାଙ୍କୋ ଲେନ୍‍କୁ ଉଠିଗଲି । ସେଠାରେ ଏକାକୀ ଅବସ୍ଥାରେ ବଡ଼ କଷ୍ଟ ହେଲା । ହଠାତ୍ ମୋତେ Malaria ଧରିଲା । ପିଳେହୀ ବଢ଼ିଲା । ଦିନ ଦ୍ୱିପହର ହୋଇଥାଏ । କାମରୁ ଆସି ବଡ଼ କ୍ଳାନ୍ତିରେ କପେ ଚା ଖାଇ ବିଛଣାରେ ଲମ୍ୱ ହୋଇ ଶୋଇଗଲି । ସେଦିନ ମୋତେ ଭୟାନକ ଜ୍ୱର ହେଲା । ସନ୍ଧ୍ୟାକୁ ବିଜୟବାବୁ ପହଞ୍ଚିଲେ । ମୋର ଅବସ୍ଥା ଦେଖି ବଡ଼ ଦୁଃଖ କରି କହିଲେ “କିଓ ଯୋନାଥନ, ମୁଁ ଦେଖୁଚି ତୁମେ ଏକୁଟିଆ ବଡ଼ କଷ୍ଟ ପାଉଚ । ଚାଲ ଏଠାରୁ ଘର ଭଡ଼ା ତୁଟାଇ ଦେଇ ମୋ ପାଖରେ ରହିବ ।”

 

ବିଜୟକୁ ମୁଁ ଆଗରୁ ଜାଣିଥିଲି । ବଡ଼ ଭଦ୍ର, ବିନୟୀ ଓ ପରୋପକାରୀ । ତହୁଁ ମୁଁ ତାର କଥାରେ ସମ୍ମତ ହେଲି । ବିଜୟ ସେହିକ୍ଷଣି ଡାକ୍ତର ଡାକିଆଣି ମୋର ଚିକିତ୍ସାର ବନ୍ଦୋବସ୍ତ କଲା । ତା ପର ଦିନ ଜୁଲାଇ ୧୩ ତାରିଖ ରେ ମୁଁ ଯୋଡ଼ାସାଙ୍କୋଲେନ୍‍ର

 

ଘରଛାଡ଼ି ୩୨ ନମ୍ୱର Intally ରେ ଆସି ବିଜୟ ସହିତ ରହିଲି । ଘରଟି ଜଣେ ମୁସଲମାନ ହୀରାମନ ବିବି ବାଡ଼ିଆଲିର । ତାର ସ୍ୱାମୀ ମଦ୍ୟପାୟୀ, ବେଜାଏ ଦୁଷ୍ଟ ପଠାଣ, ଶେକ୍ ଆବଦୁଲ୍ ହାକିମ । ସେ ପୁଣି ବୁର୍ବୁଚି । ତାର ଗୋଟିଏ ଦୁଷ୍ଟ କନ୍ୟା, ମତିଜାନ୍‌ବିବି । ଯାହାକୁ ତୁମେ ରାନ୍ଧିବାର ଦେଖି ଆସିଲ । ବିଜୟ ସହିତ ତାର ପ୍ରଣୟ ଥିଲା ।

 

ଯାହାହେଉ ବିଜୟକୁ ଭଦ୍ର ମନେକରି ବିଜୟ ସହିତ ଆସିଲି । ପ୍ରାୟ ୧୫ ଦିନ ମଧ୍ୟରେ ରୋଗ ପ୍ରବଳ ହେବାକୁ ଲାଗିଲା । ଏଥମଧ୍ୟରେ ଦେଖିଲି ବିଜୟ ଉପରେ ସାଧୁ, ଭିତରେ ଭୟାନକ ଠକ, ଧୂର୍ତ୍ତ ଓ ଦୁଷ୍ଟ ମଣିଷ । ରୋଜ ମଦଖାଇ ଆସି ପଡ଼ିଥାଏ । ନାନା ଅରୁଚି କଥା ବକେ । ଆଉ ସେ ପଠାଣ ଟୋକୀ ମତିଜାନ ତାକୁ ମାରିବାର ମୁଁ ଦେଖିଚି । ଏହିପରି ଦୁଇ ମାସ ହେଲା । ମୋର କାମ ଗଲା । ମୁଁ ଶଯ୍ୟାଶାୟୀ ହେଲି । ମୋର ବ୍ୟାଙ୍କରେ ପାଞ୍ଚଶହ ଟଙ୍କା ଥିଲା । ସେତିକ ଛାଡ଼ି ହାତରେ ମୋର ପ୍ରାୟ ୨୫୦ ଟଙ୍କା ଥିଲା । ସବୁ ଅଯଥା ଅପବ୍ୟୟ କରି ବିଜୟ ଯେତେବେଳେ ଜାଣିଲା ମୁଁ ଆଉ ବଞ୍ଚିବି ନାଇଁ, ସେ ମୋର ଟ୍ରଙ୍କ ଖଣ୍ଡିକ ନେଇ ଫେରାର୍ ହେଲା । ମୋର ଯାହା ମନେପଡ଼ୁଚି ସେ ବ୍ୟାଗରେ ୫୫ ଟଙ୍କା ଯାଏ ଥିଲା ଓ ଖୁଚୁରା କିଛି ଥିଲା । ଆଉ ବାକି ବହି ଓ ସାର୍ଟିଫିକେଟ ଇତ୍ୟାଦି ବଡ଼ବାବୁଙ୍କ ପାଖରେ ରଖି ଥିଲି । ସେଥିରେଥିବା ମୋର ସୁନାର ରିଂ, ଦାମୀଘଡ଼ି, ସୁନାର ଚେନ୍ ଓ ରେଶମ ଏବଂ ଗରମ ଲୁଗାପଟା ଥିଲା । ଏତଦ୍‍ବ୍ୟତୀତ କେତେକ ଗଳ୍ପ ବହି ଓ ବାଇବଲ୍ ସବୁ ଟ୍ରଙ୍କ ସୁଦ୍ଧା ଉଠେଇ ନେଇଗଲା ।

 

ଯାହାହେଉ, ତାହା ପୂର୍ବରୁ ମୁଁ ଦିନେ ତା’ହାତରେ ତୁମ ନିକଟକୁ ଖଣ୍ଡେ ଚିଠି ଦେଇଥିଲି । ଭାଗ୍ୟକୁ ତୁମେ ସେଇଟା ପାଇଥିଲ, ନ ହେଲେ ସବୁତ ଯାଇଥିଲା । ମୁଁ ତ କାଲିକତାରେ ନିରାଶ୍ରୟ ହୋଇ ମରିଥାନ୍ତି । ତାପରେ ମୁଁ ଆଉ ବିଛଣାରୁ ଉଠି ପାରିଲି ନାଇଁ । ତୁମେ ଆସି ମୋର ପ୍ରାଣରକ୍ଷା କଲ-। ବାସ୍ତବିକ ତୁମେ ହେବତା ସ୍ୱରୂପ । ତୁମପରି ଏ ଜୀବନରେ ମୋର କେହି ଆଉ ଉପକାର କରିନାଇଁ । ମୋର କଲିକତାର ଘଟଣା ଗୋଟି ଗୋଟି ମନେପଡ଼େ । କେତେ ଉପାସ ଭୋକ ସହିବାକୁ ହୋଇଛି । ଦିନ ଦ୍ୱି ପ୍ରହରବେଳେ ଆସି ଦେଖେ,ଚାକରଟା ପଳାଇଛି । ତେଣୁ ଉଦୁଉଦିଆ ଖରାବେଳେ ହୋଟେଲ୍ କୁ ଯାଇ ଖାଇବାକୁ ହୋଇଛି । ସେଠାରେ ପୁଣି ଛେଳିମାଂସ ସହିତ ଗୋମାଂସ ଓ ଚର୍ବିରେ ତରକାରୀ ରନ୍ଧାହୁଏ । ବଡ଼ ଘୃଣା ଲାଗେ । ଜଳଖିଆ ଖାଇ ରହିଯାଏ ।

 

ବୀର ହସି ହସି କହିଲେ “କେବେ କଣ ଗୋମାଂସ ଖାଇନ ହଁ ?” ଯୋନାଥନ କହିଲେ, “ଅନେକ ଥର ଭୁଲରେ ଖାଇ ଦେଇଛି । ଜାଣି ପାରି ନାହିଁ । ରାନ୍ଧିଦେଲେ ଠିକ୍ ଛେଳିମାଂସ ପରିଲାଗେ, କିନ୍ତୁ ଜାଣି ଜାଣି କେବେ ଖାଇ ନାହିଁ । ଘୃଣାଲାଗେ । ହେଲେ ଗୋରୁ ଚର୍ବିରେ ତିଆରି ପରଟା ଅନେକ ଥର ଖାଇଚି । ଆଉ ସେ କୁଲ୍‍ଫିବରଫ ଥରେ ଖାଇ ପରା ମୋତେ କଲେରା ଧରିଥିଲା । ଦିନେ ସଞ୍ଜବେଳେ ଆଇସ୍‍କ୍ରିମ ଓ କୁଲ୍‍ଫି ବରଫ କିଣି ଖାଇଲି । ସେତେବେଳେ ମୁଁ ୧୭ ନମ୍ୱର ବହୁବଜାର ଷ୍ଟ୍ରିଟ୍‌ରେ ଥିଲି । କେତେ ଯୁବକ ଏକତ୍ର garden ବୁଲି ଯାଇଥିଲୁ । ଫେରି ଆସୁ ଆସୁ ରାତି ନ’ଟା । ସେଦିନ କାହିଁକି ଭୋକ ଭଲ ହେଲାନାଇଁ ।

 

ମୁଁ ବେହେରାକୁ ଡାକି ବେଶ୍ ଦୁଇଟି ସ୍ଲାଇସ୍ ରୋଟି, ଖଣ୍ଡେ ମଟନ ଚପ୍ ଓ କପେ ଚାହା ଖାଇନେଲି-। ଦେହଟା ଜର ଜର ଲାଗୁଥାଏ । ଭାଇ ରେ, ସକାଳକୁ କୁଆଡ଼େ ଯିବି ? ସକାଳ ନ ହେଉଣୁ ମତେ ୨ଟା ଝାଡା ଓ ଗୋଟାଏ ବାନ୍ତି ହୋଇଗଲାଣି । ମୁଁ ପ୍ରଥମେ ଡାଇରିଆ ବୋଲି ମନେକରିଥିଲି । କିନ୍ତୁ ଭାଗ୍ୟକୁ Sulphuric acid ଥାଏ । କିଛି ବିଚାର ନ କରି ସେଥିରୁ ତିରିଶ ଟେପା ଖାଇଦେଲି । ମରିବି ତ ମରିବି, ଯେ କୌଣସି ଉପାୟରେ ମରିବି । ସେଠୁ ସେହି ବେହେରାକୁ ଡାକି ସିଧା ଖଣ୍ଡେ ଲେଖି ମୋର ବଡ଼ବାବୁ ଜ୍ଞାନେନ୍ଦ୍ରନାଥ ମଜମଦାରଙ୍କୁ ସଙ୍ଗେ ସଙ୍ଗେ ନେଇ ପହଞ୍ଚିଲେ । ସେତେବେଳକୁ acid ଖାଇବା ସତ୍ତ୍ୱେ ତିନିଟା ଝାଡ଼ା ଓ ଦୁଇଟା ବାନ୍ତି ହୋଇଗଲାଣି । ମୁଁ ବିଛଣାରେ ନିସ୍ତେଜ ହେଇ ପଡ଼ିଚି । ବିଛଣା ଗୋଟାକ ମଇଳାରେ ପୂର୍ଣ୍ଣ । ଯାହାହେଉ, ସେ ଡାକ୍ତର ଧନ୍ୟ ! ପ୍ରାଣପଣେ ଚିକିତ୍ସା କରି saline injection ଦେଇ ମୋତେ ବଞ୍ଚାଇଲେ । ତାକ୍ତରଙ୍କୁ ମୁଁ ଖୁସିରେ ଫିସ ଛଡ଼ା ଗୋଟିଏ ୬୦ ଟଙ୍କାର ସୁନାଘଡ଼ି ଉପହାର ଦେଇଥିଲେ । ବଡ଼ ଭଦ୍ରଲୋକ ସେ । ତତ୍ପରେ ସୁସ୍ଥ ହେବାରୁ ୧୪ ନମ୍ୱର ଯୋଡ଼ାସାଙ୍କୋ ଲେନ୍‍‌ରେ ଆସି ଘରଭଡ଼ା କରି ରହିଲି । ସେଠୁ ପୁଣି ଦୁର୍ଦ୍ଦଶା ଭୋଗ କରି ଏତେ ସରି ହେଲି । ମୋର ବେହେରାଟି କୁଆଡ଼େ ଗଲା ମୁଁ ଜାଣି ନାହିଁ । ସେ ବଡ଼ ବିଶ୍ୱସ୍ତ ଥିଲା । ବିଜୟର ସଲ୍ଲାରେ ସେ ବାହାରିଗଲା ବୋଧ ହେଉଛି ।” ଏହା କହି ଯୋନାଥନ ନୀରବ ରହିଲେ । ବୀର ସବୁ ଶୁଣିଲାପରେ କହିଲେ “ଭାଇ, ଏତେ ଭୋଗ କଲାପରେ ପୁଣି କଲିକତାକୁ ମନେ କରୁଚ ?”

 

ନାଥନ କହିଲେ, “କାହିଁକି ? ସେଠି ଯଦିଚ ମୋର ଏଡ଼େ ଦୁର୍ଦ୍ଦଶା ହେଲା, ଲୋକଙ୍କର ତ ସେଠି କପାଳ ଫିଟେ । ଏମିତି କଣ କଲିକତାର ଗଳି କନ୍ଦି ମୋତେ ଜଣା । ରାତି ବାରଟା ବେଳେ ବୁଲି ଦେଇ ଆସିବ । ମୁଁ କିନ୍ତୁ ସୁଖ କରିଥିଲି କଲିକତାରେ I.A. ପଢ଼ିଲାବେଳେ । ସେ ବଡ ସୁଖର ଦିନ ଥିଲା; ଏଥର ଆଉ ଗୋଟିଏ ଚାକିରୀ ଦେଖିବି । ଆଜି ଭାବୁଛି ଜ୍ଞାନେନ୍ଦ୍ର ବାବୁଙ୍କୁ ଖଣ୍ଡେ ପତ୍ର ଦେବି-। ଦେଖାଯାଉ, କ’ଣ ହେଉଛି ।” ଏହାକହି ପୁଣି ନୀରବ ହେଲେ । ବୀର ଚିନ୍ତାକରି କହିଲେ “ଆଛା ଦିଅ, ଦେଖାଯାଉ । କିନ୍ତୁ ଏଥର ବିଭା ହୁଅ । ବିଭା ହେଲେ ଏତେ କଷ୍ଟ ଭୋଗିବ ନାଇଁ ।”

 

ଯୋନାଥନ୍ ପୁଣି ଟିକିଏ ଭାବି କହିଲେ,“ହେଲେ, ମୁଁ ସଲିକତାରେ ବିବାହ କରିବାକୁ ଇଛା କରିଛି । ଯଦି ଅସୁସ୍ଥ ହୋଇ ନ ଥାନ୍ତି, ତେବେ ୟା’ ଭିତରେ ନଳିନୀବାଳାଙ୍କୁ ବିଭା ହୋଇସାରନ୍ତିଣି । ତାଙ୍କ ସହିତ ମୋର ପାନପତ୍ର ହେବାର ଥିଲା । ଏଇ ସମୟରେ ଜ୍ୱରରେ ପଡ଼ିଲି । ସେ କିନ୍ତୁ ବିଭାହୋଇ ସାରିବେଣି । ପିଲାଟି ବଡ଼ ସୁନ୍ଦର । ଏଣ୍ଟ୍ରାନ୍‍ସ 2nd class ଯାଏ ପଢ଼ିଛି । ବଡ଼ ସୁନ୍ଦର Harmonium ବଜାଏ । ମୋର ସେଠାରେ ଭାରି ଇଛା ଥିଲା । କିନ୍ତୁ ମୋର ଦୁର୍ଭାଗ୍ୟ ।” ଏହା କହି ଦୁଃଖିତଭାବରେ କିଛିକ୍ଷଣ ରହିଗଲେ ।

 

ଦିନେ ଦୁଇ ଦିନ ମଧ୍ୟରେ ବୀରବାବୁଙ୍କ ଗୃହରେ ଯୋନାଥନ୍ ଙ୍କ କଲିକତା ଯିବା ବିଷୟ ରାଷ୍ଟ୍ର ହୋଇଗଲା । ଯୋଥାଥନ ବଡ଼ବାବୁଙ୍କ ଠାରୁ ପତ୍ର ପାଇଲା । ପୂର୍ବୋକ୍ତ କମ୍ପାନୀରେ କର୍ମ ଖାଲି ନ ଥିଲା । ଆଉ ଗୋଟିଏ ଟ୍ରାଫିକ୍ ଅଫିସରେ ୪୦ ଟଙ୍କା ବେତନର ଚାକୀରୀ ଖାଲି ଥିବାର ସମ୍ୱାଦ ପାଇଲା । ଆସନ୍ତା ବୁଧବାର ଦିନ ଗାଡ଼ିରେ କଲିକତା ଯିବାର ସବୁ ସ୍ଥିର ହୋଇଗଲା । ଯୋନାଥନର କଲିକତା ଯିବା ଶୁଣି ଗୃହରେ ପ୍ରାୟ ଅଳ୍ପବହୁତେ ସମସ୍ତେ ଦୁଃଖିତ ହୋଇଥିଲେ । କିନ୍ତୁ ଶଶୀର ମନରେ ଭାରି ଦୁଃଖ ।

 

ବହୁବର୍ଷ ତଳେ ଶଶୀ ଯୋନାଥନ ଓରଫ୍ ଜଗନ୍ନାଥଙ୍କୁ ଭଲ ପାଇଥିଲା । କିନ୍ତୁ କିଛି ସମ୍ୱନ୍ଧ ନ ଥିବାରୁ ଶଶୀ ସେକଥାକୁ ପ୍ରାୟ ପାସୋରି ଦେଇଥିଲା । ସେ ଖୁବ୍ ଭଲ ପଢ଼ୁଥିଲା । ଆଜିକାଲି ସେ ମାଇନର ପାଶ୍ କରି ୨୦ ଟଙ୍କା ବେତନରେ କାମକରି ସୁଖରେ ଅଛି । ଥରେ ଥରେ ଜଗନ୍ନାଥ କଥା ତାର ମନେପଡ଼େ । କିନ୍ତୁ ଆକାଶକୁସୁମ ଭାବି ସେ ମନରେ ସ୍ଥାନ ଦେଇ ନ ଥିଲା । ଶଶୀ ଚରିତ୍ରବତୀ ଓ ସୁନ୍ଦରୀ । ଫୁଟିଲା ଚମ୍ପାଫୁଲର ରଙ୍ଗ, ଗୋଲାପୀ ହାତ ଗୋଡ଼, ପାତଳ ଓଠ ଦରଫୁଟା ଗୋଲାପ ପରି ସୁନ୍ଦର । ଲମ୍ୱା ଲମ୍ୱା ଆଖି ଦୁଇଟାରେ ସେ ଯାହାକୁ ଥରେ ଚାହିଁଥିବ, ତାର ମନ ପୂରି ଯାଇଥିବ । ବୀରର ପିତାମାତାଙ୍କ ନିକଟକୁ ଆପଣାର ଅତି ଆଦରର ଧର୍ମକନ୍ୟା ଶଶୀ ପାଇଁ ଅନେକ ପାତ୍ର ଆସୁଥିଲେ ବି ତାଙ୍କ ମନୋନୀତ ନ ହୋଇଥିବାରୁ ବିବାହ ହୋଇ ନ ଥିଲା । ଶଶୀର

 

ଉପଯୁକ୍ତ ମୂଲ୍ୟ, ତାର ଗୁଣାବଳୀ ତାଙ୍କଠାରୁ ଅଧିକ କେହି ବୁଝି ନ ଥିଲା । ସେ ଆଦରରେ ତାକୁ ‘ଶଶୀମୁଖୀ ରାଜକୁମାରୀ’ ବୋଲି କହୁଥିଲେ । ଶଶୀ ମଧ୍ୟ ନିଜର ଅତୁଳନୀୟ ରୂପ, ଅସୀମ ସୁନ୍ଦର ଗୁଣ, ପ୍ରାଣଭରା ଭକ୍ତି ଓ ପୂଜାଦ୍ୱାରା ଯେମସ୍ ବାବୁଙ୍କର ଅତିଶୟ ଅନୁଗତା ଓ ପ୍ରିୟପାତ୍ରୀ ଥିଲା । ଗୁଲ୍ ବଦନୀ ଓ ନିଶାମଣି ବଧୂଦ୍ୱୟ ଶଶୀକୁ ଖୁବ ଭଲପାଉଥିଲେ ପିଲାମାନେ ଶଶୀର ବଡ଼ ବାଧ୍ୟ ଥିଲେ । ଜଗନ୍ନାଥ ଆସିଲା ପରେ ଶଶୀ ତାହାର ପ୍ରାଣପଣେ ସେବା କରିଛି । ସେ ଯେତେବେଳେ ଶୁଣିଲା, ଜଗନ୍ନାଥ ଖ୍ରୀଷ୍ଟିୟାନ୍ ହୋଇ ଯୋନାଥନ ନାମ ଗ୍ରହଣ କରିଛି ଏବଂ ଆଜିପର୍ଯ୍ୟନ୍ତ ଅବିବାହିତ, ଶଶୀ ମନେ ମନେ ଆଶାର ସୌଧ ଗଢ଼ିବାକୁ ଲାଗିଲା ।

 

ତାହାର ମନେ ହେଲା ସତରେ ଜଗନ୍ନାଥ ତା’ ପାଇଁ ଗଢ଼ା । ଈଶ୍ୱରଙ୍କର ଇଛା ସେ ଜଗନ୍ନାଥର ପତ୍ନୀ ହେବ । କିନ୍ତୁ ଜଗନ୍ନାଥ ସହିତ ଥରେ ଅଧେ କଥା କହିଛି ମାତ୍ର; ବଡ଼ ସଂକୋଚରେ, ହଠାତ୍ ଦରକାର ପଡ଼ିବାରୁ । ସେ ଘୁଣାକ୍ଷରରେ ଜଗନ୍ନାଥଙ୍କୁ ବୁଝିବାକୁ ଦେଇନାଇଁ ଯେ, ସେ ଜଗନ୍ନାଥକୁ ଭଲପାଏ । ସେ ଅକାତରେ ଜଗନ୍ନାଥ ପାଇଁ ରାତି ଜାଗିଛି, ପଥି ରାନ୍ଧିଛି । ମରିପଡ଼ି ତାହାପାଇଁ ପରିଶ୍ରମ କରିଛି । କିନ୍ତୁ ନିଜର କୌଣସି ହାବଭାବ ଦ୍ୱାରା ସେ ଜଗନ୍ନାଥଙ୍କୁ ଜଣାଇ ଦେଇ ନାହିଁ, ତାକୁ ସେ ଭଲ ପାଏ ବୋଲି । ସେଥିପାଇଁ ସେ ଆଜି ଅନୁତପ୍ତା । ସେ ଶୁଣିଛି, ଯୋନାଥନ କଲିକତାରେ କାମ କରି ସେହିଠାରେ ବିବାହ କରିବ । ଆହା, ସେ କାହିଁକି ଦିନେ ତାର ଅନ୍ତର ଜଗନ୍ନାଥକୁ ଜଣାଇ ପାରିଲା ନାଇଁ । ଶଶୀ ଜଗନ୍ନାଥକୁ ଅନ୍ନ ପରିବେଷଣ କରେ, ପାନ ଭାଙ୍ଗି ଦିଏ, ତାଙ୍କର ବିଛଣା ସଜାଡ଼େ । କିନ୍ତୁ ତାଙ୍କୁ ଦେଖିଲା ମାତ୍ରେ ମୁଣ୍ଡରେ ଲୁଗାଦେଇ ମୁହଁ ଲୁଚାଇ ଘୁଞ୍ଚିଆସେ । ତାଙ୍କଠାରୁ ଲୁଚି ରହେ, ଦାଣ୍ଡ ଘରକୁ ସେଥିଲାଗି ପ୍ରାୟ ଯାଏନାଇଁ । କିନ୍ତୁ କାହିଁକି ସେ ଏପରି କଲା ? ସେ ଭାବିନେଇଥିଲା ଜଗନ୍ନାଥ ତାହାର । ତାହାର ସରଳ ବାଳିକା ହୃଦୟରେ ଜଗନ୍ନାଥ ଦେବତୁଲ୍ୟ ବିରାଜିତ ଥିଲେ । ତାଙ୍କର ପୂଜାପାଇଁ ଶଶୀ ସବୁ ଦେଇପାରେ; କିନ୍ତୁ ଲଜ୍ଜାରେ ସେ ଦୂରେଇ ରହୁଥିଲା । ସେ ଭାବିଥିଲା - ସେ ଜଗନ୍ନାଥଙ୍କୁ ଭଲ ପାଉଚି; ତେଣୁ ଜଗନ୍ନାଥ ନିଶ୍ଚୟ ତାକୁ ଭଲ ପାଉଥିବେ । ତାଙ୍କ ହୃଦୟରେ କ’ଣ ଟିକିଏ ଆଘାତ ଲାଗି ନ ଥିବ । ଶଶୀ ଭାବି ଭାବି ବିଭୋର ହେଇପଡ଼େ । କିନ୍ତୁ ଆଜି ସେଥିପାଇଁ ତାକୁ ବ୍ୟାକୁଳିତା ହୋଇ କାନ୍ଦିବାକୁ ପଡ଼ିଲା । ଜଗନ୍ନାଥ ଦ୍ୱାର ସମ୍ମୁଖରେ ବୁଲୁଥିଲେ । ଶଶୀ ରନ୍ଧାଘର ଦ୍ୱାରରେ ବସି ଚାଉଳ ବାଛୁଥିଲା । ହଠାତ୍ ଜଗନ୍ନାଥଙ୍କ ଉପରେ ତାହାର ଦୃଷ୍ଟି ପଡ଼ିବାରୁ ସେ ମୁଣ୍ତରେ ଲୁଗାଟାଣି ଘରଭିତରକୁ ଉଠିଗଲା ।

 

ଜଗନ୍ନାଥ ଏତେ ଦିନ ଯାଏ କିଛି ମନେକରି ନଥିଲେ । କିନ୍ତୁ ହଠାତ୍ କାହିଁକି କେଜାଣି ଶଶୀକୁ ଦେଖିବାମାତ୍ରେ ତାଙ୍କର ପୂର୍ବର ଘଟଣା ସବୁ ମନେ ପଡ଼ିଲା । ସେହି ବର୍ଷା ଦିନରେ ଦାଣ୍ଡପିଣ୍ଡାରେ ସାକ୍ଷାତ ହେବା କଥା ମନେ ପଡ଼ିଲା । ସେ ଭାବିଲେ, ଶଶୀ କ’ଣ ଆଜିଯାଏ ଅବିବାହିତା ଅଛି ? ସୁବାସୀକୁ ସେ ଦେଖୁ ନାହାନ୍ତି । କାରଣ ସୁବାସୀ, ଭାନୁମତୀ ସହିତ ଯାଇ ଏକବର୍ଷ ହେଲା ସେଠାରେ ରହିଛି । ଭାନୁମତୀର ଏକୁଟିଆ ଘର । ଗୋଟିଏ ପୁତ୍ରାସନ୍ତାନ ହେବାପରେ ସେ ରୋଗଗ୍ରସ୍ତ ହେବାରୁ ସୁବାସୀକୁ ପାଖକୁ ନେଇଛି । କିନ୍ତୁ ଶଶୀଟି ତ ଆଜିଯାଏ ଘରେ ରହିଛି । ଜଗନ୍ନାଥ ଶଶୀକୁ ଅନେକବାର ଦେଖିଛନ୍ତି । ସେ ସୁନ୍ଦରୀ, ସୁଚରିତ୍ରା । ଆଉ ଶଶୀର ଗୁଣାବଳୀ ସେ ବୀର ଓ ତାଙ୍କ ପିତାଙ୍କ ଠାରୁ ଅନେକ ଶୁଣିଛନ୍ତି । ଆଉ ମଧ୍ୟ ଜଗନ୍ନାଥ ଅକୃତଜ୍ଞ ନୁହନ୍ତି । ସେ ଶଶୀର ଅକ୍ଳାନ୍ତ ସେବା ଓ ଯତ୍ନ ଭୁଲି ପାରି ନାହାନ୍ତି । ସେଥିଲାଗି ସେ ଶଶୀକୁ କ’ଣ ଉପରେ ଦେବେ,ଭାବୁଥିଲେ । ତାଙ୍କର ତ ପଇସାକର ସମ୍ବଳ ନାଇଁ । ପୁଣି ସେ ଶଶୀକୁ ସୁନାବାଲା ହଳେ ଦେବେ ବୋଲି ମନେକଲେ; ନା ଏଡ଼େ ଉପକାରୀକୁ ନିଶ୍ଚୟ କିଛି ଦେବେ; କିନ୍ତୁ ଟଙ୍କା ହାତରେ ନାଇଁ । ଧାର କରି ଦେବାଟା ଅତି ଅପସନ୍ଦ କଥା । ସେ ମନେ ମନେ ସ୍ଥିର କଲେ ଯେ, ସେ ଶଶୀକୁ ପଚାରିବେ, ସେ କ’ଣ ଚାହେଁ ? କଲିକତାରୁ ସେ ତାହା ପାର୍ଶଲ କରି ପଠାଇ ପାରିବେ । ଏହା ମନେ ମନେ ଭାବି ସେ ସୁଯୋଗପାଇଁ ଅପେକ୍ଷା କରିବାକୁ ଲାଗିଲେ ।

 

ରାତ୍ରୀ ଆଠଟା ସମୟରେ ସମସ୍ତଙ୍କର ଭୋଜନ ଶେଷ ହେଲା । ଶଶୀ ଦାଣ୍ଡଘରେ ଜଗନ୍ନାଥଙ୍କର ବିଛଣା ପ୍ରସ୍ତୁତ କରିବାକୁ ଗଲା । ଜଗନ୍ନାଥ ପୂର୍ବପରି ବାହାରକୁ ଉଠି ନ ଯାଇ ବସି ରହିଲେ । ବିଛଣା ପ୍ରସ୍ତୁତ ହେଲାପରେ ଜଗନ୍ନାଥ ଶଶୀ ଆଡ଼କୁ ଚାହିଁ ଅତି ମୃଦୁସ୍ୱରରେ ଡାକିଲେ “ଶଶୀ” । ଶଶୀ ଆଶ୍ଟର୍ଯ୍ୟ ଓ ଭୀତ ହୋଇ କହିଲା “ଆଜ୍ଞା ।”

 

ଜଗନ୍ନାଥ ତାହାର ଶିକ୍ଷିତ, ଭଦ୍ରାଚରଣରେ ତୁଷ୍ଟ ହୋଇ କହିଲେ, “ଶଶୀ, ତୁମେ ମୋର ଅନେକ ଉପକାର କରିଛ, ଦିନରାତି ମୋର ସେବା କରିଅଛୁ । ତୁମର ପ୍ରାଣପାତ ପରିଶ୍ରମ ମୁଁ କଦାପି ଭୂଲି ପାରିବି ନାଇଁ । କିନ୍ତୁ ମୋତେ ଯେପରି ତୁମେ ନ ଭୂଲ, ସେଥିପାଇଁ ମୁଁ ଗୋଟିଏ ଉପହାର ଦେବାକୁ ସ୍ଥିର କରିଛି । ତୁମେ କ’ଣ ଚାହିଁ କହିଲେ, ମୁଁ କଲିକତାରୁ ପଠାଇବି ।”

 

ଶଶୀ ନିରୁତ୍ତର ହେଲା । ସେ କ’ଣ ବା ମାଗିବ ? ସେ ନତମୁଖୀ ହେଇ ରହିଲା । ଜଗନ୍ନାଥ ପୁନର୍ବାର ତାହାହିଁ ପଚାରିଲେ । ଶଶୀର ସର୍ବାଙ୍ଗ ଥରିବାକୁ ଲାଗିଲା । ସେ ଜଗନ୍ନାଥଙ୍କ ମୁଖକୁ ଚାହିଁ ପାରିଲା ନାଇଁ । ତୃତୀୟବାର ଜଗନ୍ନାଥ କହିଲେ “ଶଶୀ, କହିବାକୁ ଲଜ୍ଜା କରୁଛ ? ଆଛା, ମୁଁ ନିଜେ ଦେଇ ଦେବି । ତୁମେ କ’ଣ କାନଫୁଲ ଠାରୁ ୟାରିଂ ପସନ୍ଦ କର ନାହିଁ ? ମୁଁ କଲିକତାରୁ ପଠାଇବି, କିଛି ମନେ ନ କରି ଗ୍ରହଣ କରିବ ।”

 

ଶଶୀର ମନ ବଡ଼ ବିରସ ହୋଇଗଲା, ସାମାନ୍ୟ ସୁନାର ୟାରିଂ ? ଏଇ ତାର ପୁରସ୍କାର ? ଏତେ ପ୍ରେମ, ଏତେ ସ୍ନେହ ବିନିମୟରେ ଏଇ ତାର ପ୍ରତିଦାନ ! ସେ ସହି ପାରିଲା ନାଇଁ । ଆବେଗ ଓ ଅଭିମାନରେ ତାର ବିଶାଳ ଆଖିଦୁଇଟି ଅଶ୍ରୁରେ ଛଳଛଳ ହୋଇଉଠିଲା । ସେ ସମ୍ଭାଳି ପାରିଲା ନାଇଁ । କୋହରେ ତାର ବକ୍ଷ ଫାଟି ପଡ଼ିବାକୁ ଲାଗିଲା । ହଠାତ୍ ଦୀର୍ଘଶ୍ୱାସ ସହିତ ଦୁଇ ଟୋପାଲୁହ ତା’ଆଖିରୁ ଝରି ପଡ଼ିଲା । ଜଗନ୍ନାଥ ଏହା ଦେଖିଲେ । ସେ କେବେ ସାମାନ୍ୟ ଘଟଣାରେ ବିଚଳିତ ହୋଇ ନ ଥିଲେ; କିନ୍ତୁ ଶଶୀର ଅଶ୍ରୁ ସେ ସହିପାରିଲେ ନାଇଁ । ଶଶୀ କ୍ଷୁବ୍‍ଧ ହୋଇ ସେଠାରୁ ଚାଲିଗଲା । ଜଗନ୍ନାଥ ଦେଖିଲେ କ୍ଷଣକ ମଧ୍ୟରେ ଶଶୀ ଉଭେଇ ଗଲା । ଜଗନ୍ନାଥ ବଡ଼ ବିଚଳିତ ହୋଇପଡ଼ିଲେ । ସତେ ଶଶୀକୁ ଅପମାନ କଲେ ପରା ! ସତେ ପଦଦଳିତ ଫଣିନୀ ପରି ସେ ଗର୍ଜ୍ଜି ଉଠିଲା ।

 

ଜଗନ୍ନାଥ ଉଠି ଦାଣ୍ଡକୁ ଗଲେ । ପୋଖରୀ କୂଳ ଆଡ଼େ ବୁଲିବାକୁ ଗଲେ । ଦେଖିଲେ ପୋଖରୀ ପାହାଚ ଉପରେ କିଏ ଜଣେ କାନ୍ଦୁଛି । ଅତି କ୍ଷୀଣ କ୍ରନ୍ଦନସ୍ୱର ଶୁଭୁଥିଲା; କିନ୍ତୁ ନାରୀର କଣ୍ଠ ! ଜଗନ୍ନାଥ କିଛି ନ ବୁଝି ନିକଟବର୍ତ୍ତୀ ହେଲେ । ଦେଖିଲେ ଶଶୀ, ସେଇ ଅଭିମାନିନୀ ଶଶୀ, ସେଇ ଅଜ୍ଞାତହୃଦୟା ଶଶୀ ! ଜଗନ୍ନାଥ କ’ଣ ଭାବି ଚାହିଁ ରହିଲେ । ସେହି ସୁନ୍ଦରୀ ବାଳିକା ଶଶୀକୁ ଅନାଇଁ ରହିଲେ । ତାହାର ସସସ୍ତ ସୌନ୍ଦର୍ଯ୍ୟ ମଧ୍ୟରେ ସେ ଦେଖିଲେ ଆଶ୍ଚର୍ଯ୍ୟ ଗମ୍ଭୀର ଦେବୀ ମୂର୍ତ୍ତି । ତାହାର କୋମଳ ହୃଦୟ ଯେପରି ସର୍ବ ସୌନ୍ଦର୍ଯ୍ୟରେ ଗଠିତ । ସେହି ଅଭିମାନନୀ ଗୋପାଳ ବାଳିକାର ପୂର୍ଣ୍ଣ ସୌନ୍ଦର୍ଯ୍ୟମୟ, ବିଶାଳ, ବିଚିତ୍ର ଚକ୍ଷୁ ମନେ ପଡ଼ିଲା । ତାହାର ଲଲିତ ଚାହାଣି ମନେ ପଡ଼ିଲା । ଜଗନ୍ନାଥ ଆଶ୍ଚର୍ଯ୍ୟ ହେଲେ, ମୁଗ୍‌ଧ ହେଲେ । ଆହା, ସେହି ଶଶୀ କାନ୍ଦୁଛି । ଜଗନ୍ନାଥ ଆଉ ସହିପାରିଲେ ନାଇଁ । ତାର ପାଖକୁ ଗଲେ; କିନ୍ତୁ ଶଶୀ ଏହା ଜାଣି ପାରିଲା ନାହିଁ, ଚାହିଁଲା ନାଇଁ, ସେ ମୁଖନତକରି କାନ୍ଦିବାରେ ଲାଗିଥାଏ । ତାହାର ଘର୍ମତପ୍ତ ନିଃଶ୍ୱାସ ସତେ ଯେପରି ଜଗନ୍ନାଥର ହୃଦୟକୁ ଦଗ୍‍ଧ କରିବାକୁ ଲାଗିଲା । ଜଗନ୍ନାଥ ନତ ହୋଇପଡ଼ିଲେ । କ୍ଷଣକେ ତାଙ୍କର ହୃଦୟ ଶଶୀମୟ ହୋଇପଡିଲା । ସେ ସବୁ ବିଘ୍ନ, ବିଭେଦ ଭୁଳିଗଲେ । ସେ କେଉଁଠାରେ ଅଛନ୍ତି ଭୁଲିଗଲେ । ସେ ଶଶୀକୁ ବକ୍ଷସ୍ଥଳକୁ ଟାଣି ଆଣିଲେ ।

 

ହଁ, ଜଗନ୍ନାଥ ବୁଝି ପାରିଛନ୍ତି, ଶଶୀ ତାଙ୍କୁହିଁ ଚାହେଁ । ସେ ସୁନା ୟାରିଂ ଚାହେଁ ନାଇଁ । ଭାବି ଭାବି ଜଗନ୍ନାଥ ଲଜ୍ଜିତ ହେଲେ । ତାହାର ସସସ୍ତ ପ୍ରେମର ପ୍ରତିଦାନରେ ଜଗନ୍ନାଥ ସେ ସୁନ୍ଦରୀକୁ କ’ଣ ଦେବେ ? ସେ ତାହାକୁ ବକ୍ଷକୁ ଆଣିଲେ । ତାର ରୋରୁଦ୍ୟମାନ ମୁଖମଣ୍ଡଳକୁ ଲୁଗାକାନିରେ ପୋଛି ଦେଲେ । ଆଉ ଏକ ମୂହୂର୍ତ୍ତ, କ’ଣ କଲ ଜଗନ୍ନାଥ, ହାୟ କ’ଣ କଲ ? ଜଗନ୍ନାଥ

 

ଶଶୀର ମୁଖରେ ଚୁମ୍ୱନକଲେ । ଶଶୀ ହାତରେ ସ୍ୱର୍ଗର ଚାନ୍ଦ ପାଇଲା । ସେ ଜଗନ୍ନାଥର କୋଳରେ ଢଳିପଡ଼ିଲା । ଆଜି ତାହାର ସସସ୍ତ ବେଦନାର ଅବସାନ ହୋଇଛି, କିନ୍ତୁ ମୁଖ ଫିଟିଲା ନାଇଁ । ଶଶୀ ପୂର୍ବବତ୍ ମୂକ ଓ ବଧିର ।

 

ଜଗନ୍ନାଥ ଉଠିଗଲେ । ଶଶୀର ଆତ୍ମାଜ୍ଞାନ ଉଦୟ ହେଲା । କ୍ଷୋଭ ଓ ଲଜ୍ଜାରେ ତାହାର ସର୍ବାଙ୍ଗ ରୋମାଞ୍ଚିତ ହୋଇଉଠିଲା । ସେ ଜଗତକୁ ଘୂର୍ଣ୍ଣାୟମାନ ଦେଖିଲା । ସାରାଜଗତଟା ତାହାର ନିକଟରେ ଏକ ଅପୂର୍ବ ଭୟାନକ ରହସ୍ୟମୟ ବୋଧହେଲା । ଆକାଶକୁ ଅନାଇ ଦେଖିଲା, ସେଠାରେ ଜଗନ୍ନାଥଙ୍କର ଛବି, ପୁଷ୍କରିଣୀର ଗଭୀର ସ୍ୱଛ ଜଳରେ ଜଗନ୍ନାଥ, ହୃଦୟ ଭିତରେ ଦେବତାର ଆସନରେ ଉପବିଷ୍ଟ ସେ, ତାହାର ଜଗନ୍ନାଥ -

 

ସପ୍ତମ ପଟ

 

୪୫ ନମ୍ୱର ଧର୍ମ୍ମତାଲା ଷ୍ଟ୍ରିଟ୍ ଘର । ଘରଟି ଏକ−ତଳ ବିଶିଷ୍ଟ । ଦ୍ୱାର ସମ୍ମୁଖରେ ଗୋଟିଏ ୭ମ ବର୍ଷୀୟା ବାଳିକା ଦୁଇଟି କ୍ଷୁଦ୍ର ବାଳିକାଙ୍କ ସଙ୍ଗେ ଖେଳୁଅଛି । ବାଳିକାଟିର ଚେହେରା ବେଶ୍ ସୁନ୍ଦର-। ପାତଳ ଶରୀର । ଅପେକ୍ଷାକୃତ ଲମ୍ୱା ମୁଖ । ସରୁ ସରୁ ଲମ୍ୱ ଲମ୍ୱ ଆଖି । ଦ୍ୱିତୀୟା ଚନ୍ଦ୍ରପରି ଭ୍ରୂ । ସରୁ ନାକ । ବର୍ଣ୍ଣ ଗୌରଶ୍ୟାମ । ଓଠ ଦୁଇଟି ଖୁବ୍ ପାତାଳ । ଛୋଟ ହାତ ଗୋଡ଼ । ସରୁ ସରୁ ଅଙ୍ଗୁଳି । ସୁନ୍ଦର ଦନ୍ତପନ୍ତି । ଠିକ୍ ମୁକ୍ତା ପରି । ଅନ୍ୟ ଦୁଇଟି ବାଳିକାଙ୍କ ମଧ୍ୟରେ ଜଣେ ଦୁଇବର୍ଷର ଶିଶୁକନ୍ୟା । ଅପରଟିର ବୟସ ପାଞ୍ଚବର୍ଷ ହେବ । ସେ ଦୁଇଜଣ ଦଖିବାକୁ ବଡ଼ଠାରୁ ଅଧିକ ସୁନ୍ଦର ଓ ଗୌରବର୍ଣ୍ଣ ।

 

ବାଳିକା ତିନୋଟି ଚୀନା ମାଟିର କଣ୍ଡେଇ ଓ ବାସନ ନେଇ ଭାତ ରନ୍ଧାରନ୍ଧିରେ ବ୍ୟସ୍ତ । ପରସ୍ପର ଭିତରେ ମିଛି ମିଛିକା ବିଭାଘରର ଆୟୋଜନ । ପୁଅ ସହିତ ଝିଅର ବିଭା ଦେବାରେ ବ୍ୟସ୍ତ । ଭୋଜୀର ଆୟୋଜମ ପାଇ ଇତସ୍ତତଃ ଚାଉଳ, ଡାଲି ଓ ଲୁଣ

 

ପଡ଼ିଛି । ଏଣେ ତେଣେ ଖାଲି ଦିଆସିଲି ବାକ୍‍ସ ବିଛାଡ଼ି ହୋଇ ପଡ଼ିଛି । ଟିକିଟିକି ଛିଣ୍ଡା କନା, ଛୋଟ ଛୋଟ କୁର୍ତ୍ତା, ସାୟା, ସେମିଜ୍ ଇତ୍ୟାଦି ତଳେ ପଡ଼ିଛି । ସେ ସବୁ ଯତ୍ନରେ ସଜଡ଼ାସଜଡ଼ି ଲାଗିଛି । ବଡ଼ ବାଳିକା ଦୁଇଟିର ସ୍ୱଭାବ ବେଶ୍ ଶାନ୍ତ । କିନ୍ତୁ ସବୁଠାରୁ ସାନଟି କ୍ଷଣେ କ୍ଷଣେ ଏଣେ ତେଣେ ଗୁରୁଣ୍ଡି ଗୁରୁଣ୍ଡି ଏଇଟା ସେଇଟା ଧରି ବଡ଼ ଭଉଣୀମାନଙ୍କୁ ବିରକ୍ତ କରିବାରେ ଲାଗିଛି । ସେମାନଙ୍କର ଅତି ଯତ୍ନର ସଂସାରଟିକୁ ମାଟି କରିବାରେ ଲାଗିଛି ।

 

ବଡ଼ଟିର ନାମ ଲଳିତା । ହେମଲତା ଓ ଲଳିତା ବର୍ତ୍ତମାନ ପରସ୍ପରର ସମୁଦୁଣୀ । ଲଳିତାର ପୁଅ, ହେମଲତାର ଝିଅ । ହେମ ସେଥିପାଇଁ କନ୍ୟାର ସାଜସଜ୍ଜା ନେଇ ବ୍ୟସ୍ତ । କନ୍ୟାଟି ରୀତିମତ ପୋଷାକ ପିନ୍ଧି କ୍ଷୁଦ୍ର ସାଗୁଆନ କାଠ ନିର୍ମିତ ସୁଆରୀରେ ବସିଲାଣି । ବରର ସାଜ ଆରମ୍ଭ ହେଉଛି-। ଲଳିତା ବରଟିକୁ ହାତରେ ଧରି ବୋହୂକୁ କଣ ଦେବ ବୋଲି ହେମ ସହିତ ବିଚାର କରୁଛି । ହେମ ମାଗୁଛି ସୁନାଚୁଡ଼ି । ନିଜେ ସୁନା ବାଲା ହଳେ ଦେଉଛି । ଏପରି ସମୟରେ ହଠାତ୍ ଦୁଷ୍ଟ ବନଲତା (ସାନଟି) ଗୁରୁଣ୍ଡି ଗୁରୁଣ୍ଡି ଆସି ବାକ୍‍ସ ସୁଆରୀ ମଧ୍ୟରୁ କନ୍ୟାଟିକୁ ତୋଳି ନେଇଗଲା । ଏଣେ ହେମ ମହାବ୍ୟସ୍ତ ହୋଇ ବନଲତା ପଛରେ ଧାଇଁଛି । ବନ କିନ୍ତୁ ଶୁଣୁନାହିଁ । ପଛକୁ ବି ଚାହୁଁ ନାହିଁ । ସବଳେ କନ୍ୟାଟିକୁ ହାତରେ ଚାପି ଧରି ଆନନ୍ଦରେ କୁହାଟ ମାରି ହସୁଛି । ସତେ ଯେପରି ସେ ରାଜ୍ୟ ଜୟକରି ଆଣିଛି ।

 

ବଡ଼ କଷ୍ଟରେ ଲଳିତା ଆସି ବନଲତା ହାତରୁ କନ୍ୟାଟିକୁ ଉଦ୍ଧାର କଲା । ସେତେବେଳକୁ ତାର ବେଶଭୂଷା ସବୁ ଟଣା ଓଟରା ହୋଇ ସରିଲାଣି । ସତେ ଯେପରି କିଛି ଗୋଟାଏ ବଡ଼ ଦୁଃଖ ଘଟି ଯାଇଛି । ହେମ ବଡ଼ ବ୍ୟସ୍ତ ହୋଇ ପୁଣି କନ୍ୟାକୁ ସଜାଡ଼ିବାରେ ଲାଗିଛି । କିନ୍ତୁ ଏଣେ ପୁଣି ଦୁଷ୍ଟ ବନଟା ଗୁରୁଣ୍ଡି ଗୁରୁଣ୍ଡି ଯାଇ ଲଲିତା ଓ ହେମର ସବୁ ମେଲା ହୋଇଥିବା ଜିନିଷପତ୍ର ଟାଣିଟୁଣି ଏକବାର ଲଣ୍ଡଭଣ୍ଡ କରି ଦେଲା । ଏଇଟା ଛଡ଼ାଇଲେ ସେଇଟା ନେଇ ପଳାଉଛି । ଲଲିତା ଓ ହେମ ବଡ଼ ଧନ୍ଦାରେ ପଡ଼ିଗଲେ । ଶେଷକୁ ହେମ ପିତୁଳା ଥୋଇଦେଇ ଦୁଷ୍ଟା ବନକୁ ବଳପୂର୍ବକ କାଖରେ ଚାପି ଧରିଲା । ତାପରେ ସବୁ ଖେଳନା ସାଉଁଟିବାରେ ଲାଗିଲା । ଆଜି ତାଙ୍କର ସମାରୋହର ବିଭାଘର ଏଇଠି ଶେଷ । କିନ୍ତୁ ବନ ଚୁପ୍ ହେଲାନି । ସେ ଚିତ୍କାର କରି କାନ୍ଦ ଘରେ ଫଟାଇବାକୁ ଲାଗିଲା । ତାହାର କ୍ରନ୍ଦନ ଧ୍ୱନୀରେ ଭିତର ଘରୁ ଜଣେ ସ୍ତ୍ରୀଲୋକ ଦୌଡ଼ି ଆସିଲେ । ସୋନାନଙ୍କର ଅବସ୍ଥା ଦେଖି ଘଟଣାଟି ବୁଝିବାକୁ ତାଙ୍କୁ ମୂହୂର୍ତ୍ତେ ମାତ୍ର ବିଳମ୍ୱ ହେଲାନି । ସେ ବନକୁ ହେମ କୋଳରୁ ନିଜ କୋଳକୁ ନେଇ ତାକୁ ତୁନି କଲେ । ପରେ ହେମ ଓ ଲଳିତାକୁ ସମସ୍ତ କଣ୍ଢେଇ ଥୋଇ ଦେଇ ଭିତରକୁ ଆସିବାକୁ ଆଦେଶ ଦେଲେ । ସେତେବେଳକୁ ସମୟ ପାଞ୍ଚଟା । ଲଲିତା ଓ ହେମ ସ୍କୁଲରୁଫେରି ଖେଳୁଥିଲେ । ସମସ୍ତେ ଭିତରକୁ ଗଲାପରେ ମାତା କନ୍ୟାମାନଙ୍କୁ ମୁଖ ପ୍ରକ୍ଷାଳନ କରାଇ ସଫା ଫ୍ରକ୍ ଜୋତା, ମୋଜା ଇତ୍ୟାଦି ପିନ୍ଧାଇ ଦେଲେ । କେବଳ ବନକୁ କୌଣସି ସାଜସଜ୍ଜା କଲେ ନାହିଁ ।

 

ପିଲାମାନଙ୍କର ଧନ୍ଦା ସରୁଣୁ ଶ୍ରାନ୍ତକ୍ଳାନ୍ତ ଶରୀରରେ ଯୋନାଥନ୍‍ବାବୁ ଅଫିସରୁ ଆସିଲେ । ଜ୍ୟେଷ୍ଠାକନ୍ୟା ଲଳିତା ପିତାଙ୍କ ନିକଟକୁ ଦୌଡ଼ି ଯାଇ ପକେଟ୍ − ମାନଙ୍କରେ ହାତ ପୂରାଇ ମୁଦ୍ରା ଅନ୍ୱେଷଣ କରିବାକୁ ଲାଗିଲା । କିନ୍ତୁ ସେ ବଡ଼ ସାବଧାନରେ ପିତାଙ୍କୁ ବିରକ୍ତ ନକଲାପରି କାମ କରୁଥାଏ । ଯୋନାଥନ୍ ନତ ହୋଇ ଲଳିତାକୁ ଚୁମ୍ୱନ କଲେ । ଲଲିତା ଆନନ୍ଦରେ ପିତାର ଗଳ ଧରି ପକାଇଲା । ହେମ ଲଳିତାର ଆଦର ବୋଧ ହୁଏ ସହିପାରିଲା ନାହିଁ । ସେ ମଧ୍ୟ ଦୌଡ଼ି ଆସି “ବାବା ମୋତେ ମୋତେ” କହି ମୁହିଁ ବଢ଼ାଇ ଦେଲା । ଯୋନାଥନ୍ ତାକୁ ଗୋଟିଏ ଚୁମ୍ୱନ ଦେଲେ । ବନର ମନେ ହେଲା ମିଠାଇ ବଣ୍ଟା ହେଉଛି । ଏହା ଭାବି ସେ ମଧ୍ୟ ଉପରକୁ ଚାହିଁ ଚାହିଁ ଗୁରୁଣ୍ଡି ଗୁରୁଣ୍ଡି ଆସି ପିତାଙ୍କ ଗୋଡ଼ତଳେ ହଜର ହେଲା । ଯୋନାଥନ୍ ବାବୁ ନଇଁପଡ଼ି ତାକୁ ଉଠାଇ କୋଳକୁ ନେଇ ଅଜସ୍ର ଚୂମା ଦେବାକୁ ଲାଗିଲେ । ବ୍ୟସ୍ତ ହୋଇ ଲଲିତାର ମାତା ସ୍ୱାମୀଙ୍କୁ ଶାସନ କରିବାକୁ ଲାଗିଲେ - “ଛାଡ଼, ତାକୁ ଓହ୍ଲାଇ ଶୀଘ୍ର ଲୁଗା ବଦଳିଆସି । ସାରାଦିନ ଖଟିଖଟି ଦେହ କଳା ପଡ଼ିଗଲାଣି । ଥାଉ, ପରେ ଗେଲ କରିବ ।”

 

ସ୍ୱାମୀ ସ୍ନେହରେ କହିଲେ - “ତୁମର କ’ଣ ଗଲା ? ତୁମେ ସାରାଦିନ ଖାଲି ଗେଲ କରୁଥିବା । ମୁଁ ଘଣ୍ଟାଏ କଲେ ସହି ହେଉ ନାହିଁ ।” ଏହା କହି ବନକୁ ଅନାଇ କହିଲେ, “ଦେଖିଲୁ ମାମି, ତୋ ମା’ ମୋତେ ହିଂସାକରୁଚି ।” ବନ କିଛି ବୁଝିଲା କି ନାହିଁ - ଆହୁରୀ ଦୃଢ଼ରୂପେ ପିତା କୋଳରେ ଆଉଜି ରହିଲା ।

 

ଶଶୀ ନିକଟକୁ ଆସି ବନକୁ ଛଡ଼େଇ ନେଇ କହିଲା - “ଭାରି ଗେଲ ବୋହି ଯାଉଚି । କଣ କହିବି ଆଉ ।” ଯୋନାଥନ୍ ଶଶୀର ହାତ ଧରି ପକାଇଲେ । ଗଭୀର ପ୍ରେମରେ ଶଶୀର ଦୁଇଆଖି ଯୋନାଥନ୍‍ର ଦୁଇ ଆଖିରେ ନିବଦ୍ଧ ହେଲା । ଯୋନାଥନ୍ ମୋହିତ ହୋଇ ଶଶୀର ହାତ ଚାପି ଧରିଲେ ।

 

ଆଜି ଯୋନାଥନ୍ ଆଉ ପୂର୍ବର ଜଗନ୍ନାଥ ନୁହଁନ୍ତି । ଆଜି ସେ ମିଃ ଯୋନାଥନ୍ ପାତ୍ର । ଅଫିସର ବଡ ବାବୁ । ଶହେ ପଚାଶ ଟଙ୍କା ବେତନରେ କାମ କରନ୍ତି । ଉପରି ପ୍ରାୟ ମାସିକ ପଚାଶ ଷାଠିଏ ଟଙ୍କା ରୋଜଗାର ହୁଏ । ଯୋନାଥନ୍ବାବୁ କର୍ମ କୁଶଳ, ଉଦ୍‍‌ଯୋଗୀ ଓ ସତ୍ୟବାଦୀ । ସେଥିପାଇଁ ଅଫିସ୍‌ର ସାହେବ ତାଙ୍କୁ ବଡ଼ ଭଲ ପାଆନ୍ତି । ପଚାଶ ଟଙ୍କା ବେତନ ମଧ୍ୟରୁ ନଅବର୍ଷ ମଧ୍ୟରେ ସେ ଟ୧୫୦ ବେତନକୁ ଉଠିଅଛନ୍ତି । ସାହେବର ତାଙ୍କଠାରେ ବଡ଼ ବିଶ୍ୱାସ । ସବୁ ଭାର ତାଙ୍କ ଉପରେ-। ଯୋନାଥନ୍ ବାବୁ ବଡ଼ ବିଶ୍ୱସ୍ତ । ସେ ବଡ଼, ବିଶ୍ୱସ୍ତ ଭାବରେ ଅଫିସ୍‌ର କାମ ଚଳାଇ ନେଉଅଛନ୍ତି । ସାହେବ ତାଙ୍କର ବଡ଼ ପ୍ରଶଂସା କରନ୍ତି ।

 

ଶଶୀ ଲଜ୍ଜାରେ ତଳକୁ ଅନାଇଁ କହିଲା - “ହାତ ଛାଡ଼ ।” ଯୋନାଥନ ଆହୁରି ଦୃଢ଼ଭାବେ ଧରି ରଖି କହିଲେ - “ମୁଁ ଛାଡ଼ିବି ନାହିଁ । କଣ କରିବ କର ।”

 

ଶଶୀ ବ୍ୟସ୍ତ ହୋଇ ହାତ ଛାଡ଼ାଇବାକୁ ଚେଷ୍ଚା କଲା । ଯୋନାଥନ୍ ହାତ ଛାଡିଦେଇ । ଲୁଗା ବଦଳାଇବାକୁ ଉପକ୍ରମ କଲେ । ଶଶୀ ଜଳଖିଆ ଇତ୍ୟାଦି ପରିବେଷଣକଲା । ଯୋନାଥନ୍ ଓ ପିଲାମାନେ ଟେବୁଲରେ ଆସି ବସିଲେ । ଉପଯୁକ୍ତ ପରିବେଷଣ ପରେ ସମସ୍ତଙ୍କ ତୃପ୍ତ କରି ଶଶୀ ସାନ୍ଧ୍ୟ ଭ୍ରମଣକୁ ପଠାଇଦେଲା । ଯୋନାଥନ୍ ବାବୁ ଶଶୀ ହସ୍ତରୁ ପାନ ନେଇ ଆଉ ଥରେ ସେହି ସୁନ୍ଦର କୋମଳ ମୁଖକୁ ପ୍ରେମବିଭାର ନେତ୍ରରେ ଅନାଇଲେ । ତାପରେ ପିଲାମାନଙ୍କର ହାତଧରି ବାହାରକୁ ବାହିରିଗଲେ ।

 

ଆଜିକାଲି ଶଶୀର ପୂର୍ବ ଚେହେରା ଆହୁରୀ ସୁନ୍ଦର ହୋଇ ଉଠିଛି । କିନ୍ତୁ ଯୌବନ ସୁଲଭ ତରୁଣ ମାଧୁରୀ ବଦଳେ ବୟସ୍କ । ତରୁଣୀ ସୁଲଭ ଶାନ୍ତ, ଧୀର, ବିଚକ୍ଷଣ ଓ ବିବେକୀ ଦିଶୁଅଛି । ଶଶୀ ଖୁବ୍ ଅଳ୍ପ କଥା କହେ । ସଦା ଗମ୍ଭୀର କିନ୍ତୁ ଯେତେବେଳେ ଅଲକ୍ଷରେ ସ୍ୱାମୀର ମୁଖକୁ ଅନାଏ, ଯୋନାଥନ୍ ଭାବନ୍ତି ବୋଧହୁଏ ସଂସାରରେ ତାଙ୍କଠାରୁ ଭାଗ୍ୟବାନ ଆଉ କେହି ନାହିଁ । ଶଶୀ ପରି କର୍ମକୁଶଳା ଗୁଣବତୀ ଓ ରୂପବତୀ ଭାର୍ଯ୍ୟା ପାଇ ଯୋନାଥନ୍‌ଙ୍କ ମନ ଗଭୀର ପରିତୃପ୍ତିରେ ପୂରି ଆସେ ।

 

ଦିନେ ଦିନ ଗୋଟାକ ସମୟରେ ଯୋନାଥନ୍ ଅଫିସରୁ ଫେରି ତିନିଜଣ ବୃଦ୍ଧ ଅତିଥି ସହିତ ଗୃହରେ ପ୍ରବେଶ କଲେ । ଶଶୀ ଏଥିରେ ସ୍ୱାମୀଙ୍କ ଉପରେ ଏତେ ଟିକେ ବିରକ୍ତ ନ ହୋଇ ଅତିଥି ତ୍ରୟଙ୍କର ଯଥାରୀତି ସତ୍କାର କରିବାକୁ ଲାଗିଲେ । ସେମାନେ ବିଦାୟ ନେଲାପରେ ଯୋନାଥନ୍ ଶଶୀକୁ ପଚାରିଲେ - “ତିନି ଜଣଙ୍କ ପାଇଁ କିପରି ଅନ୍ନ ହୋଇଗଲା ।” ଶଶୀ ସହାସ୍ୟ ବଦନରେ କହିଲା - “ତୁମର ସେ କାରବାର ଶିଖିବାକୁ ଇଛା ହେଲାଣି ଦେଖୁଛି । ମୋର ଲାଭତକ ଏଣିକି ମାରାପଡ଼ିବ ପରା !”

 

ଅଷ୍ଟମ ପଟ

 

ଲଲିତାର ବୟସ ବଢ଼ୁଚି । ବୟସ ସଙ୍ଗେ ସଙ୍ଗେ ବୁଦ୍ଧି ଓ ବିବେକ ମଧ୍ୟ ବଢ଼ୁଚି । ଲଲିତାର ବୟସ ବର୍ତ୍ତମାନ ୧୪ ବର୍ଷ । ସେ ତରୁଣୀ, ଯୁବତୀ । କୋମଳ ତାର ଦେହର ଗଠନ । ଦେହରେ ସୌନ୍ଦର୍ଯ୍ୟରଲହଡ଼ି । ମାତାପରି ସେ ଅତୁଳନୀୟ ସୁନ୍ଦରୀ ନୁହେଁ । କିନ୍ତୁ

 

ଦେଖିବାକୁ ବେଶ୍ । ତା’ର ଯୌବନସୁଲଭ ସୌନ୍ଦର୍ଯ୍ୟ ଓ ଲଜ୍ଜା ଅରୁଣିମ ମୁଖମଣ୍ଡଳ ବଡ଼ ସୁକୁମାର-। ଲଳିତା ଇଂରାଜୀ ସ୍କୁଲରେ ପଢେ଼ । ସବୁ ବିଷୟରେ ଶ୍ରେଣୀରେ ସେ ଉଚ୍ଚତମସ୍ଥାନ ଅଧିକାରକରୁଚି । ସ୍କୁଲର ଶିକ୍ଷୟତ୍ରୀମାନେ ତାକୁ ବଡ଼ ଆଦର କରନ୍ତି । ତାର ସ୍ୱଭାବ ଚରିତ୍ର ଶାନ୍ତ ଓ ଗମ୍ଭୀର । ମାତାପରି ସେ ବିଚକ୍ଷଣ ଅଥଚ ସୁଶୀଳ ଓ ନମ୍ର । ଲଳିତା ସିଲାଇ ଶିଖିଚି । ଗାନବାଦ୍ୟ ଶିଖିଚି । କୋକିଳପରି କଣ୍ଠ ମଧୁର ଓ ଅନୁପମ । ମାତାଠାରୁ ସୁଶିକ୍ଷାପାଇ ସର୍ବୋପରି ସେ ଗୃହ କର୍ମରେ ପାରଦର୍ଶନୀ ।

 

ନବମ ପଟ

 

ସଂସାରରେ କିଏ କାହାର ? ଯୋନାଥନ୍‌ର ବିପୁଳ‬‬ ସ୍ନେହ, ଗଭୀର ପ୍ରେମ, ହୃଦୟର ସମସ୍ତ ଅକପଟ ପୂଜା ଶଶୀକୁ ଆବଦ୍ଧ କରି ରଖିପାରିଲା ନାହିଁ । ଆଜି ଶଶୀ ମୃତ୍ୟୁ ଶଯ୍ୟାଗତା । ଦିନ ନାହିଁ, ରାତ୍ରି ନାହିଁ, ଅକ୍ଳାନ୍ତ ପରିଶ୍ରମରେ ଯୋନାଥନ କ୍ଷୀଣ ହେଲେଣି । ଅଜସ୍ର ଅର୍ଥ ବ୍ୟୟ ହେଲେଣି । କିନ୍ତୁ ଦିନ ପରେ ଦିନ ଯାଉଛି । ଶଶୀର ଅବସ୍ଥା ଭୟଙ୍କର । ଯୋନାଥ୍ ବୁଝିଲେ ଆଉ ଆଶା ରଖି ହେବନି । ଅନନ୍ୟୋପାୟ ହୋଇ ବୀରବାବୁଙ୍କୁ ଟେଲିଗ୍ରାମ୍ କରି ଡାକି ପଠାଇଲେ । ବୀର ଶୁଣି ବିଳମ୍ୱ ନ କରି ଆସିଲେ ।

 

ଦିବା ଦ୍ୱିପ୍ରହର । ଯେଉଁ ଘରେ ଶଶୀ ଶଯ୍ୟାଗତା ସେଠାରେ ବୀର ଓ ତାଙ୍କ ସ୍ତ୍ରୀ ଗୁଲ୍ ବଦନୀ ଆସି ପାଦଦେଲେ । ପାଠକ ମହାଶୟ, ଥରେ ସେହି ଘରର ଅବସ୍ଥା ଦେଖିବାକୁ ଇଛା କରନ୍ତି କି ? ତେବେ ଆସନ୍ତୁ, ବୀରବାବୁ ଓ ତାଙ୍କ ସ୍ତ୍ରୀଙ୍କ ସହିତ ଗୃହ ପ୍ରବେଶ

କରନ୍ତୁ ।

 

ପ୍ରକୋଷ୍ଠଟି ଆୟତନରେ ବଡ଼; କିନ୍ତୁ ବାୟୁ ଚଳାଚଳ ପକ୍ଷରେ ତେତେ ସୁବିଧା ନାହିଁ । କଲିକତାର ଅନେକଘର ଏହିପରି । ଗୃହରେ ରୋଗୀର ବ୍ୟବହାର୍ଯ୍ୟ ବସ୍ତୁ ଛଡ଼ା ପ୍ରାୟ ଅନ୍ୟ କୌଣସି ବସ୍ତୁ ନାହିଁ । ଗୃହର ଏକପାର୍ଶ୍ୱରେ ପଲଙ୍କ ଉପରେ ଶଶୀ ଶଯ୍ୟାଶାୟନୀ । ଅଙ୍ଗ ପାଣ୍ଡୁର ଦିଶୁଛି । ଦେହ ଅସ୍ଥିସାର । ମୁଖ ବଡ଼ ମିଳନ । ମୁହଁରେ ବେଦନର ଚିହ୍ନ ସ୍ପଷ୍ଟ ଅଙ୍କିତ । ଚକ୍ଷୁ ଅର୍ଦ୍ଧମୁଦ୍ରିତ; କିନ୍ତୁ ଭାବହୀନ । ପ୍ରଶାନ୍ତ ଲାଲଟରେ କାଳିମାର ରେଖା ପଡ଼ିଲାଣି ।

 

ବୀରବାବୁ ବିସ୍ମିତ ଭାବରେ ଚାହିଁ ରହିଲେ । ଏହି ସେହି ମୁଖ; ଏକ ସମୟରେ ସୌନ୍ଦର୍ଯ୍ୟର ଲୀଳାଭୂମି ଥିଲା । ଏହି ସେହି ମୁଖ ଯାହା ଦେଖି ଜଗନ୍ନାଥ ମୋହିତ ହୋଇଥିଲେ । ଏହି ସେହି ମୁଖ ଲଲିତାର ଆଦରିଣୀ ଜନନୀର ପ୍ରଶାନ୍ତ ଗମ୍ଭୀର,କରୁଣ ମୋହନ ମୁଖ । ଶଶୀର ଚେତନା ନ ଥାଏ । ଏକ ପାର୍ଶ୍ୱରେ ଯୋନାଥନ୍ ଏବଂ ଅନ୍ୟ ପାର୍ଶ୍ୱରେ ଲଳିତା, ପାଦ ନିକଟରେ ହେମ । ନିକଟରେ ଚୌକି ଉପରେ ବିନୋଦ । ଶଶୀର ଅବସ୍ଥା ଖରାପ ହେବାର ଶୁଣି ବିନୋଦ ତାହାଙ୍କୁ ଦେଖିବାକୁ ଏବଂ ଯୋନାଥନ୍ ବାବୁଙ୍କୁ ସାହାଯ୍ୟ କରିବାକୁ ଥରେ ଦୁଇଥର ଆସିଲେଣି । ଯୋନାଥନ୍ ବାବୁ ଅତିରିକ୍ତ ଦୁଃଖରେ ଆତ୍ମହରା । ତାହାଙ୍କର ଭଦ୍ରାଭଦ୍ର ବିଚାର ନାହିଁ । ଏତେବେଳେ ସହାନୁଭୂତିକାରୀକୁ ସେ ପରମ ମିତ୍ର ମନେ କରୁଅଛନ୍ତି । ସେଥିପାଇଁ ବିନୋଦ ପାଇଁ ବର୍ତ୍ତମାନ ଦ୍ୱାର ତାଙ୍କର ଅବାରିତ । ବିନୋଦ ମଧ୍ୟ ପ୍ରାଣପଣେ ସାହାଯ୍ୟ କରି ବନ୍ଧୁତ୍ୱର ପରିଚୟ ଦେଉ ଅଛନ୍ତି । ବିନୋଦର ଗୁଣାବଳୀରେ ଯୋନାଥନ୍ ବାବୁ

ପରମ ପ୍ରୀତ ଏବଂ ଲଳିତା ମୁଗ୍‌ଧ ।

 

ଲଳିତାର ଦୁଃଖ ଅପରିସୀମ । ତାହାର ମାତୃଭକ୍ତି ପୂର୍ଣ୍ଣ ହୃଦୟରେ ମାତାର ଦାରୁଣ ଅବସ୍ଥା ସାତିଶୟ କଷ୍ଟକର ବୋଧହେଲା । ବାଲ୍ୟକାଳରୁ ମାତାର ପରମ ପବିତ୍ର ଗମ୍ଭୀର ସ୍ୱଭାବର ସୌନ୍ଦର୍ଯ୍ୟରେ ସେ ମୁଗ୍‌ଧ ହୋଇ ତାହାଙ୍କୁ ଦେବୀତୁଲ୍ୟ ପୂଜା କରୁଥିଲା । ତାହାର ମାଆ କୋଟିକରେ ଗୋଟିଏ । ସେ ସର୍ବଦୁଃଖହାରିଣୀ ଜନନୀର ସୌନ୍ଦର୍ଯ୍ୟପୂର୍ଣ୍ଣ ମୁଖମଣ୍ଡଳ ଆଜି ବିବର୍ଣ୍ଣ, ଜ୍ୟୋତିହୀନ । ଚକ୍ଷୁରେ କଟାକ୍ଷ ନାହିଁ । ଶରୀର ଚେତନାହୀନ । ପାଖରେ ବସି ଲଳିତା ରୋଦନ କରୁଅଛି ଏବଂ ନାନା କଥା ଭାବୁଅଛି । ତା ମାଆର ପ୍ରତ୍ୟେକଟି କଥା ଆଜି ତା ମନେ ପଡୁଛି । ପିଲାକାଳୁ ମାଆ କିପରି ସେମାନଙ୍କୁ ଲାଳନ ପାଳନ କରୁଥିଲା, କେତେ କଷ୍ଟ ସହି, କେତେ ରାତ୍ରି ଅନିଦ୍ରା ହୋଇ ସେମାନଙ୍କର ସେବା କରିଅଛି । କାହାର ସାମାନ୍ୟ ପୀଡ଼ା ହେବାମାତ୍ରେ ମାଆର ଭାବନାର ଅନ୍ତ ନଥାଏ । ଦିବାରାତ୍ର ଯତ୍ନ, ଅକ୍ଳାନ୍ତ ସେବା ଲଳିତା ଗୋଟିକ ପରେ ଗୋଟିଏ ସ୍ମରଣ କରିବାକୁ ଲାଗିଲା । ସବୁ ପୂର୍ବ ଘଟଣା ଆଜି ଅତି ଅତର୍କିତ ଭାବରେ ମନେ ପଡ଼ୁଛି । ତା’ର ଚକ୍ଷୁ ସମକ୍ଷରେ ଅଗଣିତ ପୂର୍ବ ସ୍ମୃତି ଚିତ୍ରିତ ପଟପରି ଭାସିବାକୁ ଲାଗିଲା । ଲଳିତାର କୋମଳ ହୃଦୟ ଦୁଃଖରେ କାତର ହେଲା । ସେ ବୁଝିପାରିଚି ମାଆର ଜୀବନ ଆଉ ଅଳ୍ପମାତ୍ର ବାକି ଅଛି । ତଥାପି ଈଶ୍ୱରଙ୍କ ଉପରେ ତା’ର ଦୃଢ଼ ବିଶ୍ୱାସ । ସେ ମଙ୍ଗଳମୟ, ଯାହା କରିବେ ତା ସେ ଆଶୀର୍ବାଦ ଭାବି ବହିନେଇ ପାରିବ ।

 

ଏପରି ଦୁଃସମୟରେ ବିନୋଦର ଆଦର ଓ ଯତ୍ନ ଲଳିତାର ଆଖିରେ ବଡ଼ ମହତ୍ ବୋଧ ହେବାକୁ ଲାଗିଲା । ବିନୋଦ ସେମାନଙ୍କର କିଏ ସେ ? ତଥାପି ଦିନ ନାହିଁ, ରାତି ନାହିଁ ଅକ୍ଳାନ୍ତ ପରିଶ୍ରମ କରି ସେ ଲଳିତାର ମାଆଙ୍କ ସେବା କରୁଅଛନ୍ତି । ନିତାନ୍ତ ପର ହୋଇ ସୁଦ୍ଧା ବିନା ଆହ୍ୱାନରେ ସ୍ୱଇଚ୍ଛାରେ ବିନୋଦ ଅତି ଅକାତରଭାବେ ସେବା କରୁଛନ୍ତି । ଉଚ୍ଚମନା ବାଳିକା ଏହି ଅପରିଚିତ ଯୁବକର ମହତ୍ ଭାବକୁ ହୃଦୟଭରି ପୂଜା କରିବାକୁ ଲାଗିଲା । ବିନୋଦ ତାହାର ଦୃଷ୍ଟିରେ ଦେବତୁଲ୍ୟ ଅତି ଉଚ୍ଚ ହୋଇ ଉଠିଲେ । ସେହି ପରୋପକାରୀ ବିନୋଦ ସମ୍ମୁଖରେ ଲଳିତା ଆଜି ଦୁଃଖରେ ସଂପୂର୍ଣ୍ଣ ଲଜ୍ଜାଶୂନ୍ୟା, ନିରାଭରଣା । ସେ କାତର ହୋଇ କେବଳ ରୋଦନ କରୁଅଛି । ବୀର ଓ ତାହାଙ୍କର ସ୍ତ୍ରୀ ଉପସ୍ଥିତ ହେଲେ ।

 

ବୀର ଅନାଇ ଦେଖିଲେ, ପଲଙ୍କ ଉପରେ ସ୍ନେହମୟୀ ଶଶୀ ଅତି ଅବଶ ଭାବରେ ପଡ଼ି ରହିଛି । ତାଙ୍କର ମନେପଡ଼ିଲା - ଏଇ ଶଶୀ, ଯାହାକୁ ବହୁ ବର୍ଷ ତଳେ ତା’ ମାଆର ମୃତଦେହ ନିକଟରୁ ଆଦର ଯତ୍ନ କରି ଘରକୁ ଆଣିଥିଲେ । ସେହି ସୁନ୍ଦରୀ ଗୋପାଳ ବାଳିକା ଆଜି ମୃତ୍ୟୁଶଯ୍ୟାଶୟିନୀ-। ବୀରବାବୁଙ୍କ ଚକ୍ଷୁ ଲୋତକପୂର୍ଣ୍ଣ ହୋଇ ଉଠିଲା । ଲଳିତା ମୁଖ ଉଠାଇ ମାତୁଳ ଓ ମାତୁଳାଣୀଙ୍କୁ ଅନାଇଲା । ଏହି ସେହି ବୀରମାମୁଁ, ଯାହାର ମହତ୍ ଗୁଣାବଳୀ ଆଉ ଧର୍ମପ୍ରିୟତା ଗଳ୍ପଛଳରେ ବାରମ୍ୱାର ମାତାନିକଟରୁ ସେ ଶୁଣିଥିଲା । ଲଳିତାର କୌତୂହଳୀ ଆଖି ମାମୁଁଙ୍କ ମୁହଁରେ ନିବିଷ୍ଟ ହେଲା । କୃଷ୍ଣକାୟ ପ୍ରୌଢ଼ ବ୍ୟକ୍ତି । ମୁଖଟିରେ ଯୁଗଯୁଗର ବ୍ୟଥିତ ଗ୍ଳାନି ଓ ଗଭୀର ଦୁଃଖର ଭାବ ସ୍ପଷ୍ଟ ।

 

ଯୋନାଥନ୍ ଚାହିଁଲେ । ବୀରଙ୍କୁ ଦେଖିଲା ମାତ୍ରେ ତାଙ୍କର ଶୋକାବେଗ କୋଟିଗୁଣରେ ବର୍ଦ୍ଧିତ ହେଲା । ବହୁ ପୁରୁଣାସ୍ମୃତି ନିମିଷକରେ ହୃଦୟରେ ଜାଗି ଉଠିଲା । ଯୋନାଥନ୍ ଗଭୀର ଦୁଃଖରେ ବୟସର ତାରତମ୍ୟ ଭୁଲିଗଲେ ଓ ପାଗଳ ପରି ଅଧୀର ହୋଇ ବୀରବାବୁଙ୍କୁ କୁଣ୍ଢାଇ ପକାଇ କହିଲେ - “ବୀର ଭାଇ, ମୋର ସବୁ ସରିଗଲା ।” ସତେ ଯେପରି ହୃଦୟର ଅନାମିତ କେଉଁ ଅନ୍ତଃସ୍ଥଳରୁ ଏଇ କେତୋଟି କଥା ବାହାରି ଆସିଲା । ବାଳକପରି କରୁଣଭାବରେ ସେ କାନ୍ଦି ଉଠିଲେ । ବୀର ମଧ୍ୟ କାନ୍ଦିଲେ । ତାହାଙ୍କର ଦୃଢ଼ ହୃଦୟ ବିଚଳିତ ହୋଇ ଉଠିଲା । ଗୁଲ୍ ବଦନୀ ଶୋକରେ ଅଧୀରା ହୋଇ ବିଛଣା ପାର୍ଶ୍ୱରେ ବସି- ପଡ଼ିଲେ । ଲଳିତା ସମ୍ଭାଳି ପାରିଲା ନାହିଁ । ସେ ଚିତ୍କାର କରି କାନ୍ଦିଉଠିଲା ।

 

ବୀର ଶଶୀର ଶଯ୍ୟା ପାଖକୁ ଲାଗି ଆସିଲେ । “ଶଶୀ, ଶଶୀ” ବୋଲି ଆକୁଳ ଭାବରେ କେତେ ଡାକିଲେ । ଦେହରେ ହାତମାରି ହଲାଇଲେ; କିନ୍ତୁ ଶଶୀର ଜବାବ୍ ନାହିଁ । ସେ ଦୃଷ୍ଟିରେ କୌଣସି ଜୀବନ୍ତ ଭାବ ନାହିଁ । ବୀର ଆଉଁଷିବାକୁ ଲାଗିଲେ । ସେ ଜାଣିପାରିଲେ ଶଶୀର ଏହା ଅନ୍ତିମ ଶୟନ । ତାହାଙ୍କ ହୃଦୟ କୋହରେ ପୂରି ଉଠିଲା । ସେ ଦୀର୍ଘଶ୍ୱାସ ନିକ୍ଷେପ କରି ବିଛଣାରେ ବସିପଡ଼ିଲେ ।

 

କାହାର ମୁହଁରେ କଥା ନାହିଁ । ଦୁଇ ଘଣ୍ଟା ବିତିଗଲା । ଡାକ୍ତର ବାବୁ ଆସିଲେ । ଅତି ଚଞ୍ଚଳ ଭାବରେ ରୋଗୀକୁ ପରୀକ୍ଷା କରିନେଲେ । ତାହାଙ୍କ ମୁହଁରେ ନୈରାଶ୍ୟର ରେଖା ସ୍ପଷ୍ଟ ହୋଇଉଠିଲା । ଅତି ବ୍ୟଗ୍ରଭାବରେ ଯୋନାଥନ୍ ଓ ବୀରଙ୍କୁ ଅନାଇଲେ । ବ୍ୟାଗ୍ ଫିଟାଇ ଗୋଟାଏ ଇଞ୍ଜେକ୍‌ସନ୍ ଦେଲେ । ନୀରବରେ ଦୁଇ ମିନିଟ୍ ମଧ୍ୟରେ ସବୁ କାର୍ଯ୍ୟ ଶେଷ ହେଲା । ଡାକ୍ତର ମୁହୂର୍ତ୍ତେକାଳ ଭୂଇଁକୁ ଚାହିଁଲେ । ଅତି କଠୋର କର୍ତ୍ତବ୍ୟ ତାହାଙ୍କ ସମ୍ମୁଖରେ । ଅତି କରୁଣ ଓ ନିଷ୍ଠୁର କର୍ତ୍ତବ୍ୟର ପରୀକ୍ଷା । ସେ କିପରି ତାହା ସାଧନ କରିବେ । ଆଉ ଏକ ମୁହୂର୍ତ୍ତ ମୁଖ ଉଠାଇଲେ । ପୁଣି ମାଟିକୁ ଚାହିଁ ରହି କ’ଣ ଚିନ୍ତା କଲେ । ଯେତେହେଲେ ବି ସେ ମନୁଷ୍ୟ । ଛ’ ବର୍ଷ ମେଡିକାଲରେ ପଢ଼ି ଚାରିବର୍ଷ କାଳ ଶବ ବ୍ୟବଚ୍ଛେଦ କରିଥିଲେ ବି ତାଙ୍କର ହାତ ଅଚଳ ହେବାକୁ ଲାଗିଲା । ଆଜି ଏତେବଡ଼ ଗୁରୁତର କଥା । ମୁହୂର୍ତ୍ତକମଧ୍ୟରେ ସମସ୍ତ ନିଷ୍ଠୁରତା ସହ କିପରି ବ୍ୟକୁଳିତ ଅର୍ଦ୍ଧ-ପାଗଳ ଯୋନାଥନ୍‌କୁ ଏକଥା କହିବେ । କିପରି ବା ସେହି ସୁକୁମାରୀ ବାଳିକାର କୋମଳ ହୃଦୟରେ ବଜ୍ରକଠିନ ଆଘାତ ଦେବେ ! ମୁଖ ଉଠାଇ ଡାକ୍ତରବାବୁ ସ୍ଥିର- ଭାବରେ ଯୋନାଥନ୍‌ର ଦୁଷ୍ଟିରେ ସ୍ୱ ଦୁଷ୍ଟି ନିବଦ୍ଧ କଲେ । ପରମୁହୂର୍ତ୍ତରେ ଗମ୍ଭୀର ଭାବଶୂନ୍ୟ ବଦନରେ ନିର୍ବିକାର ଭାବରେ କହିଲେ - “ଯୋନାଥନ୍‌ବାବୁ, ଆପଣଙ୍କ ସ୍ତ୍ରୀଙ୍କର ବଞ୍ଚିବାର ଆଶା ଆଦୌ ନାହିଁ । ତାହାଙ୍କ ପାଇଁ ପାରୁପର୍ଯ୍ୟନ୍ତ ଯତ୍ନ ହେଲା; ମାତ୍ର ଆଉ ଯତ୍ନ କରିବା ବୃଥା ।”

 

ଡାକ୍ତର ସ୍ୱକର୍ତ୍ତବ୍ୟ ଶେଷ କଲେ ଓ ମୁହୂର୍ତ୍ତ ମଧ୍ୟରେ କକ୍ଷ ତ୍ୟାଗକଲେ । ଲଳିତାର କାନରେ ସେହି ବିଦାୟକାଳୀନ ବାଣୀ ବାରମ୍ୱାର ଅତି ଭୟଙ୍କର ଭାବରେ ପ୍ରତିଧ୍ୱନିତ ହେବାକୁ ଲାଗିଲା । ସେ ହତଜ୍ଞାନ ହୋଇ ଖଟ ଉପରୁ ତଳେ କଚାଡ଼ି ହୋଇ ପଡ଼ିଲା । ଉନ୍ମାଦିନୀ ପରି ପ୍ରଳାପ କରି ସେହିଠାରେ ନିସ୍ତେଜ ଭାବରେ ପଡ଼ି ରହିଲା ।

 

ଯୋନାଥନ୍ ଓ ବୀର ପଥର ପରି ନିର୍ବାକ ଓ ନିଶ୍ଚଳ । ଶୂନ୍ୟ ବିଷାଦଭରା ଦୃଷ୍ଟିରେ ପାଗଳପରି ଯୋନାଥନ୍ କହି ଉଠିଲେ - “ଆହା, ସମସ୍ତେ ମର ।” ତାହାଙ୍କର ଆଉ ବାକ୍ୟ ସ୍ଫୁର୍ତ୍ତ ହେଲା ନାହିଁ । ସେ ଶଶୀର ପଦତଳେ ପଡ଼ି କାନ୍ଦିବାକୁ ଲାଗିଲେ । “ଶଶୀ, ଶଶୀ ତୋ ବଦଳି ମୁଁ ମରେ ।” ଆଉ କହିପାରିଲେ ନାହିଁ । ଗଭୀର ଦୁଃଖ ତାଙ୍କର କଣ୍ଠ ରୁଦ୍ଧ କଲା । ସେଠାରୁ ସେ ଉଠି ଆସିଲେ । ଦୁଇ ହାତରେ ଶଶୀର ମସ୍ତକ ଉଠାଇ ଚୁମ୍ୱନ କଲେ । ଏହା ତାହାଙ୍କର ଶେଷ ଚମ୍ୱନ । ଆଜି ତାଙ୍କର ଲଜ୍ଜା ନାହିଁ । ସେ ଅତି ନିବିଷ୍ଟ ଭାବରେ ସେହି ଆସନ୍ନ ମୃତ୍ୟୁମୁଖକୁ ଚାହିଁ ରହିଲେ । ଆଜି ସେ ନଈର ଏପାଖରେ, ଆଉ ଶଶୀ ଆର କୂଳରେ । ଉଭୟଙ୍କ ମଝିରେ ଭୟଙ୍କର ମୃତ୍ୟୁନଦୀ । ତାହାଙ୍କ ଶଶୀ ଅଳ୍ପ ସମୟ ପରେ ଆଉ ଜୀବନରେ ରହିବନି । ସେହି ସୁନ୍ଦର ଢଳଢଳ ମୁହଁ ଚିରକାଳ ପାଇଁ ଆଖିଆଗରୁ ଲୁଚି ଯିବ । ସବୁଦିନ ପାଇଁ ତାଙ୍କ ହୃଦୟ ଶୂନ୍ୟ ରହିବ, ଗୃହ ଅନ୍ଧାକର ହେବ । କନ୍ୟାତ୍ରୟ ମାତୃହୀନ ହେବେ । ଏ କଥା ଲେଖକର ବର୍ଣ୍ଣନୀୟ ନୁହେଁ - ଅନୁଭବୀ ମାତ୍ର ଜାଣେ । ସେ ଉନ୍ମାଦ ରୋଗୀ ତୁଲ୍ୟ ଶଶୀର ମସ୍ତକ ଉପାଧାନରେ ନ୍ୟସ୍ତକରି ସେ ପ୍ରକୋଷ୍ଠ ତ୍ୟାଗ କରିଗଲେ । ତାହାଙ୍କର ସହ୍ୟ ହେଲା ନାହିଁ । ବୀର ଶଶୀର ଶଯ୍ୟା ପାଖରେ ବସି ରହିଲେ । ଗୁଲ୍‌ବଦନୀ ଉଠିଯାଇ ମୂର୍ଚ୍ଛାଗତା ଲଳିତାର ମୁଣ୍ଡରେ ପାଣି ମାରିବାକୁ ଲାଗିଲେ । ବିନୋଦ ପଙ୍ଖା କଲେ ।

 

କିଛିକ୍ଷଣ ପରେ ଲଳିତା ଚେତନା ଲାଭ କରି ମା’ଲୋ କହି କାନ୍ଦିଉଠିଲା । ହେମ ଓ ବନ ଆର ଘରେ ବିନି ନିକଟରେ ଥିଲେ । ଲଳିତାର କ୍ରନ୍ଦନ ଶବ୍ଦ ଶୁଣି ଧାଇଁ ଆସି ଦେଖିଲେ - ଘରେ ପିତା ନାହାନ୍ତି; ଅଛନ୍ତି ଅପରିଚିତ ଜଣେ ବ୍ୟକ୍ତି ଏବଂ ଜଣେ ଭଦ୍ରମହିଳା । ସେମାନେ ଦୁଃଖରେ କାତର । ଏଣେ ଲଜ୍ଜାରେ କିଛି ପଚାରି ପାରିଲେ ନାହିଁ । ମାତାର ଶଯ୍ୟା ପାଖରେ ବସି କାନ୍ଦିବାକୁ ଲାଗିଲେ-। ଲଳିତା ଆହୁରି ଜୋର୍‌ରେ କାନ୍ଦିବାକୁ ଲାଗିଲା । ତାହାର କର୍ଣ୍ଣକୁହରରେ “ଆଉ ବଞ୍ଚିବାର ଆଶା ନାହିଁ” - ଏହି କଥାଟି ଯେପରି ବାରମ୍ୱାର ପ୍ରତିଧ୍ୱନିତ ହେବାକୁ ଲାଗିଲା । ସେ ଦେଖିଲା, ସାରା ଜଗତରେ ସତେ ଯେପରି ତା’ ପାଇଁ ଭରି ରହିଚି ଅସହାୟ ଶୂନ୍ୟତା । ସେ କାନ୍ଥଗୁଡ଼ିକୁ ଅନାଇଲା - ସେଠାରେ ଯେପରି ଲେଖାହୋଇଚି - ମା ତାର ଆଉ ବଞ୍ଚିବ ନାହିଁ । ମାତାର ନିଷ୍ପ୍ରଭ ମୁଖକୁ ଲଳିତା ଅନେଇଲା । ସେଠି ସେ ଦେଖିଲା ମରଣର କୃଷ୍ଣଛାୟା ସେ ମୁହଁକୁ ଢାଙ୍କି ରଖିଚି । ଲଳିତାକୁ ଚତୁର୍ଦ୍ଦିଗ ଅନ୍ଧକାର ଦେଖାଗଲା । ତାହାର ମୁଣ୍ଡ ଘୂରିବାକୁ ଲାଗିଲା । ସେ ଭୂମିରେ ପଡ଼ି ଚିତ୍କାର କରି କାନ୍ଦିବାକୁ ଲାଗିଲା ।

 

ସଂଧ୍ୟା ହୋଇ ଆସିଲା । କ୍ରମେ ରାତି ହେଲା । ଦାଣ୍ଡଘରେ ଯୋନାଥନ୍‌ବାବୁ ଭୂମି ଉପରେ ଲମ୍ୱ ହୋଇ ପଡ଼ିଚନ୍ତି । ବିନୋଦ କେତେ ବୁଝାଇଲେଣି । ବୀର ମଧ୍ୟ ଆସି ବୁଝାଇଲେ । କିନ୍ତୁ ସେ ବୁଝିଲେ ନାହିଁ । କେବଳ ଗୋଟାଏ ଅସ୍ପଷ୍ଟ ଶବ୍ଦ ସହିତ ଘନଘନ ଦୀର୍ଘ-ଶ୍ୱାସ ବହିବାକୁ ଲାଗିଲା । ଆଜି ତାଙ୍କର ଶରୀର ଅତି ଭୟଂକର ଦେଖାଯାଉଚି । ଚବିଶ ଘଣ୍ଟା ଗତ ହୋଇଥିଲେ ବି ସେ ଅନ୍ନ ଜଳ ସ୍ପର୍ଶ କରି ନାହାନ୍ତି । ରାତି ବାରଟା ବେଳେ ବିନି ଚାହା ଆଣି ଦେଲା । ସେ ତାହାକୁ ମଧ୍ୟ ଗ୍ରହଣ କଲେନାହିଁ ।

 

ବୀର ଆସିଲେ । ଯୋନାଥନ୍‌କୁ ଭୂମିରୁ ଉଠାଇବାକୁ ଅନେକ ଯତ୍ନ କଲେ; କିନ୍ତୁ ସେ ଉଠିଲେ ନାହିଁ-। ଚାହା ଖାଇବାକୁ କେତେ ଅନୁରୋଧ କଲେ । କିନ୍ତୁ ଯେ ନାଥନ୍ କୌଣସି କଥା ଯେପରି ଶୁଣିପାରୁ ନଥାନ୍ତି । ଶେଷକୁ ବୀର କହିଲେ - “ଭାଇ, ମା’ଟି ତାର ପିଲାଛୁଆଙ୍କୁ ଛାଡ଼ି ଯାଉଚି । ତୁମ୍ଭେ ମଧ୍ୟ ସେମାନଙ୍କୁ ଅନାଇବ ନାହିଁ; ବର୍ତ୍ତମାନ ତୁମ୍ଭବିନା ସେମାନଙ୍କର କିଏ ଅଛି ?”

 

ଏକଥା ଯୋନାଥନ୍‌ର ହୃଦୟରେ ଦାରୁଣ ଆଘାତ କଲା । ସେ ଆସ୍ତେ ଭୂମିରୁ ଉଠିଲେ । ଆଖି ଫୁଲି ଯାଇଚି । ମୁହଁ ଦିଶୁଛି ଭୟଂକର । ସତେ ଯେପରି ଯୋନାଥନ୍ ହଠାତ୍ ଦଶବର୍ଷ ଅଧିକ ବୃଦ୍ଧ ହୋଇ ପଡ଼ିଚନ୍ତି । ଯୋନାଥନ୍ କୌଣସିମତେ ବାଧ୍ୟ ହୋଇ ଚାହା ଟିକିଏ ପିଇବାକୁ ଚେଷ୍ଟା କଲେ-। ସବୁ କିନ୍ତୁ ଶେଷ କରି ପାରିଲେ ନାହିଁ । ହଠାତ୍ ସେ ଉନ୍ମତ୍ତ ମତୁଆଳ ପରି ଶଶୀର ଶଯ୍ୟା ପାଖକୁ ଧାଇଁଗଲେ । ଶୂନ୍ୟ ଦୃଷ୍ଟିରେ ପ୍ରିୟତମାର ମୁଖକୁ ନିରୀକ୍ଷଣ କଲେ । ଦୁଇ ବାହୁରେ ଶଶୀକୁ ଦୃଢ଼ଭାବରେ ଆଲିଙ୍ଗନ କରି ରହିଲେ । ଆଉ ସେଠାରୁ ଉଠିଲେ ନାହିଁ କି କଥା କହିଲେ ନାହିଁ ।

 

ଘଣ୍ଟାଏ ବିତିଗଲା । ଦୁଇଘଣ୍ଟା ବିତିଗଲା । ଶଶୀର ଶ୍ୱାସ ରୁଦ୍ଧ ହୋଇ ଆସିଲା । ହୃଦୟର ସ୍ପନ୍ଦନ ଶିଥିଳ ହୋଇ ଆସିଲା । ସେ ଚିରକାଳ ପାଇଁ ଇହଧାମ ତ୍ୟାଗ କଲା । ପତିରକୋଳରେ ସତୀର ମୃତ୍ୟୁ ହେଲା । ଅନ୍ତିମ ଶୟନରେ ସେ ସ୍ୱାମୀର କ୍ରୋଡ଼ରେ ସ୍ଥାନ ପାଇଲା । ଯୋନାଥନ୍ ବୁଝିପାରିଲେ - ଶଶୀ ଆଉ ନାହିଁ । ଘଡ଼ିକୁ ଅନାଇଲେ । ନଅଟା ବାଜି ପନ୍ଦର ମିନିଟ । ବୀରବାବୁଙ୍କୁ ଅତିକରୁଣ ଭାବରେ ଅନାଇଲେ । ସେ ମୁଖରେ ଏକ ଗଭୀର ପ୍ରଶାନ୍ତି । ସତେ ଯେପରି ସଂସାରର ଏଇ ସ୍ୱାଭାବିକ ଝଡ଼କୁ ସାମ୍ନା କରିବାକୁ ସେ ମୁହଁରେ ପୂରି ରହିଚି ଅଶେଷ ଧୈର୍ଯ୍ୟ ।

 

ଗୁଲ୍‌ ବଦନୀ କାନ୍ଦି ଉଠିଲେ । ଲଳିତା ଭୂମିରୁ ଉଠିଆସି ପିତାଙ୍କୁ ଭରାଦେଇ ମୃତ ମାତୃ ଶବକୁ ବାରମ୍ୱାର ଚୁମ୍ୱନ କରିବାକୁ ଲାଗିଲା । ତାହାର ଆଖିରେ ଆଉ ଲୁହ ନଥିଲା । ସେ ଶୂନ୍ୟ ଦୃଷ୍ଟିରେ ପିତାଙ୍କ ମୁଖକୁ ଅନାଇ ବିକଟ ଶୁଷ୍କ ହାସ୍ୟରେ ଓଷ୍ଠାଧର ଈଷତ୍ ଭିନ୍ନ କରି କହିଲା “ଆଉ କାହିଁକି କାନ୍ଦିବି ବାବା, ମା’ ତ ନାହିଁ । ସ୍ୱର୍ଗକୁ ଗଲା ପରା ! ଈଶ୍ୱର ଆମ ପ୍ରାର୍ଥନା ଶୁଣିଲେ ନାହିଁ ।”

 

ପାଗଳଙ୍କ ପରି ଯୋନାଥନ୍ କହିଲେ - “ନାହିଁ ମା, ଈଶ୍ୱର ଶୁଣିଲେ ନାହିଁ । ଆମ ଦୁଃଖ ଦେଖିଲେ ନାହିଁ । ତୁମ ମା’ଟିକୁ ନିଜପାଖକୁ ନେଇଗଲେ ।” ବନ ଓ ହେମ ଦୌଡ଼ି ଆସି ବାପାଙ୍କୁ କୁଣ୍ଢେଇ କାନ୍ଦିବାବୁ ଲାଗିଲେ । ଶୂନ୍ୟ ଦୃଷ୍ଟିରେ ଯୋନାଥନ୍ କନ୍ୟା ତ୍ରୟଙ୍କୁ ଅନାଇଁ ରହିଲେ । ବାଷ୍ପରୁଦ୍ଧ କଣ୍ଠରେ କହିଲେ - “ମାମାନେ, ତୁମ୍ଭେମାନେ ଆଜିଠାରୁ ଅନାଥ । ତୁମ୍ଭର ମା ନାହିଁ । ମାଆ ବୋଲି ଆଉ କାହାକୁ ଡାକି ପାରିବ ନାହିଁ । ତୁମ୍ଭର ଯତ୍ନ ନେବାକୁ ଆଉ ଦୁନିଆରେ କେହି ନାହିଁ । ମୁଁ ଆଜିଠାରୁ ଫକୀର, ମୋର ରତ୍ନ ହଜିଗଲା ।” ବନ ଓ ହେମ ଉଚ୍ଚସ୍ୱରରେ କାନ୍ଦିଉଠିଲେ । ଯୋନାଥନ୍ ପୁଣି ବୀରଙ୍କୁ ଅନାଇଁ କହିଲେ - “ଭାଇ, ତୁମର ସେଦିନ ରାତି କଥା ମନେ ଅଛି । ଶଶୀର ମାଆ ମରି ପଡ଼ିଥିଲେ । ଆମ୍ଭେମାନେ ଯାଇ ପହଞ୍ଚିଥିଲେ । ମନେ କର, ସେଇ ଅନ୍ଧାର ରାତି । ମା ଝିଅଙ୍କର ସମାନ ଦଶା ହେଲା । ଭାଇ, ଅଳ୍ପଦିନ ପାଇଁ ମୋ କୁଟୀର ଆଲୋକିତ କରିବା ପାଇଁ ମୁଁ ଏ ସ୍ୱର୍ଗର ତାରା ଆଣିଥିଲି । ଏବେ ସେ ନିଜ ସ୍ଥାନକୁ ଫେରିଗଲା । କାହିଁକି ଆଉ କାନ୍ଦିବି ? କାହାପାଇଁ ଆଉ କାନ୍ଦିବି ? ପୁଅ ମଲାପରେ ତ ଦାଉଦ ରାଜା କାନ୍ଦି ନଥିଲେ । ଆଉ କଣ ସତେ ଶଶୀ ଫେରି ଆସିବ ? କ’ଣ ପାଇଁ ତେବେ କାନ୍ଦିବି !” ଯୋନାଥନ୍ ବାଚାଳ ପରି ପ୍ରଳାପ କରିବାକୁ ଲାଗିଲେ, ଗୁଲ୍ ବଦନୀକୁ ଅନାଇଁ କହିଲେ - “ବୋଉଦି, ତୁମ ଋଣ ମୁଁ ଶୁଝି ପାରିବି ନାହିଁ । ତୁମେ ଓ ଭାଇ ମତେ ମୃତ୍ୟୁମୁଖରୁ ବଞ୍ଚାଇଥିଲ । ସେତେବେଳେ ଏଇ ଶଶୀ ମୋର କେତେ ସେବା ଯତ୍ନ କରିଥିଲା । ମୋରି ହାତରେ ମରିବ ବୋଲି କ’ଣ ଏତେ ସେବା କରୁଥିଲା !”

 

ସମସ୍ତେ କାନ୍ଦିବାକୁ ଲାଗିଲେ, କେବଳ ଲଳିତା ଘୋର ନୈରାଶ୍ୟ, ପ୍ରବଳ ଦୁଃଖ ଓ ଗଭୀର ବିଷାଦରେ ମ୍ରିୟମାଣ ହୋଇ ମାଆର ମୁଖକୁ ନିରେଖି ଚାହିଁ ରହିଲା । କେତେ ଚୁମ୍ୱନ କଲା । କେବଳ “ଆଉ କାହିଁକିକାନ୍ଦିବି,ବାବା” - କହି ସୁଦ୍ଧା କୋହରେ ତାହାର ହୃଦୟ ଫାଟି ପଡ଼ୁଥିଲା । ବିନୋଦର ଚକ୍ଷୁରେ ମଧ୍ୟ ଲୁହ ଜକେଇ ଆସିଲା । ଏପରି ଘଟଣା ସେ ପୂର୍ବରୁ କେବେ ଦେଖି ନ ଥିଲା । ଲଳିତାର ଦୁଃଖ, ଲଳିତାର ଅଶ୍ରୁ ତା’ ପକ୍ଷରେ ବଡ଼ ଅସହ୍ୟ ହୋଇଉଠିଲା । ସେ ମର୍ମେ ମର୍ମେ ବେଦନା ଅନୁଭବ କରିବାକୁ ଲାଗିଲା ।

 

ରାତ୍ରି ପ୍ରଭାତ ହେଲା, ବିନୋଦ ବାକ୍‌ସରୁ ଖୋଜି ଲୁଗା ଆଦି ବାହାର କଲା । ଯଥାରୀତି ସ୍ନାନାଦି କରାଇ ଫୁଲହାରରେ ସଜ୍ଜିତା ମୃତା ଶଶୀକୁ ବାକ୍‌ସ ମଧ୍ୟରେ ପୂରାଇଲେ । ନୀରବ ନିଶ୍ଚଳ ଭାବରେ ଲଳିତା ସବୁ ଦେଖିଲା । ତାହାର ହୃଦୟ ଖଣ୍ଡବିଖଣ୍ଡ ହେଉଥାଏ । କିନ୍ତୁ ସେ ପ୍ରସ୍ତର ମୂର୍ତ୍ତି ପରି ସ୍ଥାଣୁ ପାଲଟି ଯାଇଥାଏ । ଶେଷକୁ ବାକ୍‌ସ ବନ୍ଦ ହେଲା । କଳାଗାଡ଼ିରେ ଥୁଆ ହେଲା । ଲଳିତାର ଧୈର୍ଯ୍ୟର ସୀମା ଅତିକ୍ରାନ୍ତ ହେଲା । ସେ ଛିନ୍ନମୂଳ ମହିରୁହ ପରି ଭୂମିରେ ପଡ଼ି ପୁନର୍ବାର ଅଚେତନ ହେଲା । ବିନୋଦ ବଡ଼ କାତର ହୋଇ ଉଠିଲା । ସେ ସ୍ୱହସ୍ତରେ ଲଳିତାର ମସ୍ତକରେ ଜଳ ସେଚନ କରିବାକୁ ଲାଗିଲା ।

 

ବହୁକ୍ଷଣ ପରେ ଲଳିତାର ଚେତନା ହେଲା । ସେ ଦେଖିଲା ଯେ ସେ, ନିଜ ପ୍ରକୋଷ୍ଠର ଶଯ୍ୟା ଉପରେ ଶାୟିତା, ପାଖରେ ବିନୋଦ । ସେ ଚକ୍ଷୁ ମେଲାଇ କ୍ଷୀଣକଣ୍ଠରେ କହିଲା - “ମା କେଉଁଠି? ତାକୁ ନେଇଗଲେଣି ?” ବିନୋଦ ପାଖକୁ ଘୁଞ୍ଚିଆସି ଅତି ମୃଦୁ କୋମଳ ପ୍ରେମପୂର୍ଣ୍ଣ ସ୍ୱରରେ କହିଲା - “ଲଳିତା, ମା ସ୍ୱର୍ଗରେ । ତୁମେ ଏଡ଼େ ଅଧୀର ହେଲେ ଚଳିବ କିପରି ?”

 

ଲଳିତା ବିନୋଦର ମୁଖକୁ ଅନାଇଲା । ଉଭୟର ଦୃଷ୍ଟି ମିଳନ ହେଲା । ଲଳିତା ଚିହ୍ନି ପାରିଲା ସେ ବିନୋଦ । ସେ ଚକ୍ଷୁ ମୁଦ୍ରିତ କଲା । ବିନୋଦ ଘୁଞ୍ଚିଆସି ଲଳିତାର କପାଳରେ ଚୁମ୍ୱନ କଲା । ଲଳିତା ସେ ଉଷ୍ମ ସ୍ପର୍ଶ ମାତ୍ର ଅନୁଭବ କଲା । ତାହାର ଭାବ ଓ ଉଷ୍ମତା ଗ୍ରହଣ କରିବାରେ ବର୍ତ୍ତମାନ ସେ ସଂପୂର୍ଣ୍ଣ ଅକ୍ଷମ । ବିନୋଦ ବାହାରକୁ ଗଲେ । ଲଳିତା ବିନୋଦ ପ୍ରଦତ୍ତ ଔଷଧ ଫଳରେ ନିଦ୍ରାଭିଭୂତ ହୋଇ ପଡ଼ିରହିଲା ।